ବିରାଟ ରୋଡ ସୋ’ରୁ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍ । କହିଲେ, ଦେଶ ବିଭାଜନ ପାଇଁ ଘୃଣାର ବିଷ ପ୍ରୟୋଗ କରୁଛନ୍ତି ମୋଦି, ଜାରି ରହିବ ଲଢେଇ ।

136

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳ ଆସିବା ପରେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ମୋଦି ଦେଶକୁ ବିଭାଜନ କରିବା ପାଇଁ ଘୃଣାର ବିଷ ପ୍ରୟୋଗ କରୁଥିବା କହିଛନ୍ତି କେରଳ ୱାୟନାଡ ଗସ୍ତରେ ଥିବା ରାହୁଲ ଗାନ୍ଧୀ ।

ନିର୍ବାଚନ ଶେଷ ହେବା ଓ ଫଳାଫଳ ଆସିବା ପରେ ପୁଣି ଥରେ ରାହୁଲଙ୍କ ଟାର୍ଗେଟରେ ମୋଦି । ୩ଦିନିଆ କେରଳ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଲପେଟ୍ଟା ରୋଡ ସୋରୁ ମୋଦିଙ୍କ ଉପରେ ବର୍ଷିଛନ୍ତି । ରାହୁଲ କହିଛନ୍ତି, ମୋଦି ଦେଶକୁ ଭାଗ ଭାଗ କରିବା ପାଇଁ ଘୃଣାର ବିଷ ପ୍ରୟୋଗ କରୁଛନ୍ତି । ଏବଂ ସେ ରାଷ୍ଟ୍ରୀୟ ସ୍ତରରେ ବିଷ ସହ ଲଢୁଛନ୍ତି । ମୋଦିଙ୍କ ବିଭାଜନକାରୀ ନୀତି ସହ ସେ ନିଜର ଲଢେଇ ଜାରି ରଖିବେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ୱାୟନାଡରୁ ନିର୍ବାଚନ ଜିତିଥିବା ରାହୁଲ ତାଙ୍କ ସଂସଦୀୟ କ୍ଷେତ୍ରର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ କଂଗ୍ରେସର ବାଟ ଖୋଲାଅଛି ବୋଲି କହିଛନ୍ତି । ଏହାସହ ୱାୟନାଡର ସାଂସଦ ଭାବେ ନୁହେଁ ବରଂ ସଂସଦରେ କେରଳର ଅସୁବିଧା ପ୍ରସଙ୍ଗ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

୩ଦିନିଆ କେରଳ ଗସ୍ତରେ ଥିବା ରାହୁଲ, ୱାୟନାଡରେ ସ୍ଥାନୀୟ ଆଦିବାସୀ, ଚାଷୀ ଓ ଅନ୍ୟାନ୍ୟ ବର୍ଗର ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଶୁକ୍ରବାର ଦିନ ମଧ୍ୟ ଏଠାରେ ରୋଡ ସୋ କରିଥିଲେ ରାହୁଲ । ୨୦୧୯ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶ ଆମେଠି ସହ କେରଳର ୱାୟନାଡରୁ ନିର୍ବାଚନ ଲଢିଥିଲେ କଂଗ୍ରେସ ଅଧ୍ୟକ୍ଷ । ତେବେ ୱାୟନାଡରେ ସେ ବିଜୟୀ ହୋଇଥିବା ବେଳେ ଆମେଠିରେ ସ୍ମୃତି ଇରାନୀ ତାଙ୍କୁ ପରାସ୍ତ କରିଥିଲେ ।