ମାନବ ସଭ୍ୟତାରେ ସୃଷ୍ଟି ହେବ ଏକ ନୂଆ ଇତିହାସ : ସୂର୍ଯ୍ୟକୁ ଛୁଇଁବା ପାଇଁ ପୃଥିବୀ ଛାଡିବ ମହାକାଶଯାନ

43

କନକ ବ୍ୟୁରୋ : ଆସନ୍ତାକାଲି ମାନବ ସଭ୍ୟତାରେ ଏକ ନୂଆ ଇତିହାସ ସୃଷ୍ଟି ହେବ । ସୂର୍ଯ୍ୟକୁ ଛୁଇଁବା ପାଇଁ ପୃଥିବୀ ଛାଡିବ ମହାକାଶଯାନ । ଆମେରିକାର ଫ୍ଲୋରିଡାରୁ ଶନିବାର ଭୋରରୁ ସ୍ଥାନୀୟ ସମୟ ପ୍ରାୟ ୩ଟା ୪୮ରେ ଉତକ୍ଷେପଣ ହେବ ପାର୍କର ସୋଲାର ପ୍ରୋବ । ଭାରତୀୟ ସମୟ ପ୍ରାୟ ଅପରାହ୍ନ ୧ଟା ୧୮ ବେଳକୁ ଏକ କାର ଆକାରରେ ଏହିଯାନକୁ ମହାକାଶକୁ ବୋହି ନେବ ଡେଲ୍ଟା-୪ ରକେଟ । ତେବେ ପାଣିପାଗ ଆକଳନରୁ ଉତକ୍ଷେପଣ ପାଇଁ ପ୍ରାୟ ୭୦ ପ୍ରତିଶତ ଅନୁକୂଳ ପାଗ ରହିବ ବୋଲି କୁହାଯାଉଛି । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟର ପ୍ରଭାମଣ୍ଡଳର ରହସ୍ୟ ବୁଝିବା ସହ ସୌର ବାୟୁଣ୍ଢଳ ଉପରେ ଅଧିକ ଗବେଷଣା କରିବା ।

ସୂର୍ଯ୍ୟ ପୃଷ୍ଠର ତାପମାତ୍ରାଠାରୁ ୩୦୦ ଗୁଣ ଅଧିକ ଉତପ୍ତ ହେଉଛି ସୌର ପ୍ରଭାମଣ୍ଡଳ ବା କୋରୋନା । ଏହା ହେଉଛି ଶକ୍ତିଶାଳୀ ପ୍ଲାଜମା ଓ ଶକ୍ତି କଣିକାର ଘଂଟା ଚକଟା ହେଉଥିବା ସ୍ଥାନ । ତେବେ ଏହି ସବୁ ଏବେ ବି ବହୁ କଥା ଅସ୍ପଷ୍ଟ । ନାସା ପ୍ରେରଣ କରୁଥିବା ଏହି ପାର୍କର ସୋଲାର ପ୍ରୋବ ଯାନଟି ଏହି ସବୁ ଦିଗରେ ଅଧିକ ଗବେଷଣା କରିବ ବୋଲି ଆଶା ରଖିଛନ୍ତି ବିଜ୍ଞାନୀ । ଅନ୍ୟପଟେ ଏତେ ପରିମାଣର ତାପକୁ ରୋକିବା ପାଇଁ ସ୍ୱତନ୍ତ୍ର ପ୍ରକାର ତାପରୋଧୀ ଖୋଳପା ଏହି ଯାନ ଉପରେ ରହିଛି । ଏହାର ମୋଟେଇ ପ୍ରାୟ ୪.୫ ଇଂଚ । ସବୁ ଠିକ ଭାବେ କାମ କଲେ ଯାନ ଭିତରର ତାପମାତ୍ରା ୨୯ ଡିଗ୍ରୀ ସେଲସିଅସ ଥିବା ବେଳେ ଏହା ବାହାରର ଲକ୍ଷ ଲକ୍ଷ ଡିଗ୍ରୀ ସେଲସିଅସ୍ ତାପମାତ୍ରାକୁ ମଧ୍ୟ ସହ୍ୟ କରିପାରିବ ।

ଏହି ମହାକାଶ ଯାନ ପୃଥିବୀ ଛାଡିବାର ପ୍ରାୟ ୭ ବର୍ଷ ୬ ମାସ ପରେ ସୂର୍ଯ୍ୟର ନିକଟତମ ସ୍ଥାନରେ ପହଂଚିବ । ଏଥି ପାଇଁ ପାର୍କର ପ୍ରୋବ୍କୁ ପ୍ରାୟ ୧୫ କୋଟି କିଲୋମିଟର ବାଟ ଅତିକ୍ରମ କରିବାକୁ ପଡିବ । ସୋଲାର ପ୍ରୋବ ପ୍ଲସ ନାମରେ ୨୦୧୦ରୁ ଆରମ୍ଭ ହୋଇଥିଲା ଏହି ଯୋଜନା । ୨୦୧୭ରେ ଏହାର ନାମ ବଦଳାଇ ପାର୍କର ସୋଲାର ପ୍ରୋବ୍ ରଖାଗଲା । ବିଶିଷ୍ଟ ମହାକାଶ ପଦାର୍ଥ ବିଜ୍ଞାନୀ ଇୟୁଜିନ ପାର୍କରଙ୍କ ନାଁ ଅନୁସାରେ ଏହି ଯାନର ନାଁ ପାର୍କର ସୋଲାର ପ୍ରୋବ୍ ରହିଛି । ଇତିହାସରେ ନାସା ପ୍ରଥମ ଥର ପାଇଁ ଜଣେ ଜୀବିତ ବିଜ୍ଞାନୀଙ୍କ ନାମରେ କୌଣସି ମହାକାଶଯାନର ନାଁ ରଖିଛି ।