ନିଜ ରେକର୍ଡ ନିଜେ ଭାଙ୍ଗିଲେ ମୋଦି ! ସଂସଦରେ ଦେଲେ ୧୦୦ ମିନିଟର ଲମ୍ବା ଭାଷଣ, ଜାଣନ୍ତୁ ସବୁଠୁ ଲମ୍ବା ଭାଷଣ ଦେଇଥିଲେ କିଏ ?

448

ନିଜ ରେକର୍ଡ ନିଜେ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ସଂସଦରେ ମୋଦି ଲମ୍ବା ଭାଷଣ ଦେଇ ନିଜ ରେକର୍ଡ ଭାଙ୍ଗିଛନ୍ତି । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ୧ ଘଣ୍ଟା ୪୦ ମିନିଟର ଲମ୍ବା ଭାଷଣ ଦେଇଛନ୍ତି ମୋଦି । ଏହା ପୂର୍ବରୁ ଗତବର୍ଷ ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ୧ ଘଣ୍ଟା ୩୧ ମିନିଟର ଭାଷଣ ଦେଇଥିଲେ ମୋଦି ।

ସଂସଦରେ କିଏ କେତେ ସମୟ ଭାଷଣ ଦେଇଥିଲେ :
ଅଟଳ ବିହାରୀ ବାଜପେୟୀ : ଜଣେ ଉଚ୍ଚକୋଟୀର ବ୍ୟକ୍ତା ଭାବେ ଜଣାଶୁଣା ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ଅଟଳ ବିହାରୀ ବାଜପେୟୀ ୨୭ ମେ ୧୯୯୬ରେ ୧ ଘଣ୍ଟା ୩୦ ମିନିଟର ଭାଷଣ ଦେଇଥିଲେ ।  ୧୩ ଦିନ ଚାଲିଥିବା ବାଜପେୟୀଙ୍କ ସରକାର ଉପରେ ଅବିଶ୍ୱାସ ପ୍ରସ୍ତାବ ଆସିବା ପରେ ଗୃହରେ ନିଜର ଅଭିଭାଷଣ ରଖିଥିଲେ । ପ୍ରାୟ ୯୦ ମିନିଟ ଧରି ଭାଷଣ ଦେବା ପରେ ରାଷ୍ଟ୍ରପତିଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ ବାଜପେୟୀ । ଆଉ ବାଜପେୟୀଙ୍କ ଏହି ଭାଷଣ ଏବେ ମଧ୍ୟ ଲୋକଙ୍କୁ ବେଶ ପସନ୍ଦ ଆସିଥାଏ ।

ସୁଷମା ସ୍ୱରାଜ : ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରା ୩ ଅଗଷ୍ଟ ୨୦୧୭ରେ ପାକିସ୍ତାନ, ଚୀନ୍ ଓ ଆମେରିକା ସହ ଭାରତର ସମ୍ବନ୍ଧକୁ ନେଇ ୫୦ ମିନିଟ ଗୃହରେ ଭାଷଣ ଦେଇଥିଲେ ।

ଗୁଲାମ ନବୀ ଆଜାଦ : ୫ ଫେବ୍ରୁଆରୀ ୨୦୧୮ରେ ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ କଂଗ୍ରେସର ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ରାଜ୍ୟସଭାରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଭାଷଣ ଦେଇଥିଲେ ।

ଅମିତ ଶାହା : ରାଜ୍ୟସଭା ସାଂସଦ ନିର୍ବାଚିତ ହେବା ପରେ ନିଜର ପ୍ରଥମ ଭାଷଣରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏକ ଘଣ୍ଟା ୨୦ ମିନିଟ୍ ଭାଷଣ ଦେଇଥିଲେ ।

ମଲ୍ଲିକାର୍ଜୁନେ ଖଡଗେ : ୨୬ ନଭେମ୍ବର ୨୦୧୫ରେ ସମ୍ବିଧାନ ଦିବସ ଅବସରରେ ବିରୋଧୀ ଦଳ ନେତା ୪୦ ମିନିଟ ଧରି ଭାଷଣ ଦେଇଥିଲେ ।
ସବୁଠୁ ଲମ୍ବା ବଜେଟ ଭାଷଣ :
ଯଶୱନ୍ତ ସିଂ : ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିଂ ୨୦୦୩ରେ ୨ ଘଣ୍ଟା ୧୩ ମିନିଟର ଭାଷଣ ଦେଇଥିଲେ ।

ଅରୁଣ ଜେଟଲୀ : ୨୦୧୪ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ ଉପସ୍ଥାପନ କରିବା ସମୟରେ ୨ ଘଣ୍ଟା ୧୦ ମିନିଟର ଭାଷଣ ଦେଇଥିଲେ । ସେହିଭଳି ୨୦୧୮ରେ ମଧ୍ୟ ଜେଟଲୀ ବଜେଟ ଉପସ୍ଥାପନା କରିବା ସହ ୧ ଘଣ୍ଟା ୪୫ ମିନିଟର ଲମ୍ବା ଭାଷଣ ଦେଇଥିଲେ ।
ମନମୋହନ ସିଂ : ୧୯୯୧ରେ ପୂର୍ବତନ ଅର୍ଥମନ୍ତ୍ରୀ ୨ ଘଣ୍ଟା ବଜେଟ ଅଭିଭାଷଣ ରଖିଥିଲେ ।

ପ୍ରଣବ ମୁର୍ଖାଜୀ : ୧୯୮୨ରେ ପ୍ରଣବ ମୁର୍ଖାଜୀ ବଜେଟ ଉପସ୍ଥାପନ କରିବା ସହ ୧ ଘଣ୍ଟା ୩୫ ମିନିଟର ଲମ୍ବା ଭାଷଣ ଦେଇଥିଲେ ।