୬୮ ବର୍ଷରେ ପାଦ ଦେଲେ ମୋଦି । ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଛୁଟୁଛି ଶୁଭେଚ୍ଛାର ସୁଅ

58
କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୮ ବର୍ଷରେ ପାଦ ଦେଉଛନ୍ତି । ସାରା ଦେଶରୁ ମୋଦିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଚଳିତଥର ମୋଦି ନିଜର ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଜନ୍ମଦିନ ପାଳନ କରିବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମୋଦି କାଶୀ ବିଶ୍ୱନାଥଙ୍କୁ ଆଜି ଦର୍ଶନ କରିବେ ବୋଲି ଜଣାପଡିଛି । ତେବେ ମୋଦି ନିଜର ଜନ୍ମଦିନ ଅବସରରେ ସେଠାରେ ୫ ହଜାର ପିଲାମାନଙ୍କ ସହ ମିଶି ଚଳଚ୍ଚିତ୍ର ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୋଦିଙ୍କ ଜନ୍ମଦିନକୁ ଦୃଷ୍ଟିରେ ରଖି ବିଜେପି ନେତାମାନେ ମଧ୍ୟ ଚଳଚଞ୍ଚଳ ହୋଇଥିବା ଦେଖାଯାଉଛି ।
ବାରାଣାସୀରେ ହିଁ ଅନେକ ବିିଜେପି ନେତାମାନେ ଉପସ୍ଥିତ ରହିବା ସହ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବେ । ମିଳିଥିବା ସୂଚନା ଅନୁସାରେ ମୋଦିଙ୍କୁ ଅନେକ ନେତା ଶୁଭେଚ୍ଛା ଜଣାଇବା ଆରମ୍ଭ କଲେଣି । ଏହାସହ ମୋଦିଙ୍କ ଫେସବୁକ ଓ ଟୁଇଟରରେ ମଧ୍ୟ ଅନେକ ବାର୍ତ୍ତା ଆସିବାରେ ଲାଗିଛି । ମୋଦି ନିଜର ଜନ୍ମଦିନ ଅବସରରେ ଦେଶର ଯୁବ ପୀଢିଙ୍କ ଉଦ୍ଦେଶ୍ୟରେ କିଛି ମନ୍ତବ୍ୟ ରଖିବେ ବୋଲି ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସବୁବେଳେ ଫିଟ ନେସର କଥା କହୁଥିବା ମୋଦି କିପରି ଭାବରେ ଯୋଗ କଲେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ ତାହା କହିପାରନ୍ତି ବୋଲି ସୂଚନା ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦି ଏକାବେଳେକେ ୫ ହଜାର ପିଲାମାନଙ୍କ ସହ ଚଳଚ୍ଚିତ୍ର ଦେଖିବେ ।
ତେବେ ମୋଦିଙ୍କ ବାରଣାସୀ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୂର୍ବରୁ ଗୁଇନ୍ଦାବିଭାଗ ସୂଚନା ଦେଇଛି ଯେ, ମୋଦିଙ୍କୁ କେହି ଜଣେ ମହିଳା ଆତଙ୍କବାଦୀ ବେଶରେ ଆସି କ୍ଷତି ପହଞ୍ଚାଇପାରେ । ତେଣୁ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିବା ସୂଚନା ମିଳିଛି ।  ମୋଦି ପ୍ରଥମେ ଡିରିକାରେ କିଛି ସମୟ ରହିବା ପରେ ନରଉର ସ୍ଥିତି ଏକ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିବେ । ସେଠାରେ ସେ ବିଦ୍ୟାଳୟକୁ ଅନୁଧ୍ୟାନ କରିବା ସହ ନିକଟରେ ଥିବା ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୦୦ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ । ସେଠାରୁ ଫେରିବା ପରେ କାଶୀ ବିଦ୍ୟାପୀଠର ଛାତ୍ରଙ୍କ ସହ ଆଲୋଚନା କରିବେ ମୋଦି । ଏହା ପରେ ଭାରତୀୟ ଜନତା ପାର୍ଟିର ପଦାଧୀକାରୀଙ୍କ ସହ ସେ ଆଲୋଚନା କରିବେ ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିଏଚୟୁରେ ଏକ ଜନସଭା କରିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଇପିଡିଏସ, ଦୀନଦୟାଲ ଗ୍ରାମ ଜ୍ୟୋତି ଯୋଜନା, ନାଗେପୁର ଗ୍ରାମ ପେୟଜଲ ଯୋଜନା, ଅଟଳ ଇକ୍ୟୁବେସନ ସେଂଟର ଆଦିର ଲୋକାର୍ପଣ ସହ ବିଏଚୟୁରେ ବୈଦିକ ବିଜ୍ଞାନ କେନ୍ଦ୍ର, ଏବଂ କିଛି ବିଦ୍ୟୁତ ଉପକେନ୍ଦ୍ରକୁ ଶିଳାନ୍ୟାସ କରିବେ ।