ପାକିସ୍ତାନକୁ କଡ଼ା ଡୋଜ୍ ! ମୋଦିଙ୍କ ପରେ ଟ୍ରମ୍ପଙ୍କ ସହ କଥା ହେଲେ ଇମ୍ରାନ୍, ଭାରତ ସହ ଶାନ୍ତି ବଜାୟ ରଖିବାକୁ ପରାମର୍ଶ

713

କନକ ବ୍ୟୁରୋ : ପୁଣି ପାକିସ୍ତାନ ନିରାଶ । ବାରମ୍ବାର ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ସଫଳ ହୋଇପାରୁନାହାନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ମୋଦି ସରକାର ଜମ୍ମୁ-କାଶ୍ମୀରରେ ଐତିହାସିକ ପଦକ୍ଷେପ ନେବାପରେ ପାକିସ୍ତାନ ଔଷଧ ରାଗରେ ତାଟଆ କାମୁଡ଼ୁଛି । ଭାରତର ଅନ୍ତରୀଣ ମାମଲାରେ ଅଯଥା ମୁଣ୍ଡ ନଖେଳାଇବା ପାଇଁ ବାରମ୍ବାର ଚେତାବନୀ ସତ୍ୱେ ସୁଧୁରୁନି ପଡ଼ୋଶୀ ଦେଶ । କାଶ୍ମୀର ମୁଦ୍ଦା ନେଇ ବିଶ୍ୱଦରବାରରେ ଗୁହାରୀ କରିଚାଲିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତିଙ୍କ ସହ ଗତକାଲି ଫୋନରେ କଥା ହୋଇଛନ୍ତି । ଉଭୟ ନେତାଙ୍କ ମଧ୍ୟରେ କ୍ଷେତ୍ରିୟ ଶାନ୍ତି ସହ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଫୋନରେ ପାକିସ୍ତାନ ସହ ସଂପର୍କକୁ ନେଇ ନାମ ନନେଇ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ।

ଡୋନାଲ୍ଡ ଟ୍ରମ୍ପଙ୍କ ସହ କ’ଣ କଥା ହେଲେ ମୋଦି ?
୩୦ ମିନିଟରରେ ପ୍ରଧାନମନ୍ତ୍ରୀ ମୋଦି ଓ ଟ୍ରମ୍ପ କ୍ଷେତ୍ରିୟ ଶାନ୍ତି ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଟ୍ରମ୍ପଙ୍କୁ ଫୋନରେ ମୋଦି କହିଛନ୍ତି, କିଛି ନେତାଙ୍କ ଭାରତ ବିରୋଧରେ ହିଂସା ସୃଷ୍ଟିକାରୀ ବୟାନ ଶାନ୍ତି ପ୍ରକ୍ରିୟାରେ ବଡ ବାଧକ । ମୋଦିଙ୍କ ଇସାରା ଇମ୍ରାନଙ୍କ ଆଡକୁ ଥିଲା, ଯିଏ କଶ୍ମୀରରୁ ୩୭୦ ଧାରା ହଟିବା ପରେ ଭାରତ ବିରୋଧରେ ବିଷୋଦଗାର କରିଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଜୋର ଦେଇ କହିଥିଲେ ଆଂଚଳିକ ଶାନ୍ତି ପାଇଁ ଆତଙ୍କ ଓ ହିଂସାମୁକ୍ତ ପରିବେଶ ସୃଷ୍ଟି କରିବା ଜରୁରୀ । ଆଉ ଏହା ସୀମାପାର ଆତଙ୍କବାଦ ଉପରେ ଲଗାମ ନଲଗାଇଲେ ସମ୍ଭବ ନୁହେଁ । ଯଦି କୌଣସି ରାଷ୍ଟ୍ର ଶାନ୍ତିର ଏହି ରାସ୍ତାରେ ଚାଲିବ, ତେବେ ଭାରତ ତାକୁ ସହଯୋଗ କରିବାକୁ ତତ୍ପର ବୋଲି କହିଛନ୍ତି ମୋଦି । ଏହି ଶାନ୍ତି ରାସ୍ତା ଦେଇ ହିଁ ଗରିବି, ନିରକ୍ଷରତା ଓ ରୋଗ ସହ ମୁକାବିଲା କରାଯାଇପାରିବ ।

ମୋଦିଙ୍କ ପରେ ଇମ୍ରାନ ମଧ୍ୟ ଟ୍ରମ୍ପଙ୍କ ସହ କଥା ହେଲେ . . .
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଥିବା ଖବର ପ୍ରଘଟ ପରେ ଟ୍ରମ୍ପ ବି ତାଙ୍କ ସହ କଥା ହୋଇଛନ୍ତି । ଭାରତ ସହ ଶାନ୍ତି ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ଟ୍ରମ୍ପ । ଏହାସହ ଉଭୟ ଦେଶ ମଧ୍ୟରେ ଉତେଜନା କମାଇବାକୁ ଇମ୍ରାନଙ୍କୁ କହିଛନ୍ତି ଟ୍ରମ୍ପ । ସେ କହିଛନ୍ତି, ଉଭୟ ଦେଶ ଯଥାସମ୍ଭବ ଉତେଜନାକୁ ନିୟନ୍ତ୍ରଣ କରିବା ଦରକାର । ଭାରତ ବିରୋଧରେ କୌଣସି ଆକ୍ରଣାତ୍ମକ ଆଭିମୁଖ୍ୟ ଗ୍ରହଣ ନ କରିବାକୁ ଟ୍ରମ୍ପ ଇମ୍ରାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାଛଡା ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବଢାଇବା ନେଇ ବି ଆଲୋଚନା କରିଛନ୍ତି ଇମ୍ରାନ ଓ ଟ୍ରମ୍ପ ।

source : newindianexpress.com

ଜମ୍ମୁକଶ୍ମୀରରୁ ଧାରା ୩୭୦ ହଟିବା ପରେ ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଯାଇଥିଲା ପାକିସ୍ତାନ । ସେହିପରି ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଆଗ୍ରହୀ କହି ଟ୍ରମ୍ପ ନୂଆ ବିବାଦ ସୃଷ୍ଟି କରିଥିଲେ । ତେଣୁ ଏସବୁ ଦୃଷ୍ଟିରୁ ଗତକାଲି ଟ୍ରମ୍ପ ଓ ମୋଦିଙ୍କ ଫୋନରେ ବାର୍ତ୍ତାଳାପ କୁଟନୈତିକ ସ୍ତରରେ ଭାରତକୁ ଫାଇଦା ଦେବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଆମେରିକା ସହ ଆଲୋଚନା କରି ଏ ପ୍ରସଙ୍ଗରେ ହସ୍ତକ୍ଷେପ ଆଶା କରିଥିଲେ ଇମ୍ରାନ୍ ଖାନ୍ । ହେଲେ କୌଣସି ସାହାଯ୍ୟ ନକରି ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।