ନିର୍ବାଚନ ପୂର୍ବରୁ ବଦଳୁଛି ପ୍ରଧାନମନ୍ତ୍ରୀଙ୍କ ଷ୍ଟାଇଲ । ବଲାଙ୍ଗୀର ସଭାରେ ନବୀନ ସରକାରଙ୍କୁ କଲେ ମୃଦୁ ସମାଲୋଚନା । ୨୦୧୯ ଗାଦୀ ଉପରେ ମୋଦିଙ୍କ ନଜର

ମୋଦିଙ୍କ ନିରବତାକୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ

167

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବଦଳୁଛି କି ମୋଦିଙ୍କ ଷ୍ଟାଇଲ । ଉପକୂଳରୁ ଉତର ଦେଇ ପଶ୍ଚିମ ଓଡ଼ିଶାକୁ ପହଂଚିଲା ବେଳକୁ ଆହୁରି ନରମୀ ଯାଇଛି ମୋଦିଙ୍କ ଆଭିମୁଖ୍ୟ । ବାରିପଦା ଭଳି ଆଜି ବଲାଙ୍ଗୀରରେ ମଧ୍ୟ ମୋଦିଙ୍କ ଭାଷଣରେ ଦେଖିବାକୁ ମିଳିନି ବିଜେଡି ବିରୋଧୀ ସ୍ୱର । ନିର୍ବାଚନ ବର୍ଷରେ ନରେନ୍ଦ୍ର ମୋଦିଙ୍କ ଏଭଳି ଆଭିମୁଖ୍ୟ ରାଜ୍ୟ ବିଜେପି ନେତୃତ୍ୱକୁ ଯେତିକି ଦ୍ୱନ୍ଦ୍ୱରେ ପକାଇଛି, କଂଗ୍ରେସକୁ ସମାଲୋଚନା କରିବା ପାଇଁ ସେତିକି ବଡ ସୁଯୋଗ ଆଣି ଦେଇଛି । ଆଉ ଏସବୁ ଭିତରେ ଆଜି ବଲାଙ୍ଗୀରରେ ପ୍ରାୟ ୧୫ଶହ ୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦି ।

ମୋଦିଙ୍କ ୪୫ ମିନିଟର ଭାଷଣରେ ଶାଣିତ ନଥିଲା ବିଜେଡି ସରକାର ବିରୋଧୀ ସ୍ୱର ! ଖୋର୍ଦ୍ଧାରେ ଦୁର୍ନୀତିର ଦାନବ ଦାବନକୁ କିଏ ଦାନାପାଣି ଯୋଗାଉଛି ବୋଲି ପ୍ରଶ୍ନ କରୁଥିବା ମୋଦି, ବଲାଙ୍ଗୀରରେ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରି ପାରୁ ନାହାଁନ୍ତି ବୋଲି କହିଛନ୍ତି । ବାରିପଦାରୁ ବଲାଙ୍ଗୀର ପହଂଚିବା ଭିତରେ ଯେମିତି ବଦଳିଯାଇଛି ସ୍ୱର । ନିର୍ବାଚନ ବର୍ଷରେ ନବୀନ ସରକାର ବିରୋଧରେ କଣ କହିବେ ପ୍ରଧାନମନ୍ତ୍ରୀ, ତାକୁ ଅନାଇ ବସିଥିଲେ ରାଜ୍ୟ ନେତୃତ୍ୱ । ହେଲେ ବିଜେଡିକୁ କଡ଼ା ସମାଲୋଚନାର ସେଭଳି ସଂକେତ ଦେଇନଥିଲେ ମୋଦି । କେବଳ ଡିଏମଏଫ୍ ପାଣ୍ଠି ଖର୍ଚ୍ଚ ସଂକ୍ରାନ୍ତରେ ମୋଦି କହିଥିଲେ..

-ଖଣି ଅଂଚଳର ବିକାଶ ପାଇଁ କେନ୍ଦ୍ର ଦେଇଛି ୪ ହଜାର କୋଟି

-ଏହି ଟଙ୍କା ରାଜ୍ୟର ଆଦିବାସୀଙ୍କ ବିକାଶ ପାଇଁ ଖର୍ଚ୍ଚ କରିବା କଥା

-ହେଲେ ଟଙ୍କ ଖର୍ଚ୍ଚ ନହୋଇ ପଡିରହିଛି, ଶୋଇ ରହିଛନ୍ତି ସରକାର

ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ ବିଜେଡି ଅପେକ୍ଷା କଂଗ୍ରେସ ପ୍ରତି ଅଧିକ ଦେଖିବାକୁ ମିଳିଛି । ନାଁ ନନେଇ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ମୋଦି । ଚୌକିଦାର ଚୋର ହେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଭିଯୋଗକୁ ବଲାଙ୍ଗୀର ପଥରଚେପା ସମାବେଶରୁ କାଉଂଟର କରିଛନ୍ତି ମୋଦି । ଲୁଟ୍ର ସବୁ ରାସ୍ତା କେମିତି ବନ୍ଦ କରିଛନ୍ତି ସେ ନେଇ ମୋଦି କହିଛନ୍ତି ।

-୧୦୦ ପ୍ରତିଶତ ରାସନ କାର୍ଡର ଡିଜିଟାଇଜେସନ୍ କରାଯାଇଛି

-ଏହାଦ୍ୱାର ଦଲାଲଙ୍କ ପକେଟକୁ ୯୦ ହଜାର କୋଟି ଯିବା ବନ୍ଦ ହୋଇଛି

-ଗରିବଙ୍କୁ ଲୁଟୁଥିବା ବେଇମାନଙ୍କୁ ଦଣ୍ଡ ଦେବାକୁ ଚୌକିଦାର ପ୍ରତିଶ୍ରୁତିବଦ୍ଧ

 

ବିଜେଡିକୁ ହାଲୁକା ଓ କଂଗ୍ରେସକୁ କଡା ଆକ୍ରମଣ ସହ କେନ୍ଦ୍ର ସରକାରଙ୍କ ପ୍ରବର୍ତିତ ଯୋଜନାର ରୁପରେଖ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହେଲେ ବିଜେଡି ପ୍ରତି ମୋଦିଙ୍କ ନରମ ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି ପିସିସି ସଭାପତି । କହିଛନ୍ତି-ବିଜେଡି-ବିଜେପି ଭିତରେ ରହିଛି ଭିତିରି ସଂପର୍କ । ଏପଟେ ମୋଦିଙ୍କ ସମାଲୋଚନାରେ ବିଜେଡି କହିଛି-କେନ୍ଦ୍ରୀୟ ଅନୁଦାନ ବନ୍ଦ କରିଦେଇଥିବା ମୋଦି ସରକାର, ଗାଁକୁ ଯାଇ ଅସଲ ସ୍ଥିତି ପରଖି ଦେଖନ୍ତୁ । ତେବେ ନିର୍ବାଚନ ବର୍ଷରେ ବିଜେପି-ବିଜେଡି ପ୍ରତିଦ୍ୱନ୍ଦିତା ଶିଖର ଛୁଇଁଥିବାବେଳେ ମୋଦିଙ୍କ ବିଜେଡି ପ୍ରତି ନରମ ଆଭିମୁଖ୍ୟ, ରାଜ୍ୟ ବିଜେପି କର୍ମୀ ଓ ନେତାଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।

Comments are closed.