ବୈଶାଖୀ ତାତିଠୁ ବଳିଲା ବିଜେପି ତାତି ! ମୋଦିମୟ ହେଲା ଭୁବନେଶ୍ୱର

25

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିବା ପରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିିଆ ଜାତୀୟ କାର୍ଯ୍ୟକାରିଣୀ । ଦଳର ସବୁ ତୁଙ୍ଗ ନେତା ଓ ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପି କରୁଛି ମାନସ ମନ୍ଥନ । ତେବେ ପ୍ରଧାନମନ୍ତ୍ରୀ ଓଡିଶାରେ ପହଂଚିବା ପରେ ଆକର୍ଷଣ ପାଲଟିଥିଲା ତାଙ୍କ ରୋଡ୍ ଶୋ । ବାରଣାସୀରୁ ଭୁବନେଶ୍ୱର । ଓଡିଶାରେ ଦେଖିବାକୁ ମିଳିଲା ମୋଦିଙ୍କ ବାରଣାସୀ ଷ୍ଟାଇଲ । ୟୁପି ଶେଷ ପର୍ଯ୍ୟାୟ ଭୋଟରେ ଶକ୍ତି ପ୍ରଦର୍ଶନ କରିଥିଲେ ବିଜେପିର ପୋଷ୍ଟର ବଏ ।  ଓଡିଶାରେ ସମାନ ଢଙ୍ଗରେ କରିଛନ୍ତି ରୋଡ୍ ଶୋ । ବାରଣାସୀରେ ଜନସମୁଦ୍ର ପାଳଟିଥିଲା ରାସ୍ତା । ଭୁବନେଶ୍ୱରରେ ମଧ୍ୟ ବିମାନବନ୍ଦରରୁ ଜନତା ମଇଦାନ ଯାଏଁ ଲାଗିଲା ଲୋକଙ୍କ ଗହଳି ।

ଗାଡିରୁ ବାହାରି ଲୋକଙ୍କ ଉଦ୍ଦେଶ୍ୟରେ ହାତ ହଲାଇ ଚାଲିଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ପାଇଁ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଆୟୋଜକ ମାନ କରାଯାଇଥିଲା । ପୁରା ଦୃଶ୍ୟକୁ ଦେଖି ଲାଗୁଥିଲା, ଯେମିତି ଓଡିଶାରେ କ୍ଷମତା ଦଖଲର ମୂଳଦୁଆ ପକାଇବାକୁ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଛି ବିଜେପି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଓଡିଶାବାସୀଙ୍କ ଭିତରେ ଲାଗିରହିଥିଲା ଉକଣ୍ଠା । ଆଉ ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୩ଟା ୩୦ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିଥିଲା ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ । ସମସ୍ତେ ଚାହିଁ ରହିଥିଲେ କେତେବେଳେ ବିମାନରୁ ବାହାରିବେ ପ୍ରଧାନମନ୍ତ୍ରୀ । ଆଉ ମୋଦି ବିମାନରୁ ଓହ୍ଲାଇବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ ବିମାନରେ ଥିବା ସୁରକ୍ଷାକର୍ମୀ ।

ଏହାପରେ ବିମାନରୁ ଓହ୍ଲାଇ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତାଙ୍କୁ ସ୍ୱାଗତ କରିବା ପାଇଁ ଜଗି ରହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ସମେତ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ଦଳର ଅନ୍ୟ ତୁଙ୍ଗ ନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉତରୀୟ ଓ ଫୁଲତୋଡା ଦେଇ ପାଛୋଟି ଆଣିଥିଲେ । ମୋଦିଙ୍କୁ ସ୍ୱାଗତ ପାଇଁ ବି ଉପସ୍ଥିତ ଥିଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ।

ଏହାପରେ କଡା ସୁରକ୍ଷା ପହରା ମଧ୍ୟରେ ବିମାନ ବନ୍ଦରରୁ ଏକ ସ୍ୱତନ୍ତ୍ର ଗାଡିରେ ବାହାରି ଆସିଥିଲେ ପ୍ରଧାନମନ୍ତ୍ରୀ । ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ପାଇଁ ବିମାନବନ୍ଦର ବାହାରେ ସ୍ୱତନ୍ତ୍ର ମଂଚର ଆୟୋଜନ କରିଥିଲା ରାଜ୍ୟ ବିଜେପି । ଯେଉଁଠି ପ୍ରଧାନମନ୍ତ୍ରୀଙ୍କୁ ଫୁଲମାଳ ପକାଇ ସ୍ୱାଗତ କରିଥିଲେ ରାଜ୍ୟ ବିଜେପି ନେତାଏ । ଆଉ ଚିରାଚରିତ ଢଙ୍ଗରେ ଲୋକଙ୍କ ଆଡକୁ ଦେଖି ହାତ ହଲାଇ ଚାଲିଥିଲେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ।

ଏପରିକି ସୁରକ୍ଷା ବଳୟକୁ ଭେଦ କରି ଲୋକଙ୍କ ପାଖକୁ ଚାଲିଆସିଥିଲେ । ମୋଦିଙ୍କ ଗୋଟିଏ ଝଲକ ପାଇବାକୁ ଚାହିଁରହିଥିଲେ ହଜାର ହଜାର ଲୋକ ଓ ଦଳର କର୍ମୀ । ସ୍ୱାଗତ ସମ୍ବର୍ଦ୍ଧନା ପର୍ବ ଶେଷ ହେବା ପରେ ପୁଣି ରାଜଭବନ ଅଭିମୁଖେ ବାହାରିଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ । ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ ରାସ୍ତାକଡରେ ବାରିକେଡ କରାଯାଇଥିଲା । ଆଉ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାକଡରେ ଲାଗିରହିଥିଲା ଲୋକଙ୍କ ଗହଳି । ରାଜଭବନ ମୁଖ୍ୟ ଫାଟକ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରିଥିଲେ ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା ।

ରାଜଭବନରେ ଅଧଘଂଟାର ରହଣୀ ପରେ ପୁଣି ଜନତା ମଇଦାନରେ ଆୟୋଜିତ ଜାତୀୟ କାର୍ଯ୍ୟକାରିଣୀ ଅଭିମୁଖେ ବାହାରିଥିଲେ ମୋଦି । ତେବେ ଜୟଦେବ ବିହାର ଛକରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଜଗି ରହିଥିଲେ ଆଦିବାସୀ ଛାତ୍ରଛାତ୍ରୀ । ଏଠାରେ କିଛି ମୁହୂର୍ତ ଅଟକି ଯାଇଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ । ଆଉ ଶେଷରେ ଜନତା ମଇଦାନରେ ଅପରାହ୍ନ ପ୍ରାୟ ୫ଟାରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଯେଉଁଠି ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଚାଲିଥିବା ବିଜେପି ଜାତୀୟ କାର୍ଯ୍ୟାକାରିଣୀ ବୈଠକରେ ସାମିଲ ହେବେ ମୋଦି । ଓଡିଶାକୁ ଗରିବଙ୍କ ପ୍ରୟୋଗଶାଳା କରିଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଜାତୀୟ କାର୍ଯ୍ୟକାରିଣୀରେ ଓଡିଶାରେ ଦଳକୁ ସଂଗଠିତ କରି ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଗୁରୁମନ୍ତ୍ରଣା ଦେବେ ମୋଦି