କିଛି ଲୋକଙ୍କ ଚୋରି ପାଇଁ ଦେଶର ବିକାଶ ବାଧାପ୍ରାପ୍ତ : ନରେନ୍ଦ୍ର ମୋଦି

50

କନକ ବ୍ୟୁରୋ : ଦ୍ରବ୍ୟ ଓ ସେବାର କର ଲାଗୁ ହେବାର ଠିକ୍ ପରେ ପରେ ହିଁ ଆଜି କଳାବଜାରି କରୁଥିବା ବ୍ୟବସାୟୀଙ୍କୁ ପୁଣି ଥରେ ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଟାର୍ଡ ଆକାଉଂଟାଂଟ ଅପ୍ ଇଣ୍ଡିଆର ସଦସ୍ୟଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି- କିଛି ଲୋକଙ୍କ ଚୋରି ପାଇଁ ଦେଶର ବିକାଶ ବାଧାପ୍ରାପ୍ତ ହେଉଛି । ଯେଉଁମାନେ ଗରିବଙ୍କୁ ଲୁଟିଛନ୍ତି ସେମାନଙ୍କୁ ଛଡ଼ା ଯିବ ନାହିଁ । କଳାଧନ ଜମା କରିଥିବା ଲୋକଙ୍କୁ ଗରିବଙ୍କ ଟଙ୍କା ଫେରାଇବାକୁ ହେବ ବୋଲି ମୋଦି କହିଛନ୍ତି ।

ବିମୁଦ୍ରାକରଣ ପରେ ଦେଶର ୩ ଲକ୍ଷରୁ ଅଧିକ ପଂଜିକୃତ କଂପାନୀ ବର୍ତ୍ତମାନ ସରକାରଙ୍କ ନଜରରେ ରହିଥିବା ସେ କହିଛନ୍ତି । ଜିଏସ୍ଟି ଲାଗୁ ହେବା ଠିକ୍ ୪୮ ଘଂଟା ମଧ୍ୟରେ ହିଁ ପ୍ରାୟ ୧ ଲକ୍ଷ କଂପାନୀଙ୍କୁ ପଂଜିକୃତ ତାଲିକାରୁ ବାଦ ଦିଆଯାଇଛି । ତେବେ ଏହି ଅବସରରେ ମୋଦି ଚାଟାର୍ଡ ଆକାଉଂଟାଂଟ ମାନଙ୍କୁ ନିଜ କ୍ଲାଇଂଟ୍ ମାନଙ୍କୁ ଉଚିତ୍ ପରାମର୍ଶ ଦେବା ପାଇଁ ଅନୁରୋଧ କରିଛନ୍ତି ।

ମୋଦି ଆହୁରୀ ମଧ୍ୟ କହିଛନ୍ତି- ପ୍ରଧାନମନ୍ତ୍ରୀଙ୍କ ହସ୍ତାକ୍ଷର ଅପେକ୍ଷା ଜଣେ ଚାଟାର୍ଡ ଆକାଉଂଟାଂଟଙ୍କ ହସ୍ତାକ୍ଷର ବେଶି ଗୁରୁତ୍ୱପୂର୍ଣ୍ଣ । ତେଣୁ ଜଣେ ଡାକ୍ତର ଯେମିତି ଅଧିକ ଅର୍ଥ ରୋଜଗାର କଥା ଚିନ୍ତା କରିବା ବଦଳରେ ରୋଗୀଙ୍କୁ ଭଲ କରିବା ପାଇଁ ଉଦ୍ୟମ କରନ୍ତି । ଠିକ୍ ସେମିତି ଦେଶର ଆର୍ଥିକ ସ୍ୱାସ୍ଥ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ଚାଟାର୍ଡ ଆକାଉଂଟାଂଟମାନେ ଆଗେଇ ଆସିବା ଉଚିତ ବୋଲି ମୋଦି କହିଛନ୍ତି ।