ମିସାଇଲ୍ ବିଧ୍ୱଂସୀ ଏସ-୪୦୦ ଚୁକ୍ତି ଉପରେ ଲାଗିଲା ମୋହର : ୪୦ ହଜାର କୋଟି ଟଙ୍କାରେ ୫ଟି ମିଜାଇଲ ବିଧ୍ୱଂସକ କିଣିବ ଭାରତ

47

କନକ ବ୍ୟୁରୋ : ଦିଲ୍ଲୀ ହାଇଦ୍ରାବାଦ ହାଉସରେ ୧୯ତମ ଭାରତ-ରୁଷ୍ ଦ୍ୱିପାକ୍ଷିକ ବୈଠକ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ବୈଠକ ହୋଇଛି । ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏସ-୪୦୦ ପ୍ରତିରକ୍ଷା ବାୟୁ କ୍ଷେପଣାସ୍ତ୍ର ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଆମେରିକୀୟ ପ୍ରତିବନ୍ଧକକୁ ଅଣଦେଖା କରି ଭାରତ ଏହି ଆଂଟି ମିସାଇଲ୍ ସିଷ୍ଟମ୍ ରୁଷ୍ ନିକଟରୁ କିଣିବାକୁ ଚାହୁଁଛି । ଅନ୍ୟପଟେ ପୁଟିନଙ୍କ ସହ ପ୍ରତିରକ୍ଷା, ପରମାଣୁ ଶକ୍ତି, ମହାକାଶ ଓ ଅର୍ଥନୀତି ପରି ପ୍ରମୁଖ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଦୁଇଦିନିଆ ଭାରତ ଗସ୍ତରେ ଅଛନ୍ତି ପୁତିନ୍ ଆଉ ଏହି ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ଗତକାଲି ପୁତିନ ଭାରତ ପହଁଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ନୈଶଭୋଜିରେ ଆପ୍ୟାୟିତ କରିଥିଲେ ।

୪ ହଜାର୍ କିଲୋମିଟର ବିଶିଷ୍ଟ ଭାରତ-ଚୀନ ସୀମା ଉପରେ ନଜର ରଖିବାକୁ ଏସ୍ ୪୦୦ ସିଷ୍ଟମ୍କୁ କରାଯିବ ମୁତୟନ ଆଉ ଦୁଇ ପଡ଼ୋଶୀ ଦେଶର ଗତିବିଧି ଉପରେ ଏହା ରଖିବ ତୀକ୍ଷଣ ନଜର ।

ଭାରତ ପାଇଁ କାହିଁକି ଜରୁରୀ ଏସ୍-୪୦୦ ମିସାଇଲ୍ ବିଧ୍ୱଂସକ ?

– ପାକିସ୍ତାନ ନିକଟରେ ଏଫ୍-୧୬ ଯୁକ୍ତ ୨୦ଟି ଫାଇଟର୍ ସ୍କ୍ୱାର୍ଡନ୍ ଓ ଚୀନ ନିର୍ମିତ ଜେ-୧୭ ବହୁ ସଂଖ୍ୟାରେ ରହିଛି । ଏହାର ମୁକାବିଲା ପାଇଁ ଭାରତକୁ ଏସ୍-୪୦୦ ବିଧ୍ୱଂସକ ଜରୁରୀ ।

– ବାୟୁସେନା ମୁଖ୍ୟଙ୍କ ତଥ୍ୟ ଅନୁଯାୟୀ ଭାରତ ନିକଟରେ ପର୍ଯ୍ୟାପ୍ତ ପରିମାଣର ଲଢ଼ୁଆ ଜେଟ୍ ନାହିଁ, ଏହି କାରଣରୁ ଏସ୍-୪୦୦ କ୍ଷେପଣାସ୍ତ୍ର ନିରୋଧକ ଭାରତର ପ୍ରମୁଖ ଆବଶ୍ୟକତା ।

– ୪୦୦ କିଲୋମିଟର୍ ଦୂରତାଯାଏଁ ରୁଷର ଏହି ଏସ୍-୪୦୦ ଆଂଟି ମିସାଇଲ୍ ସିଷ୍ଟମ୍ ଯେ କୌଣସି କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଅକାମୀ କରିପାରିବ ।

– ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏସ୍-୪୦୦ ସିଷ୍ଟମ୍ ହେଉଛି ସବୁଠୁ ଅଧିକ ଶକ୍ତିଶାଳୀ ଓ ଆଧୁନିକ କ୍ଷେପଣାସ୍ତ୍ର ବିଧ୍ୱଂସକ ବ୍ୟବସ୍ଥା ।

– ଶତ୍ରୁପକ୍ଷର ମିସାଇଲ, ଲଢ଼ୁଆ ବିମାନ୍ ଓ ଡ୍ରୋନ୍କୁ ଏହା ଠାବ କରିବା ସହ ଧ୍ୱଂସ ମଧ୍ୟ କରିପାରିବ ଓ ୧୦୦ରୁ ୩୦୦ଟି ରାଡାରକୁ ଚିହ୍ନଟ କରିବାରେ ଏହା ସକ୍ଷମ ।

– ଏସ୍-୪୦୦ କ୍ଷେପଣାସ୍ତ୍ର ନିରୋଧକ ତିବତ୍ ଓ ଲଦାଖ୍ ଚୀନ ଗତିବିଧି ଉପରେ ଏହା ରଖିବ ତୀକ୍ଷ୍ଣ ନଜର ।

– ନିୟନ୍ତ୍ରଣ ରେଖା ଓ ପିଓକେରେ ପାକ୍ ଗତିବିଧିର ଏହା ଦେବ ସୂଚନା ।

– ଦକ୍ଷିଣ ଏସିଆରେ ଏହାଦ୍ୱାରା ଭାରତ ନିଜର ସ୍ଥିତି ମଜବୁତ୍ କରିବ ।

ତେବେ ଭାରତ ଓ ଋଷର ଏହି ସମ୍ପର୍କକୁ ପସନ୍ଦ କରୁନି ଆମେରିକା । ଏପଟେ ପାକିସ୍ତାନ ମଧ୍ୟ ଏ ଚୁକ୍ତି ଉପରେ କଡ଼ା ନଜରର ରଖିଥିଲା । ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଆମେରିକା ସନିଜର ସମସ୍ତ ସହଯୋଗୀ ଦେଶକୁ ଋଷ ଠାରୁ କୌଣସି ବି ଅସ୍ତ୍ରଶସ୍ତ୍ର ଡିଲ ନକରିବା ପାଇଁ ଚେତାବନୀ ମଧ୍ୟ ଦେଇଥିଲା ।