୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଚଳିତମାସ ଶେଷ ସୁଦ୍ଧା ଗଠନ ହେବ ନୂଆ ସରକାର ।

113

କନକ ବ୍ୟୁରୋ : ଏନଡିଏର ବିପୁଳ ବିଜୟ ପରେ ଆଜି ୧୬ତମ ଲୋକସଭାକୁ ଭାଙ୍ଗିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ସୁପାରିଶ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ନୂଆ ସରକାର ଗଠନ ନେଇ ମୋଦି ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ସେପଟେ ଆଜି ସକାଳେ ବିଜେପିର ଦୁଇ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ବାସଭବନକୁ ଯାଇ ଆଶୀର୍ବାଦ ନେଇଛନ୍ତି ନରେନ୍ଦ୍ର ମୋଦୀ । ଆସନ୍ତା ୨୯ କିମ୍ବା ୩୦ ତାରିଖରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ରାଲି ଓ ଜନସଭାରେ ସମବେତ କଣ୍ଠରେ ଶୁଭୁଥିବା ମୋଦି ନାରା ସ୍ଲୋଗାନ୍ ଯେ କୋଟି କୋଟି ଭାରତବାସୀଙ୍କ ମନର ସ୍ୱର ଥିଲା, ତାହା ପୁଣିଥରେ ପ୍ରମାଣିତ ହୋଇଛି । ‘ମୋଦୀ ହେ ତୋ ମୁମକିନ୍ ହେ’, ଏ କେବଳ ନାରା ନଥିଲା, ପୁଣିଥରେ ବାସ୍ତବ ରୂପ ନେଇଛି ମୋଦିଙ୍କ ଏହି ମ୍ୟାଜିକ୍ । ଦେଶବାସୀଙ୍କ ଆଗରେ ରାଷ୍ଟ୍ରବାଦର ଯେଉଁ ବର୍ଣ୍ଣନା ମୋଦୀ ରଖିଥିଲେ, ସେଥିରେ ଏପରି ମୋହନୀ ଶକ୍ତି ଥିଲା ଯେ, ଯାହା ଚୁମ୍ବକ ଭଳି ଲୋକଙ୍କୁ ଯୋଡି ଦେଇଥିଲା ତାଙ୍କ ସହ । ଆଉ ତା’ର ପ୍ରମାଣ ହେଉଛି ମୋଦୀଙ୍କ ପ୍ରତି ପ୍ରଚଣ୍ଡ ଜନସମର୍ଥନ ।

୨୦୧୪ର ମୋଦୀ ଲହରିକୁ ଟପି ଯାଇଥିଲା ୨୦୧୯ର ମୋଦୀଙ୍କ ସୁନାମୀ । ୨୦୧୪ ମସିହାରେ ଏସିଆନ୍ ମିଟରେ ମୋଦୀଙ୍କୁ ଭେଟିବା ବେଳେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା କହିଥିଲେ ଏ ହେଉଛନ୍ତି ବିଶ୍ୱର ସବୁଠୁ ଅଧିକ ଜନସସର୍ଥନ ପାଇଥିବା ନେତା । ଆଉ ୨୦୧୯ରେ ଏହି ସମର୍ଥନ ଆହୁରି ବୃଦ୍ଧି ପାଇବ ବୋଲି ଓବାମା ଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ଆଜି ସତ ପ୍ରମାଣିତ ହୋଇଛି ।
ଭାରତର ରାଜନୈତିକ ଇତିହାସରେ ୫ ବର୍ଷର ଶାସନ କାଳ ପୂରଣ କରି ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଥିବା ଅଣକଂଗ୍ରେସ ନେତା ହେଉଛନ୍ତି ନରେନ୍ଦ୍ର ମୋଦୀ । ଦେଶର ୧୫ତମ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିବାକୁ ଯାଉଛନ୍ତି ମୋଦୀ । କେବେ ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବ, ଏ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ଆସନ୍ତା ୨୯ କିମ୍ବା ୩୦ ତାରିଖରେ ଶପଥ ଗ୍ରହଣ କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

୨୨ ବିରୋଧୀ ଦଳର କଡ଼ା ବିରୋଧ, ଅଖିଳେଶ-ମାୟାବତୀଙ୍କ ମେଂଟ, ମମତାଙ୍କ ଆଂଟ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯୋଜନା ସବୁ କିଛି ଫସର ଫାଟି ଯାଇଛି । ବିଜେପି ଭଳି ଦେଶର ସବୁଠୁ ବଡ଼ ଦଳର ଏକାକୀ ଚେହେରା ଭାବେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ମୋଦୀ । ଦଳ ପାଇଁ ଓ ନିଜ ପାଇଁ ଆଣିଛନ୍ତି ପ୍ରଚଣ୍ଡ ଜନାଦେଶ । ତେବେ ବିପୁଳ ବିଜୟ ପରେ ବିରୋଧୀଙ୍କ ପ୍ରତି କଟାକ୍ଷ, ଜନସଭାରେ ପ୍ରତିପକ୍ଷଙ୍କୁ ତାତ୍ସଲ୍ୟକୁ ପଛରେ ପକାଇ ପୁଣି ସବକା ସାଥ୍, ସବକା ବିକାଶର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିଜୟର ପରଦିନ ବିଜେପିର ଦୁଇ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟି ଦଳ ଗଠନରେ ଦୁହିଁଙ୍କ ଯୋଗଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ।