ଭାରତରେ ପଡିପାରେ ଚୀନ ଅନ୍ତରୀକ୍ଷ କେନ୍ଦ୍ର ! ଜାଣନ୍ତୁ ଏହାର ଫଳାଫଳ କ’ଣ ହେବ । 

70
ଡରିବାର କୌଣସି କାରଣ ନାହିଁ କିନ୍ତୁ ଖବରଟି ସମ୍ପୁର୍ଣ୍ଣ ସତ । ଅନିୟନ୍ତ୍ରିତ ହୋଇଯାଇଥିବା ଲ୍ୟାବ ତିଆଙ୍ଗୋଗ ଦ୍ରୁତବେଗରେ ପୃଥିବୀପୃଷ୍ଠ ଆଡକୁ ମାଡି ଆସୁଛି । ଏହି ଅନ୍ତରୀକ୍ଷ କେନ୍ଦ୍ର ଉପରେ ନଜର ରଖୁଥିବା ୟୁରୋପିୟନ ସ୍ପେସ ଏଜେନ୍ସି କହିବାନୁଯାୟୀ ଏହା ବାୟୁମଣ୍ଡଳରେ ୩୦ ମାର୍ଚ୍ଚରୁ ୨ ଏପ୍ରିଲ ମଧ୍ୟ ଭାଗରେ ପ୍ରବେଶ କରିବ । ଅନ୍ୟପକ୍ଷରେ ଚାଇନା ମେନଡ ସ୍ପେସ ଇଂଜିନିୟରିଂର ବୈଜ୍ଞାନିକମାନେ ଏହି ତାରିଖକୁ ୩୧ ମାର୍ଚ୍ଚରୁ ୪ ଏପ୍ରିଲ ମଧ୍ୟରେ ହେବାକୁ ଥିବା କହୁଛନ୍ତି । ବୈଜ୍ଞାନିକମାନେ ଏହାକୁ ନେଇ କୌଣସି କ୍ଷତି ହେବା କଥା କହିନଥିବାବେଳେ ଲୋକଙ୍କ ମଧ୍ୟରେ ଏବେ ଏହାକୁ ନେଇ ଉତ୍ସୁକତା ବଢ଼ିଯାଇଛି ।
ବୈଜ୍ଞାନିକଙ୍କ ଅନୁମାନ ଅନୁସାରେ ୪୩ ଅକ୍ଷାଶଂ ଉତ୍ତରକୁ ନେଇ ୪୩ ଅକ୍ଷାଶଂ ଦକ୍ଷିଣର ମଧ୍ୟଭାଗରେ ଥିବା ବ୍ୟାପକ ଯେକୌଣସି କ୍ଷେତ୍ରରେ ମଧ୍ୟ ପଡିପାରେ । ଏହି ଭୌଗୋଳିକ କ୍ଷେତ୍ରରେ ଭାରତର ନାଁ ମଧ୍ୟ ରହିଅଛି । ଚୀନ ସ୍ପେଶ ସୁପରପାୱରର ପ୍ରତୀକ ଅନ୍ତରୀକ୍ଷ ନିଜର ପରାକାଷ୍ଠା ଦେଖାଇବା ପାଇଁ ୨୦୧୧ ସେପ୍ଟେମ୍ବରରେ ଯେବେ ଲଞ୍ଚ କରାଗଲା ଏହାକୁ ‘ସ୍ୱର୍ଗରେ ରାଜମହଲ’ କୁହାଗଲା । ଏହା ଚୀନର ପ୍ରଥମ  ଅନ୍ତରୀକ୍ଷ ଥିବାବେଳେ ଡିଜାଇନିଂ ଏଭଳି କିଛି ହୋଇଥିଲା ଯେଉଁଥିରେ ଅନ୍ୟ ସବୁ ଯାନ ଆସି ଅନ୍ତରୀକ୍ଷ ସହ ମିଶିପାରିବେ ।

୨୦୧୨ ମସିହାରେ ଚୀନର ପ୍ରଥମ ମହିଳା ମହାକାଶଚାରୀ ଲିୟୁ ୟାଙ୍ଗ ଏହି ଅନ୍ତରୀକ୍ଷ ଯାନରେ ପରୀକ୍ଷଣ କରିବାର ସୁଯୋଗ ପାଇଥିଲେ । ୨୦୧୩ ମସିହାରେ ଚୀନର ଦ୍ୱିତୀୟ ମହିଳା ମହାକାଶଚାରୀ ୱାଙ୍ଗ ୟାପିଙ୍ଗ ମଧ୍ୟ ଏଠାରେ ପହଞ୍ଚିବାରେ ସଫଳ ହୋଇଥିଲେ । ବୈଜ୍ଞାନିକଙ୍କ କହିବାନୁସାରେ ଏଥିପ୍ରତି କାହାର ଜୀବନ ହାନି ଘଟିବା ଭଳି କୌଣସି ବିଷୟ ନାହିଁ । ପୃଥିବୀ ପୃଷ୍ଠରେ ପ୍ରାୟ ୭୦ ପ୍ରତିଶତ ପାଣି ମହଜୁତ ହୋଇରହିଛି । ଅନ୍ୟ ସ୍ଥାନମାନଙ୍କରେ ପ୍ରାୟତଃ ଜଙ୍ଗଲ କିମ୍ବା ବହୁ କମ ବସତୀ ରହିଅଛି ।
୧୯୯୭ ମସିହାରେ ଡେଲ୍ଟା ରକେଟ ଜଣେ ମହିଳାଙ୍କ କାନ୍ଧ ଉପରେ ପଡିଥିଲା କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଘଟଣାରେ ସେ ସାମାନ୍ୟ ଆହତ ହୋଇଥିଲେ । ଏହି ଘଟଣାଟି ପ୍ରଥମଥର ପାଇଁ ଘଟିଥିଲା ଯେଉଁଥିରେ ଜଣେ ମହିଳାଙ୍କୁ ଏହାର ଶିକାର ହେବାକୁ ପଡିଥିଲା । ଯଦି ଏହାଦ୍ୱାରା ଭାରତକୁ କୌଣସି କ୍ଷତି ପହଞ୍ଚେ ତେବେ ଚୀନ ଏହାର କ୍ଷତିପୁରଣ ଦେବାକୁ ପ୍ରସ୍ତୁତ ହେବ । ୧୯୭୨ ମସିହାର ଇଣ୍ଟରନ୍ୟାସନାଲ ଲାଇବିଲିଟୀ ଫର ଡ୍ୟାମେଜ କାଜଡ ବାଏ ସ୍ପେସ ଅବଜେକ୍ଟ ସଂନ୍ଧି ଅନୁସାରେ ଲଞ୍ଚ କରିଥିବା ଦେଶ ଏହାପ୍ରତି ଦାୟୀ ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ଗୋଟିଏ ଥର ଏହି ସଂନ୍ଧିକୁ ବ୍ୟବହାର କରାଯାଇଛି ।