କନକ ବ୍ୟୁରୋ : ମୋଦିଙ୍କ ପାଠଶାଳାରେ ପାଠ ପଢିଲେ ସରକାରୀ ବାବୁ । ଦେଶରେ ସୁଶାସନ ଆଣିବା ପାଇଁ ସରକାରୀ ବାବୁଙ୍କ କାନରେ ମୋଦି ଫୁଙ୍କିଲେ ମନ୍ତ୍ର । ଦେଶର ସମସ୍ତ ବର୍ଗର ଲୋକଙ୍କୁ ଲକ୍ଷ୍ୟ କରି କିପରି ନିଷ୍ପତି ନେବେ ସେ ଅଧିକାରୀଙ୍କୁ ଜ୍ଞାନ ଦେଇଛନ୍ତି ମୋଦି । ତା ସହ ଖୁବ କମ ସମୟରେ ସରକାର ନେଉଥିବା ନିଷ୍ପତି ଯେପରି ଲୋକଙ୍କ ହତିରେ ଆସିବ ସେ ନେଇ ପରାମର୍ଶ ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ୭୦ ଜଣ ଅତିରକ୍ତ ସଚିବ ଓ ଯୁଗ୍ମ ସଚିବଙ୍କୁ ନେଇ ହୋଇଥିବା ଆଲୋଚନାରେ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୋଦି । ଦେଶରେ ସୁଶାସନ ଆଣିବା ସମସ୍ତ ସରକାରୀ ଅଫିସରଙ୍କ ମୂଳଲକ୍ଷ୍ୟ ହେଲେ ଦେଶ ପ୍ରଗତିର ପଥେ ଆଗକୁ ଯିବ ବୋଲି କହିଛନ୍ତି ସେ । ତା ଛଡା ଦେଶର ୧୦୦ଟି ପଛୁଆ ଓ ଅନୁନ୍ନତ ଜିଲ୍ଲା ଉପରେ ଫୋକସ କରିବାକୁ ଅଫିସରଙ୍କୁ ଆହ୍ୱାନ କରିଛନ୍ତି ସେ । କାରଣଏହିସବୁ ଜିଲ୍ଲାର ଉନ୍ନତି ହେଲେ ହିଁ ଦେଶର ବିକାଶ ସମ୍ଭବପର ହୋଇପାରିବ ।

ବୁଧବାର ସଂଧ୍ୟାରେ ହୋଇଥିବା ଏହି ଆଲୋଚନାରେ ମୋଦି କହିଛନ୍ତି ଦେଶର ବିକାଶ ସେତେବେଳେ ସମ୍ଭବ ହେବ ଯେବେ ସମାଜର ସମସ୍ତ ବର୍ଗର ଆବଶ୍ୟକତା ପ୍ରତି ସରକାର ଦୃଷ୍ଟି ଦେବେ । ତେଣୁ ସମସ୍ତ ଅଧିକାରୀ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ । ତତସହିତ ସରକାରଙ୍କ ସମସ୍ତ ବିଭାଗ ଭିତରେ ଉତ୍ତମ ବୁଝାମଣା ରହିବା ଆବଶ୍ୟକ । ତା ସହିତ ମୋଦି କହିଛନ୍ତି, ସରକାରୀ ବାବୁ କୌଣସି ନିଷ୍ପତି ନେବା ବେଳେ ଗରିବ ଓ ସାଧାରଣ ଲୋକଙ୍କ ଆବଶ୍ୟକତା ଉପରେ ନିହାତି ଚିନ୍ତା କରିବା ଆବଶ୍ୟକ । ତା ଛଡା ଅଫିସର ମାନେ ରାଷ୍ଟ୍ର ହିତରେ ନିଜକୁ ସମର୍ପି ଦେବା ସହ ନିଜକୁ ପ୍ରମାଣିତ କରିବା ପାଇଁ ଏହା ହେଉଛି ଏକ ପ୍ରକୃଷ୍ଟ ସମୟ ।

ତା ସହିତ ବିକାଶ ମୁଳକ ତଥା ଜନ ହିତକର ନିଷ୍ପତି ନେଉଥିବା ଦକ୍ଷ ଅଫିସରଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପୋତ୍ସାହିତ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନାରେ ଭାଗ ନେଇଥିବା ଅଫିସର ମାନେ ମଧ୍ୟ ନିଜ ନିଜର ଅଭିଜ୍ଞତା ବାଣ୍ଟି ଥିଲେ । ଡିଜିଟାଲ ଓ ସ୍ମାର୍ଟ ସରକାର, ପ୍ରଶାସନିକ ବ୍ୟବସ୍ଥା, ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା, ଦକ୍ଷତା ବିକାଶ,ସ୍ୱଚ୍ଛ ଭାରତ, ଖାଉଟି ଅଧିକାର, ପରିବେଶ ସୁରକ୍ଷା ଓ ୨୦୨୨ ସୁଦ୍ଧା ଭାରତର ବିକାଶ ଉପରେ ଅଧିକାରୀ ମାନେ ଆଲୋଚନା କରିଥିଲେ ।

ଏବେ ପୂରା ବିଶ୍ୱ ଭାରତକୁ ଏକ ଭିନ୍ନ ନଜରରେ ଦେଖୁଛି । ଭାରତ ଏବେ ବିଶ୍ୱରେ ଏକ ମହାଶକ୍ତି ଭାବେ ଉଭା ହେଇଛି । ଭାରତର ବିକାଶ ଉପରେ ଏବେ ପୂରା ବିଶ୍ୱର ନଜର । ଭାରତର ଏବେ ଯୁବକଙ୍କ ବଳରେ ବଳୀୟାନ । ଭାରତର ଜନସଂଖ୍ୟାର ଅଧିକାଂଶ ଲୋକ ଏବେ ଯୁବକ । ତା ସହିତ ଦୃଢ ଇଚ୍ଛାଶକ୍ତି ଓ ଆଧୁନିକ ଜ୍ଞାନ କୌଶଳ ଭାରତୀୟ ଯୁବକଙ୍କୁ ବିଶ୍ୱସ୍ତରରେ ପରିଚିତ କରାଉଛି । ଏପରିକି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ କ୍ରୀଡା କ୍ଷେତ୍ରରେ ଭାରତୀୟ ଯୁବକ ଏବେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରୁଛନ୍ତି ବୋଲି ମୋଦି କହିଛନ୍ତି ।