ସୁଧୁରୁନି ପାକିସ୍ତାନ : ପ୍ରଥମେ ପୁଲୱାମା ଆଉ ଏବେ ଅନନ୍ତନାଗ ଆକ୍ରମଣ, ୧୧ ମାସରେ ୪ ବଡ଼ ଆତଙ୍କବାଦୀ ଆକ୍ରମଣ

589

କନକ ବ୍ୟୁରୋ : ସମ୍ପର୍କ ସୁଧାରିବା ନାଁରେ ଭାରତ ସହ ବିଶ୍ୱାସଘାତକତା କରୁଛି ପାକିସ୍ତାନ । ବନ୍ଧୁତାର ହାତ ବଢ଼ାଇ ପଛପଟୁ ଆକ୍ରମଣ କରୁଛି । ଭାରତରେ ଆତଙ୍କବାଦୀ ଆମ୍ରକଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶର ବୀରପୁତ୍ର ମାନେ ଅକାରଣେ ଜୀବନ ହାରୁଛନ୍ତି । ପୁଲୱାମା ପରେ ଅନନ୍ତନାଗରେ ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହେବା ସହ ୩ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଜମ୍ମୁ-କାଶ୍ମୀରରେ ୨୦୧୪ରୁ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ୧୨୧୩ ଟି ଆତଙ୍କବାଦୀ ଘଟଣା ଘଟିଛି । ୧୮୩ ଜଣ ସାଧାରଣ ଲୋକ ଓ ୮୩୮ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ଦେଶର ଅନ୍ୟ ସ୍ଥାନରେ କେବଳ ୬ ଆତଙ୍କବାଦୀ ଘଟଣା ଘଟିଛି । ଆତଙ୍କବାଦୀ ଆକ୍ରମଣରେ ୧୯୮ ଜଣ ଯବାନ ସହିଦ ହୋଇଛନ୍ତି । ଲୋକସଭାରେ ଉପସ୍ଥାପନ ହୋଇଥିବା ଦସ୍ତାବିଜ ଏହାର ପ୍ରମାଣ ଦେଉଛି ।

ଗତ ବର୍ଷ ପାକିସ୍ତାନରେ ନିର୍ବାଚନ ହୋଇଥିଲା । ଅଗଷ୍ଟ ମାସରେ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ହେଲେ । ସୀମାରେ ଆତଙ୍କବାଦୀ ଗତିବିଧି ଉପରେ ଲଗାମ ଲଗାଇବେ ବୋଲି ଫମ୍ପା ପ୍ରତିଶ୍ରୁତି ଦେଲେ ଇମ୍ରାନ୍ ଖାନ୍ । ହେଲେ କାର୍ଯ୍ୟାନୁଷ୍ଠାନ ସମୟରେ ଫଳ ଶୂନ । ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାପରେ ଅଭନନ୍ଦନ ମଧ୍ୟ ଜଣାଇଲେ । ହେଲେ ଇମ୍ରାନ ଖାନଙ୍କ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଓ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ମଧ୍ୟରେ ମାତ୍ର ୧୧ ମାସରେ କେବଳ ଜମ୍ମୁ-କାଶ୍ମୀରରେ ୪ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି ।

୨୦୧୯ ଫେବୃୟାରୀ ୧୪ରେ ଜମ୍ମୁ-କାଶ୍ମୀର ପୁଲୱାମାରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ସିଆରପିଏଫ୍ ଗାଡ଼ି ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ପ୍ରାୟ ୪୬ ଜଣ ଯବାନ ସହିଦ ହୋଇଥିଲେ । ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ପାକସ୍ତାନରେ ପଶି ଏୟାରଷ୍ଟ୍ରାଇକ୍ କରିଥିଲା । ଜୈଶର ଆତଙ୍କବାଦୀ ଠିକଣାରେ ଧ୍ୱଂସ କରିଦେଇଥିଲା ଭାରତ । ବିଗତ ୩ ବର୍ଷରେ ପାକିସ୍ତାନ ଜମ୍ମୁ-କାଶ୍ମୀରରେ ୪୨୮୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଆଉ ଏଥିରେ ପ୍ରାୟ ୭୦ ଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟପଟେ ୨୫୬ ଜଣ ଯବାନ ଓ ୩୭୩ ଯବାନ ଆହତ ହୋଇଛନ୍ତି । ଜମ୍ମୁ-କାଶ୍ମୀର ସୀମାରେ ପାକିସ୍ତାନ ପକ୍ଷରୁ ୭୪ ଥର ଅନ୍ରୁପ୍ରବେଶ ଉଦ୍ୟମ ହୋଇଛି । ଭାରତୀୟ ସେନା ପାକିସ୍ତାନର ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିଛନ୍ତି ।

ମୁହଁରେ ମିଠା କଥା କହିଲେ ମଧ୍ୟ ପଛରୁ ଛୁରି ମାରୁଛି ପାକିସ୍ତାନ । ବନ୍ଧୁତାର ଆଳ ଦେଖାଇ ଭୟଙ୍କର ଷଡ଼ଯନ୍ତ୍ର ରଚୁଛି । ଗୋଟିଏ ପଟେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ନିଜ ଦେଶ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରୁଛି । ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଉଦ୍ୟମ ହେଉଥିବା ବେଳେ ପାକିସ୍ତାନ ସୁଧୁରିବାର ନା ନେଉନି ।