ଚଳିତ ମାସ ୫ ତାରିଖରେ ‘ନାସ୍‌’ ପରୀକ୍ଷା

23

କନକ ବ୍ୟୁରୋ :  ଚଳିତ ମାସ ୫ ତାରିଖରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପରୀକ୍ଷା (ନାସ୍‌) ରାଜ୍ୟର ସମସ୍ତ ଜିଲ୍ଲାର ୨୪ ଶହ କେନ୍ଦ୍ରରେ ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୮ ହଜାର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ୮୦ଟି ପରୀକ୍ଷା କେନ୍ଦ୍ରର ସୁବିଧା କରାଯାଇଛି। ଏଥିରେ ଓଡିଆ, ଇଂରାଜୀ, ଗଣିତ, ବିଜ୍ଞାନ ଓ ସାମାଜିକ ଜ୍ଞାନ ଭଳି ୫ଟି ବିଷୟରେ ପରୀକ୍ଷା କରାଯିବ। ଓଏମ୍‌ଆର୍‌ ସିଟ୍‌ରେ ପିଲାମାନଙ୍କୁ ନିର୍ଦ୍ଧାରିତ ଦେଢ ଘଣ୍ଟା ମଧ୍ୟରେ ସଠିକ ଉତ୍ତର ଦେବାକୁ ହେବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପରୀକ୍ଷାର ସୁପରିଚାଳନା ପାଇଁ ଯତ୍ନବାନ ହେବାକୁ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ଯେପରି ଭାବେ ଏହି ପରୀକ୍ଷା ଦେବାରେ ସକ୍ଷମ ହୋଇପାରିବେ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।