ଆଠଗଡ଼ରୁ ଆମେରିକା : ଲକ୍ଷ୍ୟ ହାସଲ ପାଇଁ ଲୋଡ଼ା ଦୃଢ଼ ଇଚ୍ଛାଶକ୍ତି, ନାସା ପକ୍ଷରୁ ସମ୍ମାନିତ ହେଲେ ବୁଣାକାର ପରିବାରର ପୁଅ ଦୀପକ

1,462

କନକ ବ୍ୟୁରୋ : ଲକ୍ଷ୍ୟ ହାସଲ ପାଇଁ ଲୋଡ଼ା ଦୃଢ଼ ମନୋବଳ । ବାଧକ ସାଜିପାରିବନି ଅର୍ଥ । ବାଟ ଓଗାଳି ପାରିଲାନି ଅଭାବ । ପ୍ରଚଣ୍ଡ ପ୍ରତିଜ୍ଞା ଆଗରେ ହାର ମାନିଲା ପ୍ରତିବନ୍ଧକ । ଭରପୁର ଆତ୍ମବିଶ୍ୱାସ ଓ ଇଚ୍ଛାଶକ୍ତି ଥିଲେ ମଣିଷ ପାଇଁ ସବୁ ସମ୍ଭବ । ଏକଥା ପ୍ରମାଣିତ କରିଛନ୍ତି ଆଠଗଡ଼ ମାଣିଆବନ୍ଧ ଗାଁର ଦୀପକ କୁମାର । ସାଧାରଣ ବୁଣାକାର ପରିବାରରୁ ଆମେରିକାର ନାସା ପକ୍ଷରୁ ଯୁବ ବୈଜ୍ଞାନିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଓଡ଼ିଆ ପୁଅ ଦୀପକ । ୨୦୦୫ ମସିହାରୁ ନାସା ପକ୍ଷରୁ ପ୍ରତିଭାବାନ ଯୁବ ବୈଜ୍ଞାନିକ ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି । ସବୁଠାରୁ ବଡ଼ କଥା ହେଲା ପ୍ରଥମ ଭାରତୀୟ ଭାବେ ଦୀପକ ଏହି ସମ୍ମାନ ହକଦାର ହୋଇ ସାରା ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ।

କଟକ ଆଠଗଡ଼ ନୂଆପାଟଣା ମାଣିଆବନ୍ଧ ଗାଁର ଦୀପକ କୁମାର କରଣ । ବାପା ନୀଳମଣୀ କରଣ ଓ ମାତା ସୁମନା କରଣଙ୍କର ଏକମାତ୍ର ପୁଅ ଦୀପକ । କଟକର ଜଗନ୍ନାଥ ସୂତାକଳରେ ଜଣେ ସାଧାରଣ ଶ୍ରମିକ ଭାବରେ କାମ କରୁଥିଲେ ଦୀପକଙ୍କ ବାପା ନୀଳମଣି । ହେଲେ ସୂତାକଳ ବନ୍ଦ ହୋଇଯିବା ପରେ ତାଙ୍କ ପରିବାର ଉପରେ ଦୁଃଖର କଳାବାଦଲ ଘୋଟିଥିଲା । ରୋଜଗାର ହରାଇଥିଲା ପରିବାର । ସେପଟେ ବେଡ଼ି ଉପରେ କୋରଡ଼ା ସଦୃଶ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଲେ ନୀଳମଣି । ପୁଅକୁ ପାଠ ପଢ଼ାଇବାକୁ ଯାଇ ମା’ ସୁମନା ଘରୋଇ ତନ୍ତରେ ଶ୍ରମିକ ଭାବେ ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କଲେ । ପାଠପଢ଼ା ପ୍ରତି ଦୀପକଙ୍କ ଉତ୍ସାହ ଦେଖି ଦିନ ରାତି ଖଟିଖଟି ପାଠ ପଢାଇଥିଲେ ମା’ ସୁମନା ।

ତୁଳସୀ ଦୁଇପତ୍ରରୁ ବାସିଲା ପରି ପିଲାବେଳୁ ଖୁବ ମେଧାବୀ ଓ ପରିଶ୍ରମୀ ଥିଲେ ଦୀପକ । ଗୋଟିଏ ପଟେ ପାଠ ପଢ଼ିବାର ମନୋବୃତ୍ତ ଅନ୍ୟପଟେ ମା’ର କଷ୍ଟକୁ ଆଖି ଆଗରେ ରଖି ପାଠ ପଢ଼ିବା ଆରମ୍ଭ କଲେ ଦୀପକ । ମାଣିଆବନ୍ଧ ସରକାରୀ ଉଚ୍ଚବିଦ୍ୟାଳୟରୁ ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ । ଆଉ ତା’ପରେ ନୂଆପାଟଣା ଚୈତନ୍ୟ ସାହୁ ମହାବିଦ୍ୟାଳୟରୁ +୩ ପାସ କରି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋ ପରେ ଜ୍ୟୋତିବିହାର ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମଫିଲ କରିଥିଲେ । ଆଉ ତା’ପରେ ଓ ଅହମଦାବାଦରୁ ପିଏଚଡ଼ି ଡ଼ିଗ୍ରୀ ହାସଲ କରିଥିଲେ । ଅରକ୍ଷିତକୁ ଦୈବ ସାହା ପରି ଚୈତନ୍ୟସାହୁ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ଦୀପକଙ୍କୁ ପଢ଼ାଇବା ପାଇଁ ଚିନ୍ତା କରିଥିଲେ । ତାଙ୍କ ପ୍ରତିଭାକୁ ଚିହ୍ନି ନିଜ ଟଙ୍କାରେ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ତା’ ପରଠାରୁ ପଛକୁ ଫେରି ଚାହିଁ ନାହାନ୍ତି ଦୀପକ ।

ଏବେ ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ରିସର୍ଚ୍ଚ ଆସୋସିଏଟ ଭାବେ କାର୍ଯ୍ୟରତ । ତାଙ୍କ ପ୍ରତିଭାକୁ ସମ୍ମାନିତ କରିଛି ଆମେରିକା । ୨୦୦୫ ମସିହାରୁ ପ୍ରଚଳିତ ଅନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ନାସା ପକ୍ଷରୁ ଯୁବ ବୈଜ୍ଞାନିକ ଭାବେ ସମ୍ମାନିତ ହେବାପାରେ ଦୀପକ କେବଳ ନିଜ ଗାଁ ପାଇଁ ନୁହେଁ ଓଡ଼ିଶା ତଥା ସାରା ଦେଶ ପାଇଁ ଗୌରବ ଆଣିଛନ୍ତି । ଦୀପକ ପ୍ରମାଣିତ କରିଛନ୍ତି ପ୍ରତିକୂଳ ପରିସ୍ଥିତିରେ ବି ଦୃଢ ବିଶ୍ୱାସ ଥିଲେ ସଫଳତା ପାଇବା ଦିଗରେ ପ୍ରତିବନ୍ଧକ ନିଶ୍ଚିତ ରୂପେ ହାର ମାନିବ ।