ହାଇଦ୍ରାବାଦ ହାଉସରେ ଆରମ୍ଭ ହେଲା ପୁଟିନ-ମୋଦିଙ୍କ ମଧ୍ୟରେ ଆଲୋଚନା : ଆଜି ସ୍ୱାକ୍ଷରିତ ହୋଇପାରେ ଏସ-୪୦୦ ପ୍ରତିରକ୍ଷା ବାୟୁ କ୍ଷେପଣାସ୍ତ୍ର ଚୁକ୍ତି

30

କନକ ବ୍ୟୁରୋ : ଦିଲ୍ଲୀ ହାଇଦ୍ରାବାଦ ହାଉସରେ ଆରମ୍ଭ ହେଲା ୧୯ତମ ଭାରତ-ରୁଷ୍ ଦ୍ୱିପାକ୍ଷିକ ବୈଠକ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏହି ବୈଠକ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୨୦ଟି ରାଜିନାମା ସ୍ୱାକ୍ଷରିତ ହେବା କୁହାଯାଉଛି । ତେବେ ସର୍ବାଧିକ ଫୋକସ୍ ଏସ୍-୪୦୦ ଆଂଟି ମିସାଇଲ୍ ସିଷ୍ଟମ୍ ଡିଲ୍ ଉପରେ ରହିବ । ଆମେରିକୀୟ ପ୍ରତିବନ୍ଧକକୁ ଅଣଦେଖା କରି ଭାରତ ଏହି ଆଂଟି ମିସାଇଲ୍ ସିଷ୍ଟମ୍ ରୁଷ୍ ନିକଟରୁ କିଣିବାକୁ ଚାହୁଁଛି । ଅନ୍ୟପଟେ ପୁଟିନଙ୍କ ସହ ପ୍ରତିରକ୍ଷା, ପରମାଣୁ ଶକ୍ତି, ମହାକାଶ ଓ ଅର୍ଥନୀତି ପରି ପ୍ରମୁଖ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଦିନ ୨ଟା ୩୦ରେ ଦୁଇ ଦେଶ ମଧ୍ୟରେ ଚୁକ୍ତିନାମା ବିନିମୟର କାର୍ଯ୍ୟକ୍ରମ ରହିଛି । ଦୁଇଦିନିଆ ଭାରତ ଗସ୍ତରେ ଅଛନ୍ତି ପୁତିନ୍ ଆଉ ଏହି ଗସ୍ତଉପରେ ସାରା ବିଶ୍ୱର ନଜର ରହିଛି । ଗତକାଲି ପୁତିନ ଭାରତ ପହଁଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ନୈଶଭୋଜିରେ ଆପ୍ୟାୟିତ କରିଥିଲେ ।

ସୂଚନାଯୋଗ୍ୟ ଏସ୍ ୪୦୦ ଆଂଟି ମିସାଇଲ୍ ସିଷ୍ଟମ୍ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର ବାଜିବା ପରେ ଭାରତ ୨୪ ମାସ ମଧ୍ୟରେ ଏହି ବ୍ୟବସ୍ଥା ହାସଲ୍ କରିବ । ପୂର୍ବରୁ ୨୦୧୪ ମସିହାରେ ଚୀନ ରୁଷ୍ ପାଖରୁ ଏସ୍ ୪୦୦ ମିସାଇଲ୍ ସିଷ୍ଟମ୍ କ୍ରୟ କରିସାରିଛି । ଏସ୍ ୩୦୦ ସିଷ୍ଟମ୍ର ଉନ୍ନତ ସଂସ୍କରଣ ଭାବେ ରୁଷ୍ ଏସ୍ ୪୦୦ ଆଂଟି ମିସାଇଲ୍ ସିଷ୍ଟମ୍ ନିର୍ମାଣ କରିଥିବା ବେଳେ ଆଗକୁ ଏହି ବ୍ୟବସ୍ଥା ହାସଲ୍ କରି ଦକ୍ଷିଣ ଏସିଆର ପ୍ରମୁଖ ଶକ୍ତିଭାବେ ନିଜ ଉପସ୍ଥିତି ଜାହିର୍ କରିବ । ପୁତିନଙ୍କ ଭାରତଗସ୍ତ ବେଳେ ଚୂଡ଼ାନ୍ତ ହେବ ଏହି ଡିଲ୍ । ପାକିସ୍ତାନ ଓ ଚୀନ ଭାରତପାଇଁ ଆହ୍ୱାନ ସୃଷ୍ଟି କରୁଥିବାରୁ ଏଥିସହ ଭାରତ ହେବ ଶକ୍ତିଶାଳୀ ।