ମୋଦି ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ : ପଛରେ ପଡ଼ିଲେ ବାଜପେୟୀ, ନେହରୁ ଓ ଇନ୍ଦିରା

30

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ । ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ମୋଦିଂକ ସପକ୍ଷରେ ସବୁଠୁ ଅଧିକ ମତ ମିଳିଛି । ମୁଡ୍ ଅଫ୍ ଦି ନେସନ ଶୀର୍ଷକ ଆଧାରରେ ଜୁଲାଇ ମାସରେ କରାଯାଇଥିବା ଏହି ସର୍ଭେରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୬ ପ୍ରତିଶତ ନରେନ୍ଦ୍ର ମୋଦିଂକୁ ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦିଙ୍କ ପଛକୁ ଇନ୍ଦିରା ଗାନ୍ଧୀଂକୁ ୨୦ ପ୍ରତିଶତ ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ୧୨ ପ୍ରତିଶତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କହିଥିବା ବେଳେ ୧୦ ପ୍ରତିଶତ ଜବାହାରଲାଲ ନେହେରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି ।

ଦେଶର ହିନ୍ଦୁ ଭୋଟରମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ ହେଉଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ପଛକୁ ରହିଛନ୍ତି ଇନ୍ଦିରା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀ । ଏହି ତାଲିକାର ସବାତଳକୁ ରହିଛନ୍ତି ଯଥାକ୍ରମେ ଏଚ୍ ଡି ଦେବେଗୌଡ଼ା, ବି ଭି ନରସିଂହା ରାଓ, ଚନ୍ଦ୍ରଶେଖର ଏବଂ ଭି ପି ସିଂହ । ୨୮ ପ୍ରତିଶତ ହିନ୍ଦୁ ଭୋଟର ନରେନ୍ଦ୍ର ମୋଦିଙ୍କୁ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହୁଥିବା ବେଳେ ୧୧ ପ୍ରତିଶତ ମୁସ୍ଲିମ୍ ଭୋଟର ନରେନ୍ଦ୍ର ମୋଦିଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି । ଉତ୍ତର ଭାରତ ଓ ପୂର୍ବ ଭାରତର ଭୋଟରମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଭୋଟର ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ରୂପେ ବିବେଚନା କରୁଥିବା ଏହି ସର୍ଭେର ଫଳାଫଳରୁ ଜଣାପଡ଼ିଛି । ଏସବୁ ସତ୍ୱେ ୨ ବର୍ଷ ମଧ୍ୟରେ ମୋଦିଙ୍କର ୭ ପ୍ରତିଶତ ଲୋକପ୍ରିୟତା କମିଛି ବୋଲି ସୂଚନା ମିଳିଛି ।