ଲୌହ ମାନବଙ୍କ ବିଶାଳକାୟ ପ୍ରତିମୂର୍ତ୍ତି । ପଛରେ ପଡିଲା ଆମେରିକାର ‘ଷ୍ଟାଚ୍ୟୁ ଅଫ ଲିବର୍ଟି’

ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତାଠାରୁ ଏହା ଦ୍ବିଗୁଣ ହେବ।

96

କନକ ବ୍ୟୁରୋ: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ବିଶ୍ବର ସବୁଠାରୁ ବିଶାଳକାୟ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଆଜି ଲୋକାର୍ପିତ ହେବ। ଗୁଜରାଟର ନର୍ମଦା ନଦୀ କୂଳରେ ନିର୍ମିତ ଏହି ୧୮୨ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଉଦଘାଟନ ହେବା ପରେ ଏହା ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତିରେ ପରିଗଣିତ ହେବ। ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତାଠାରୁ ଏହା ଦ୍ବିଗୁଣ ହେବ।

୧୯୪୭ରେ ଦେଶ ସ୍ୱାଧୀନତା ପରେ ବିଭିନ୍ନ ପ୍ରଦେଶରେ ରାଜାମାନେ ନିଜକୁ ସ୍ୱାଧୀନ ଦେଶ ଘୋଷଣା କରିଦେଇଥିଲେ । ଆଉ ୫୬୨ ଖଣ୍ଡରେ ବିଭାଜିତ ଭାରତକୁ ଏକାଠି କରି ଅଖଣ୍ଡ ଭାରତ ଗଠନ କରିବା ଥିଲା ସବୁଠାରୁ ବଡ ଚ୍ୟାଲେଞ୍ଜ । ସ୍ୱାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦ୍ୟମରେ ସମ୍ଭବ ହେଲା ଏହି ଜଟିଳ ପ୍ରକ୍ରିୟା । ଯେଉଁଥିପାଇଁ ୧୯୪୭ରେ ଟାଇମ ମାଗାଜିନ୍ ତାଙ୍କୁ ଦି ବସ୍ ବୋଲି ବର୍ଣ୍ଣନା କରିଥିଲା । ତେଣୁ ତାଙ୍କ ସ୍ମୃତି ଓ ସମ୍ମାନରେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିର୍ମାଣ କରାଯାଇଛି ।

କଣ ରହିଛି ଷ୍ଟାଚ୍ୟୁ ଅଫ ୟୁନିଟିର ବିଶେଷତ୍ୱ

ଷ୍ଟାଚ୍ୟୁ ଅଫ ୟୁନିଟି ହେଉଚି ବିଶ୍ୱର ଉଚ୍ଚତମ ମୂର୍ତ୍ତି । କିନ୍ତୁ ଆପଣ ଜାଣିଛନ୍ତି ଏହାକୁ ତିଆରି କରିବାକୁ କେତେବର୍ଷ ଲାଗିଥିଲା ଓ କିଭଳି ତିଆରି ହେଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମାକୁ ତିଆରି କରିବା ଲାଗି ୪୪ ମାସ ଲାଗିଛି । ମୂର୍ତ୍ତିକୁ ତିଆରି କରିବା ଲାଗି ୮ ଶହ ସ୍ଥାନୀୟ ଓ ୨ ଶହ ଚୀନରୁ ଆସିଥିବା କାରିଗର ଲାଗିଥିଲେ ।

କୁହାଯାଉଛି ଏହି ମୂର୍ତିକୁ ତିଆରି କରିବା ଲାଗି ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିମଧ୍ୟରୁ ୨ ହଜାର ୩୩୨ କୋଟି ମୂର୍ତି ନିର୍ମାଣ ପାଇଁ ଖର୍ଚ ହୋଇଥିବାବେଳେ ଅନ୍ୟ ୬ ଶହ କୋଟି ୧୫ ବର୍ଷ ଯାଏଁ ଦେଖାଶୁଣା କରିବା ପାଇଁ ରହିଛି । ମୂର୍ତି ନିର୍ମାଣ ଲାଗି ନିର୍ଦ୍ଦାରିତ ସମୟରେ କାମ କରିବାକୁ ୪ ହଜାରରୁ ଅଧିକ ଶ୍ରମିକ ଦୁଇଟି ସିଫଟରେ କାମ କରିଛନ୍ତି । ରେକର୍ଡ ସମୟ ୪୪ ମାସରେ ଷ୍ଟାଚ୍ୟୁ ଅଫ ୟୁନିଟି ତିଆରି କରାଯାଇଛି ।

ଆମେରିକାର ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣ ପାଇଁ ୫ ବର୍ଷ ଲାଗିଥିଲା । ମୂର୍ତି ନିର୍ମାଣରେ ୪ଟି ଧାତୁ ବ୍ୟବହାର କରାଯାଇଛି । ମୂର୍ତିରେ ଏଭଳି ଧାତୁର ଉପଯୋଗ କରାଯାଇଛି, ଯେଉଁଥିରେ କଳଙ୍କି ଲାଗିବ ନାହିଁ । ମୂର୍ତିରେ ୮୫ ପ୍ରତିଶତ ତମ୍ବାର ବ୍ୟବହାର ହୋଇଛି । ଏହାସହ ଦୁଇହଜାର ମେଟ୍ରିକ ଟନ୍ ବ୍ରୋଞ୍ଜ, ୫ ହଜାର ୭ ଶହ ମେଟ୍ରିକ ଟନ୍ ଷ୍ଟ୍ରକଚରାଲ ଷ୍ଟିଲ ବ୍ୟବହାର ହୋଇଛି ।

ଏହାଛଡା ୨୨ ହଜାର ୫ ଶହ ମିଲିୟନ ଟନ୍ ସିମେଂଟ ବି ବ୍ୟବହାର କରାଯାଇଛି ମୂର୍ତି ନିର୍ମାଣରେ । ଷ୍ଟାଚ୍ୟୁ ଅଫ ୟୁନିଟିରୁ ଆପଣ ସର୍ଦ୍ଦାର ସରୋବର ବନ୍ଦର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଏହାର ଶିଳାନ୍ୟାସ ୨୦୧୩ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ । ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ।

୬.୫ ତୀବ୍ରତାର ଭୂମିକମ୍ପକୁ ସହ୍ୟ କରିପାରିବ ପଟେଲଙ୍କ ଏହି ପ୍ରତିମୂର୍ତି । ଘଂଟା ପ୍ରତି ୧୮୦ କିଲୋମିଟର ବେଗରେ ପବନ ବହିଲେ ବି କିଛି କ୍ଷତି ହେବନାହିଁ । ୬ ଲକ୍ଷ ଗାଁରୁ ପୁରୁଣା କୃଷି ଉପକରଣରୁ ସଂଗୃହିତ ଲୁହାରୁ ଏହାର ନିର୍ମାଣ ହୋଇଛି । ପ୍ରତିମାର ୧୫୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢିପାରିବେ ପର୍ଯ୍ୟଟକ । ଦୀର୍ଘ ୧୨ କଲୋମିଟର ଦୂରରୁ ଦେଖାଯିବ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତି ।