କଡାକଡି ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ଢାଞ୍ଚା !  ବିନା ଯାଞ୍ଚରେ ମନ୍ତ୍ରୀ ବି ମାଡି ପାରିବେନି ପାଖ ।

51

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଉପରେ ସେତେବେଳେ ପ୍ରଶ୍ନବାଚୀ ଉଙ୍କି ମାରିଥିଲା ଯେତେବେଳେ ମାଓବାଦୀଙ୍କ ଦ୍ୱାରା ତାଙ୍କୁ ଜୀବନରୁ ମାରିବା ପାଇଁ ପ୍ରସ୍ତୁତ କରାଯାଉଥିବା ଯୋଜନା ଉପରୁ ପରଦା ହଟିଲା । ମୋଦିଙ୍କୁ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଭଳି ଷଡଯନ୍ତ୍ର କରି ହତ୍ୟା କରିବା ଭଳି ଏକ ଚିଠି ପୋଲିସ୍ ହାତରେ ଲାଗିବା ପରେ ଗୃହ ମନ୍ତ୍ରାଳୟ ମୁଣ୍ଡରେ ଚେତା ପଶିଲା । ଯାହା ଫଳରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ କଡାକଡି କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି ।

ବର୍ତ୍ତମାନ ମୋଦିଙ୍କ ସୁରକ୍ଷାକୁ ନେଇ ମନ୍ତ୍ରାଳୟ ବେଶ୍ ସକ୍ରିୟ ହୋଇଉଠିଛି । ୨୦୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ସୁରକ୍ଷାକୁ ‘ଅଜ୍ଞାତ ବିପଦ’ ଆସୁଥିବା ଦର୍ଶାଇ ମନ୍ତ୍ରାଳୟ ସବୁ ରାଜ୍ୟକୁ ଲିଖିତ ପ୍ରକ୍ରିୟାରେ ଜଣାଇଛି । ଏମିତି କି ବରିଷ୍ଠ ନେତା ଏବଂ ଅଧିକାରୀ ମଧ୍ୟ ବିନା ଯାଞ୍ଚରେ ଏବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ତ ଦୂରର କଥା ପାଖ ମଧ୍ୟ ମାଡି ପାରିବେ ନାହିଁ ।

ନିକଟରେ ଗୃହମନ୍ତ୍ରୀ ରାଜନାଥ୍ ସିଂହ କହିଥିଲେ ଯେ, ମନ୍ତ୍ରାଳୟ ପକ୍ଷରୁ ଏକ ସମିତି ପ୍ରସ୍ତୁତ କରାଯାଇଛି ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ସମିତି ରିଭ୍ୟୁ ପ୍ରଦାନ କରିବ । ସୁଚନା ଅନୁସାରେ ସୁରକ୍ଷା ଏଜେନ୍ସି ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ସତର୍କ କରାଯାଇଛି ଯେ ସେ ଯେତେ ପାରୁଛନ୍ତି କମ୍ ରୋଡ୍ ଶୋ’ କରନ୍ତୁ । ମୋଦି ଯେ ଭଳି ଜନତାଙ୍କ ମଧ୍ୟକୁ ବିନା ସୁରକ୍ଷାରେ ଚାଲି ଯାଉଛନ୍ତି ଏହାକୁ ନେଇ ମଧ୍ୟ ସୁରକ୍ଷା ଏଜେନ୍ସି ନାକେଦମ୍ ହୋଇ ରହିଛି । ତେବେ ବର୍ତ୍ତମାନ ଯଦି କୌଣସି ନେତା କିମ୍ବା ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବାକୁ ଇଚ୍ଛା ପ୍ରକଟ କରନ୍ତି ତେବେ ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍(ଏସପିଜି) ସୁରକ୍ଷାକର୍ତ୍ତା ସେମାନଙ୍କ ଯାଞ୍ଚ୍ କରିବେ ।