ଗାନ୍ଧୀ ହତ୍ୟାକାରୀ ଗଡସେକୁ ପୂଜିବ ହିନ୍ଦୁ ମହାସଭା ! ଗୋଆଲିୟରରେ ଦିଆଗଲା ଶିଳାନ୍ୟାସ

34

କନକ ବ୍ୟୁରୋ : ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ । ଭାରତୀୟ ଇତିହାସରେ ତାଙ୍କୁ କୁହାଯାଏ ଆତତାୟୀ । କେତେକ ତାଙ୍କୁ ପିତୃ ହନ୍ତାକାରୀ ବୋଲି କହିଥାଆନ୍ତି । ଯାହା ନାଁ ଶୁଣିଲେ ଅନେକ ଘୃଣାରେ ନାକ ଟେକନ୍ତି, ଆଉ ବଦନାମରେ ପୋତିପକାନ୍ତି । ଯାହାକୁ ଭାରତୀୟ ଇତିହାସ କେବେ ବି କ୍ଷମାଦେବାକୁ ପ୍ରସ୍ତୁତ ନୁହେଁ । ସେ ରଚିଥିଲେ ଭାରତୀୟ ଇତିହାସରେ କଳଙ୍କିତ ଅଧ୍ୟାୟ । କିନ୍ତୁ ଆଜି ଅନେକ ଲୋକଙ୍କ ଜନମାନସରେ ସେ ପୂଜ୍ୟ । ତାଙ୍କୁ ବି ଭାରତରେ ମିଳୁଛି ସମ୍ମାନ । ଆଉ ତାଙ୍କରି ଉଦ୍ଦେଶ୍ୟରେ ନିର୍ମିତ ହେଉଛି ମନ୍ଦିର । ସେ ହେଉଛନ୍ତି ଫାଶୀ ପାଇଥିବା ନାଥୁରାମ ଗଡସେ ।

ନାଥୁରାମ ଗଡସେଙ୍କ ଉଦ୍ଦେଶ୍ୟରେ ଗୋଆଲିୟର ଦୌଲତାଗଞ୍ଜ କାର୍ୟ୍ୟାଳୟ ଅଞ୍ଚଳରେ ମନ୍ଦିରର ଶିଳାନ୍ୟାସ କରିଛି ହିନ୍ଦୁ ମହାସଭା । ଗୋଆଲିୟର ଜିଲ୍ଲା ପ୍ରଶାସନ ଅନୁମତି ଦେଇନଥିଲେ ମଧ୍ୟ ଶିଳାନ୍ୟାସ କରିଛି ହିନ୍ଦୁ ମହାସଭା । ହିନ୍ଦୁ ମହାସଭାର ।ଅଫିସରେ ଏଥିପୂର୍ବରୁ ପ୍ରତିଷ୍ଠା କରାଯାଇଥିବା ଗଡସେଙ୍କ ପ୍ରତିମୂର୍ତ୍ତିରେ ଆଜି ପୁଷ୍ପାଞ୍ଜଳି ଦିଆଯାଇଥିଲା।ନାଥୁରାମ ଗଡସେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁୁ ହତ୍ୟା କରିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ୧୯୪୯ ମସିହା ନଭେମ୍ବର ୧୫ ତାରିଖ ଦିନ ଫାଶୀ ପାଇଥିଲେ ।

ଆଜି ବି ତାଙ୍କର ସମର୍ଥକମାନେ ଏହି ଦିନକୁ ‘ତ୍ୟାଗ ଦିବସ’ଭାବେ ପାଳନ କରୁଛନ୍ତି । ନାଥୁରାମ ଗଡସେଙ୍କ ପାଇଁ ପ୍ରସ୍ତାବିତ ମନ୍ଦିର ତୋଳିବାକୁ ଜମି ପାଇଁ ପୂର୍ବରୁ ହିନ୍ଦୁ ମହାସଭା ଆବେଦନ କରିଥିଲା। ଜିଲ୍ଲା ପ୍ରଶାସନ ଜମି ନିମନ୍ତେ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଥିଲା।ମହାସଭାର ଜୟବୀର ଭରଦ୍ୱାଜଙ୍କ କହିବାନୁସାରେ, ଜମି ପାଇଁ କରାଯାଇଥବା ଆବେଦନକୁ ଜିଲ୍ଲା ପ୍ରଶାସନ ଖାରଜ କରିବା ପରେ ଦୌଲତାଗଞ୍ଜ ଅଞ୍ଚଳରେ ମନ୍ଦିର ତୋଳିବାକୁ ନିଷ୍ପତ୍ତି ନିଆଯାଇଛି।

ଏଥିପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ବଦନାମ ହେବାକୁ ପଡିବ । ମଧ୍ୟପ୍ରଦେଶ ବିରୋଧୀ ଦଳର ନେତା ଅଜୟ ସିଂହ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ସମାଲୋଚନା କରି କହିଛନ୍ତି ଯେ ତାଙ୍କ ସରକାର ଜାତିର ଜନକଙ୍କ ଆତତାୟୀଙ୍କୁ ଭିତିରିଆ ସମର୍ଥନ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଟିରେ ମହାତ୍ମା ଗାନ୍ଧୀଙ୍କ ନାଁ ରହିଛି କିନ୍ତୁ ଅନ୍ତରରେ ରହିଛନ୍ତି ନାଥୁରାମ ଗଡେସେ । ନଚେତ ହିନ୍ଦୁମହାସଭାର ସମର୍ଥକ ମାନେ ଜଣେ ଆତତାୟୀର ମନ୍ଦିର କରିବାକୁ ସାହସ ଜୁଟାଇ ପାରିନଥାନ୍ତେ ବୋଲି ସେ କହିଛନ୍ତି ।