ସେଦିନ ଫୁଟବଲ ଖେଳୁଥିଲେ, ଆଜି ସଂଘର୍ଷ କରୁଛନ୍ତି; ପଡିଆକୁ ପର କରିବା ପରେ ପେଟ ପାଇଁ ଦାନା ଖୋଜୁଛନ୍ତି ଜାତୀୟସ୍ତରର ଖେଳାଳି । କିଏ ବିଡି ବାନ୍ଧୁଛି ତ କିଏ ବିୟୁଟି ପାର୍ଲର କରି ପରିବାର ପୋଷୁଛି

308

କନକ ବ୍ୟୁରୋ: ପଡିଆକୁ ସେ ଭୁଲି ନାହାନ୍ତି । ହେଲେ ପଡିଆ ତାଙ୍କୁ ଭୁଲିଯାଇଛି । ପ୍ରଶାସନ ତାଙ୍କୁ ଅବହେଳା କରିଛି । ଦିନେ ଜାତୀୟ ସ୍ତରରେ ଫୁଟବଲ ଖେଳି ଓଡିଶା ପାଇଁ ସୁନାମ ଆଣିଥୁବା ଓଡି଼ଶା ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟକ ଡଲି ମୁଣ୍ଡା ଆଜି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।
ପରିବାର ଆର୍ଥିକ ସ୍ଥିତି ଭଲ ନଥିବାରୁ ବିଡି ତିଆରି କରି ପରିବାର ପେଟ ପୋଷୁଛନ୍ତି ଡଲି ।

ତେବେ ଡଲିଙ୍କର ଏବେ ଫୁଟବଲ୍ ଖେଳିବା ବନ୍ଦ ହୋଇଯାଇଛି । ତେଣୁ ଏବେ ଭରସା, ବିଡି ତିଆରି । ତିନି ଭଉଣୀ ଏବଂ ଜଣେ ଦିବ୍ୟାଙ୍ଗ ଭାଇକୁ ନେଇ ଘର ଚଳାଇବାକୁ ହେଲେ ଡଲିଙ୍କୁ ପ୍ରତିଦିନ ବିଡି ପ୍ରସ୍ତୁତି କରିବାକୁ ପଡିବ । ଏଥିରୁ ଯେତିକି ଟଙ୍କା ମିଳେ ସେଥିରେ ଚଳେ ଘର । ଜାତୀୟ ସ୍ତରର ଏହି ପରିଚିତ ଖେଳାଳି ଏବେ ବିଡି ତିଆରିରେ ବାନ୍ଧି ହୋଇଯାଇଛନ୍ତି । ..

ଡଲିଙ୍କ ଭଳି ଦୀପ୍ତି କିଷାନ ମଧ୍ୟ ଜାତୀୟ ସ୍ତରରେ ଫୁଟବଲ୍ ଖେଳିଛନ୍ତି । ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ମାତ୍ର ଏବେ ତାଙ୍କ ହାତରେ ବ୍ୟୁଟି ପାର୍ଲରର ଦାୟିତ୍ୱ । ପେଟ ପୋଷିବାକୁ ପାର୍ଲର ଚଳାଉଛନ୍ତି ଦୀପ୍ତି । ୫ଟି ଜାତୀୟ ପ୍ରତିଯୋଗିତାରେ ଓଡିଶା ତରଫରୁ ଖେଳିଥିବା ଏହି ତାରକା ଖେଳାଳି ଏବେବି ସମୟ ମିଳିଲେ ଫୁଟବଲ୍ ଖେଳନ୍ତି । ..

ଡଲି ଓ ଦୀପ୍ତିଙ୍କ ଭଳି ସମ୍ବଲପୁରର ଅନେକ ଜାତୀୟ ମହିଳା ଖେଳାଳି ଏବେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଫୁଟବଲ୍ ଛାଡି ମଜୁରୀ କରୁଛନ୍ତି । ଯାହା ଉପରେ ସରକାର ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି ।