ମୋଦିଙ୍କ ଗରିବ ଓଡ଼ିଶା ମନ୍ତବ୍ୟ ନେଇ ଝଡ ! ବିଧାନସଭାରେ କଂଗ୍ରେସ ଓ ବିଜେଡିର ହଟ୍ଟଗୋଳ

77

କନକ ବ୍ୟୁରୋ : ଗରିବ ଓଡିଶା, ଦରିଦ୍ର ଓଡିଶା । ଦେଶରେ ଅନାହାର ଓ ଅଶିକ୍ଷିତର ସବୁଠାରୁ ବଡ ଉଦାହରଣ । ୟୁପି ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ସାରା ଓଡିଶାରେ ସୃଷ୍ଟି ହୋଇଛି ଝଡ ।

ରାଜ୍ୟରେ ରାଜନୈତିକ ହଟଚମଟ । ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଗରିବ ଓଡିଶାର ଭୂଗୋଳକୁ ନେଇ ବିଧାନସଭାରେ ତୁମ୍ବିତୋଫାନ । ବିରୋଧୀ କଂଗ୍ରେସ କହିଛି, ମୋଦି କରୁଛନ୍ତି ଗରିବିର ବେପାର । ସେପଟେ ପଂଚାୟତ ଛାଟ ଖାଇଥିବା ଶାସକ ବିଜେଡିକୁ ମିଳିଯାଇଛି ମୌକା । ଦଳ କହିଛି, ମୋଦିଙ୍କ ମତ ଓଡିଶାବାସୀଙ୍କ ସ୍ୱାଭିମାନ ପ୍ରତି ଆଂଚ୍ ଆଣିଛି । ହେଲେ ଗୃହରେ ମୋଦିଙ୍କ ସମର୍ଥନରେ ବାହାରିଛନ୍ତି ବିଜେପି ବିଧାୟକ ।

ୟୁପିରେ ବିଜେପି ପାଇଁ ଭୋଟ୍ ମାଗିବାକୁ ଯାଇ ଲୋକଙ୍କ ଆଗରେ ମୋଦି ରଖିଥିଲେ ଓଡିଶାର ଦାରିଦ୍ର୍ୟର ଚିତ୍ର । ଉଦାହରଣ ଦେଇଥିଲେ ଗରିବ, ଅନାହାର ଓ ଅଶିକ୍ଷିତ ଓଡିଶାର । ପଂଚାୟତ ଫଳାଫଳରେ ମୋଦି ଏତେ ବିଭୋର ହୋଇଗଲେ ଯେ, ଓଡିଶା ଏବଂ ଓଡିଶାବାସୀଙ୍କ ପ୍ରତି ବାରମ୍ବାର ଗରିବିର ଉପହାସ କରିଚାଲିଥିଲେ ।

ଦେଖନ୍ତୁ କଣ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି :


ପଂଚାୟତ ନିର୍ବାଚନରେ ୧୭ ବର୍ଷର ବିଜେଡି ସରକାରକୁ କଡା ଟକ୍କର ଦେଇଛି ବିଜେପି । କଂଗ୍ରେସକୁ ପଛରେ ପକାଇ ଦଳ ପହଁଚିଛି ଦ୍ୱିତୀୟ ସ୍ଥାନରେ । ଭୋଟ୍ ପ୍ରତିଶତ ବି ଆଶାତୀତ ବଢିଛି । ଯାହା ସ୍ପଷ୍ଟ କରୁଛି ଓଡିଶା ବିଜେପିକୁ ଗ୍ରହଣ କରିଛି । ଏଭଳି ସ୍ଥିତିରେ ଓଡିଶାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବେପରୁଆ ମନ୍ତବ୍ୟ ବିଜେପିକୁ କାଠଗଢାକୁ ଟାଣିଛି ।

ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମତର ସମର୍ଥନରେ ଯୁକ୍ତି ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ । ନଗଡା ଓ ଦାନ ମାଝୀ ପ୍ରସଙ୍ଗ ଏହାର ଉଦାହରଣ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ରଘୁରାମ ରାଜନ କମିଟିର ରିପୋର୍ଟର ଉଦାହରଣ ଦେଇ ଧର୍ମେନ୍ଦ୍ର କହିଛନ୍ତି, ଶାସକ ଦଳର ସଭ୍ୟ ଏହି ରିପୋର୍ଟକୁ ପଢି ଓଡିଶା ଗରିବ ନା ନାହିଁ ତାର ସମୀକ୍ଷା କରନ୍ତୁ ।