ଭାରତ ଆମେରିକା ସମ୍ପର୍କରେ ଆସିବ ନୂଆ ମୋଡ ! ଜୁନ୍ ୨୬ରେ ୱାସିଂଟନରେ ଟ୍ରମ୍ପଙ୍କୁ ଭେଟିବେ ମୋଦି,ଆତଙ୍କବାଦ ହେବ ମୁଖ୍ୟ ପ୍ରସଙ୍ଗ

22

କନକ ବ୍ୟୁରୋ : ଜୁନ୍ ୨୫ରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜୁନ୍ ୨୬ରେ ୱାସିଂଟନ ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ହେବ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜାନୁୟାରୀ ମାସରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ ହେବ ।

୨୦୧୬ ନଭେମ୍ବର ମାସରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ମୋଦି ୱିସିଂଟନ ଯାଇଥିଲେ । ନିକଟରେ ପ୍ୟାରିସ ଜଳବାୟୁ ଚୁକ୍ତିିରୁ ଓହରି ଆସିଛି ଆମେରିକା । ଏହାକୁ ନେଇ ଅନ୍ତର୍ଜାତୀୟ କୂଟନୀତି ସରଗରମ ରହିଥିବାବେଳେ ମୋଦିଙ୍କ ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଛି । ଟ୍ରମ୍ପ ଜଳବାୟୁ ସଂକ୍ରାନ୍ତ ତାଙ୍କର ଉଦବୋଧନରେ ପ୍ରଦୂଷଣ ପାଇଁ ଭାରତକୁ ଦାୟୀ କରିଥିଲେ ।

ଯାହାକୁ ଦେଇ ତିକ୍ତତା ସୃଷ୍ଟି ହୋଇଥିଲା । ଏଭଳି ସ୍ଥିତିରେ ମୋଦିଙ୍କ ଗସ୍ତ ବାତିଲ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଥିଲା । ତେବେ ବାଣିଜ୍ୟ ଏବଂ ସାମରିକ ସହଯୋଗ କ୍ଷେତ୍ରରେ ଭାରତ ଆମେରିକାର ସୁଦୃଢ଼ ସମ୍ପର୍କକୁ ଆଖି ଆଗରେ ରଖି ସମ୍ପର୍କ ସ୍ୱାଭାବିକ ରଖିବାକୁ ଦୁଇ ଦେଶ ପ୍ରୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଗସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜୁନ୍ ୨୫ରୁ ଆରମ୍ଭ ହେବ ।