ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

26

କନକ ବ୍ୟୁରୋ : ସିକ୍କିମ ସେକ୍ଟରରେ ବିବାଦୀୟ ଡୋକଲାମ ଅଞ୍ଚଳକୁ ନେଇ ଦୀର୍ଘ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଉଭୟ ଭାରତ ଏବଂ ଚୀନ ସେନା ମୁହାଁମୁହିଁ ସ୍ଥିତିରେ ରହିବାପରେ ଆପୋଷ ବୁଝାମଣାରେ ଦୁଇଦେଶ ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବେ ବୋଲି ରାଜି ହୋଇଛନ୍ତି । ଦୀର୍ଘ ୭୩ ଦିନର ଡୋକଲାମ ବିବାଦର ଏକପ୍ରକାର ଅବସାନ ପରେ ଚୀନ୍‌ରେ ହେବାକୁ ଥିବା ଆଗାମୀ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଚୀନ ଗସ୍ତରେ ଯିବେ ବୋଲି ଜଣାଯାଇଛି ।

ଆସନ୍ତା ସେପ୍ଟେମ୍ବର ୩ରୁ ୫ ତାରିଖ ଯାଏଁ ଚୀନ୍‌ର ଫୁଜିଆନ୍‌ ପ୍ରଦେଶ ଅନ୍ତର୍ଗତ ଉପକୂଳ ସହର ଜିଆମେନ୍‌ରେ ହେବାକୁ ଥିବା ନବମ ବ୍ରିକ୍ସ ସମ୍ମିଳନୀରେ ମୋଦି ଯୋଗଦେବେ ବୋଲି ଆଜି ବୈଦେଶିକ ମନ୍ତ୍ରାଳୟ ସୂତ୍ରରୁ ସ୍ପଷ୍ଟ କରାଯାଇଛି । ବ୍ରିକ୍ସ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦି ମିଆଁମାର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ସେପ୍ଟେମ୍ବର ୫ରୁ ୭ ପର୍ଯ୍ୟନ୍ତ ମିଆଁମାର ଗସ୍ତରେ ଯିବେ ବୋଲି ଜଣାଯାଇଛି ।