କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ ! ତଥାଗତ ଶତପଥୀଙ୍କୁ କହିଲେ ମୁଖ୍ୟମନ୍ତ୍ରୀଙ୍କ ସହ କେଉଁ ଭାଷାରେ କଥା ହେଉଛ

50

କନକ ବ୍ୟୁରୋ : ବିଜେଡି ସାଂସଦ ତଥାଗତଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସମାଲୋଚନା । ମୁଖ୍ୟମନ୍ତ୍ରୀଙ୍କ ସହ କେଉଁ ଭାଷାରେ କଥା ହେଉଛନ୍ତି ଏବଂ କେଉଁ ଭାଷାରେ ଚିଠି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ନରେନ୍ଦ୍ର ସିଂ ତୋମାର । ଓଡ଼ିଆ ଭାଷା ପ୍ରତି ତାଙ୍କର ସମ୍ମାନ ଅଛି, କିନ୍ତୁ ୧୭ ବର୍ଷ ଧରି ଶାସନରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ବୁଝାନ୍ତୁ ବୋଲି ତଥାଗତଙ୍କୁ କହିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀଙ୍କ ହିନ୍ଦୀ ଚିଠିର ଉତ୍ତରରେ ସାଂସଦ ତଥାଗତ ଶତପଥୀ ଦେଇଥିବା ଓଡ଼ିଆ ଚିଠି, ଏବେ ଭାଷାର ଲଢ଼େଇରୁ ରାଜେନୈତିକ ଲଢ଼େଇର ରୁପ ନେବାରେ ଲାଗିଛି । ଆଉ ଏହି ଲଢ଼େଇରେ ବିଜେଡି ମୋଦିଙ୍କୁ ଟାଣୁଥିବା ବେଳେ ବିଜେପି ନବୀନଙ୍କୁ ଟାର୍ଗେଟ୍ କରୁଛି । ଚିଠିକୁ ନେଇ ଲାଗିଥିବା ଏହି ବିବାଦ ଆଉ ଗୋଟିଏ ପାଦ ଆଗକୁ ଯାଇଛି, ଯେତେବେଳେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷାଜ୍ଞାନ ନେଇ ପ୍ରଶ୍ନ ଉଠାଇଛନ୍ତି ।

୧୭ ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ ଓଡ଼ିଆ କହିବାରୁନଥିବାରୁ, ତାଙ୍କୁ କାହିଁ ସାଂସଦ ପଚାରୁ ନାହିଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଆଉ ପ୍ରକାଶ ଜାଭଡେକରଙ୍କ ଷ୍ଟାଇଲରେ ନରେନ୍ଦ୍ର ସିଂ ତୋମାର ବି ସମାନ ଢଙ୍ଗରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ।

ଗତ ୧୧ ତାରିଖରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରଧାନମନ୍ତ୍ରୀଙ୍କ ନ୍ୟୁ ଇଣ୍ଡିଆ ଅଭିଯାନ ସଂପର୍କରେ ଏହି ଚିଠି ଲେଖିଥିଲେ । ଚିଠିଟି ହିନ୍ଦିରେ ଥିବାରୁ ସାଂସଦ ପଢ଼ିବାରେ ଅସମର୍ଥ ଥିବା ଦର୍ଶାଇ ପ୍ରତି ଉତ୍ତରରେ କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଆ ଚିଠି ଲେଖିଥିଲେ ତଥାଗତ ।

ଆଉ ହିନ୍ଦୀଭାଷା ଲଦି ଦିଆଯାଉଥିବା ନେଇ ଅଭିଯୋଗ ବି କରିଥିଲେ । ତଥାଗତଙ୍କ ଏହି ଚିଠିକୁ ନେଇ ଗଣମାଧ୍ୟମରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ସବୁଠି ଚର୍ଚ୍ଚା । ଯାହା ଉପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । କିନ୍ତୁ ଏହାକୁ ନେଇ ବିଜେଡି ଓ ବିଜେପି ରାଜନୀତିର ରୋଟି ସେକିବାକୁ ପଛାଉ ନାହାଁନ୍ତି ।