ରାଫେଲ୍ ମାମଲାରେ କ୍ଲିନଚିଟ୍ ମିଳିବା ପରେ ବିଜେପି ସକ୍ରିୟ ! ରାଏବରେଲିରେ କଂଗ୍ରେସକୁ ଘେରିବେ ମୋଦି

123

କନକ ବ୍ୟୁରୋ : ଫ୍ରାନ୍ସ ସହ ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ। ଆଇନକାନୁନ ପରିଧି ମଧ୍ୟରେ ରହି ମୋଦୀ ସରକାର ଫ୍ରାନ୍ସ ସରକାରଙ୍କ ସହିତ ଚୁକ୍ତି କରିଛନ୍ତି। ବାୟୁସେନାର ଆବଶ୍ୟକତାକୁ ଦେଖି ସରକାର ୩୬ ଅତ୍ୟାଧୁନିକ ବିମାନ କ୍ରୟ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଉପରେ କୌଣସି ସନ୍ଦେହ ଉପୁଜୁନାହିଁ । ତେଣୁ ଏହା ଉପରେ କୌଣସି ତଦନ୍ତର ଆବଶ୍ୟକତା ନାହିଁ । ସରକାର ଓ ବିରୋଧୀ ମଧ୍ୟରେ ବିବାଦର ପାହାଡ଼ ଠିଆ କରିଥିବା ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାରେ ଚୂଡ଼ାନ୍ତ ରାୟ ଶୁଣାଇବା ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏଭଳି କହିଛନ୍ତି । ସୁପ୍ରିମ୍ କୋର୍ଟଙ୍କ ଏହି ରାୟ ଦ୍ବାରା କଂଗ୍ରେସ ଓ ଅନ୍ୟ ତମାମ ବିରୋଧୀ ଦଳଗୁଡ଼ିକର ଟାର୍ଗେଟରେ ରହିଆସୁଥିବା ମୋଦୀ ସରକାରଙ୍କ ସଂକଟ ଟଳିଯାଇଛି  । ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ମୋଦୀ ସରକାରଙ୍କୁ ଆଶ୍ବସ୍ତି ମିଳିଛି ।

ରାଫେଲ୍ ଚୁକ୍ତି ମାମଲାରେ ସୁପ୍ରିମ୍ କୋର୍ଟରୁ କ୍ଲିନଚିଟ୍ ମିଳିବା ପରେ ବିଜେପି ଏବେ ଅଧିକ ସକ୍ରିୟ ହୋଇଉଠିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ପୂର୍ବ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ରାଜନୈତିକ ଗଡ଼ ରାଏବରେଲି ଗସ୍ତ କରି ୧୧୦୦ କୋଟି ଟଙ୍କାର ଯୋଜନାକୁ ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି । ରାଜ୍ୟରେ ବିଜେପି ରାଫେଲ୍ ପ୍ରସଙ୍ଗରେ କଂଗ୍ରେସକୁ ଘେରିବା ପାଇଁ ମଧ୍ୟ ସଜବାଜ ହେଉଛି । ରାଏବରେଲିରେ ପ୍ରଧାନମନ୍ତ୍ରୀଙ୍କ ଏକ ବିଶାଳ ଜନସମାବେଶ କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ସୋନିଆ ରାଏବରେଲିରୁ ନିର୍ବାଚିତ ହୋଇଥିଲେ ।