ଲାଲ୍ କିଲ୍ଲାରେ ସ୍କୁଲ ପିଲାଙ୍କ ଗହଣରେ ମୋଦି : ପ୍ରଧାନମନ୍ତ୍ରୀଙ୍କୁ ଛୁଇଁବାକୁ ଲାଗିଲା ପିଲାଙ୍କ ମଧ୍ୟରେ ଠେଲାପେଲା

35

କନକ ବ୍ୟୁରୋ : ଲାଲ୍ କିଲ୍ଲାରେ ପତାକା ଉତ୍ତୋଳନ ଏବଂ ଅଭିଭାଷଣ ପରେ ଫେରିବା ବେଳେ ଏହି ଉତ୍ସବରେ ସାମିଲ ହୋଇଥିବା ସ୍କୁଲ ପିଲାଙ୍କ ପାଖରେ ପହଂଚିଥିଲେ ମୋଦି । ନିଜ ଗାଡିରୁ ଓହ୍ଲାଇ ପିଲାଙ୍କ ପାଖକୁ ଯାଇଥିଲେ, ଧିରେ ଧିରେ ପିଲାଙ୍କ ଭିଡ ଭିତରକୁ ପଶିଗଲେ ପ୍ରଧାନମନ୍ତ୍ରୀ । ପଛରେ ରହିଗଲେ ତାଙ୍କ ସୁରକ୍ଷାକର୍ମୀ । ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ପିଲାଙ୍କ ଖୁସିର ବି ସୀମା ରହିଲା ନାହିଁ ।

ପ୍ରଧାନମନ୍ତ୍ରୀଙ୍କ ହାତଟିକିଏ ଛୁଇଁ ଦେବାକୁ ଲାଗି ଗଲା ଠେଲାପେଲା । ଏପରିକି ଗୋଟିଏ ସମୟରେ ପିଲାଙ୍କ ଭିଡର ଧକ୍କାରେ ମୋଦି ମଧ୍ୟ ପଡିଯିବା ପରି ଅବସ୍ଥାର ସମ୍ମୁଖୀନ ହୋଇଥିଲେ । ନିଜକୁ ନିଜେ ସେ ସମ୍ଭାଳି ନେଇଥିଲେ । ଏ ଅବସ୍ଥା ଦେଖି ସୁରକ୍ଷାକର୍ମୀ ବି ଛାନିଆ । ପିଲାଙ୍କୁ ମୋଦିଙ୍କ ପାଖରୁ ଅଲଗା କରିବା ପାଇଁ ଆରମ୍ଭ କରିଦେଲେ କସରତ । ଏନସିସି କ୍ୟାଡେଡ୍ ମାନେ ବି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦୌଡି ଆସିଲେ । ନିଜ ନିଜ ଭିତରେ ଧକ୍କା ହୋଇ ତଳେ ପଡିଯିବା ବି ଦେଖିବାକୁ ମିଳିଥିଲା ।

ଏହି ଠେଲାପେଲା ଭିତରେ ମୋଦି ସୁରକ୍ଷାକର୍ମୀଙ୍କ ସହ ମଧ୍ୟ କିଛି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ସୁରକ୍ଷାକର୍ମୀମାନେ ବେଶ୍ କଷ୍ଟକରି ସୁରକ୍ଷା ବଳୟ ସୃଷ୍ଟି କରିଥିଲେ । ତାହାରି ଭିତରେ ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ଟିକିଏ ଛୁଇଁଦେବାକୁ ଉଦ୍ୟମ କରିଥିଲେ । ଶେଷରେ ସାମ୍ନା ଧାଡିରେ ଥିବା ଗୋପାଳବେଶର ପିଲାଙ୍କ ସହ ଫଟୋ ଉଠାଇଥିଲେ ମୋଦି । ଏଥିପାଇଁ ମଧ୍ୟ ପିଲାଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା, ତେଣୁ ସେଠାରେ ବି ପିଲାଙ୍କ ଭିଡ ଦେଖିବାକୁ ମିଳିଥିଲା ।