ପିଲାଙ୍କୁ ପରୀକ୍ଷା ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ! ସାମିଲ ହେଲାନି ଓଡ଼ିଶା , ଲାଭ-କ୍ଷତିର ହିସାବ କଲେ ବିଜେଡି-ବିଜେପି

35

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ପରୀକ୍ଷା ଟିପ୍ସକୁ ନେଇ ଓଡିଶାରେ ପଲିଟିକ୍ସ ଜୋର୍ ଧରିଥିଲା । ମୋଦିଙ୍କ ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ୍ିଂ ଜରିଆରେ ସିଧାପ୍ରସାରଣ କରିବା ପାଇଁ କେନ୍ଦ୍ରରୁ ନିର୍ଦେଶ ଆସିଥିଲା । କିନ୍ତୁ ଓଡିଶା ସରକାର, ରୋକଠୋକ୍ ମନା କରିଦେଇଥିଲେ । ବିଜେଡି କହିଛି, ପରୀକ୍ଷା ସମୟରେ ଏଭଳି ଆୟୋଜନ କରିବା ଓ ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ କରିବା ବର୍ତମାନ ସମୟରେ ଠିକ୍ ନୁହେଁ । ଓଲଟା ଛାତ୍ରଛାତ୍ରୀ ମାନେ ଚାପଗ୍ରସ୍ତ ହେବେ ବୋଲି ଦଳ ଯୁକ୍ତି ବାଢିଛି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୋଦିଙ୍କ ଲୋକପ୍ରିୟତାକୁ ଓଡିଶା ସରକାର ଡରିଯାଇଛନ୍ତି ।

ଫେବୃୟାରୀ ଶେଷ ଠାରୁ ମାଟ୍ରିକ ପରୀକ୍ଷା ଓ ଏହା ପରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହୁଛନ୍ତି କିଭଳି ପରୀକ୍ଷାରେ ଭଲ କରିବେ । କିପରି ମନ ଭିତରେ ଆତ୍ମବିଶ୍ୱାସ ଆଣିବେ ତାହାକୁ ନେଇ ମୋଦି ଛାତ୍ରଛାତ୍ରୀ ମାନଙ୍କୁ ଟିପ୍ସ ଦେଇଥିଲେ । ଦିଲ୍ଲୀରେ ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ଦେଶର ସବୁ ସ୍କୁଲକୁ ଭିଡ଼ିଓ କନପରେନସିଂ ଜରିଆରେ ଯୋଡିବା ପାଇଁ ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଓଡ଼ିଶା ସରକାର ଏଭଳି ଆୟୋଜନ କରିବାକୁ ମନା କରି ଦେଇଥିଲେ ।

ମୁଣ୍ଡ ଉପରେ ପରୀକ୍ଷା । ଆଉ ଏତିକିବେଳେ ମୋଦିଙ୍କ ଟିପ୍ସ ଶୁଣିବା ଉଚିତ କି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଲେ ଲାଭ ହେବ ନା କ୍ଷତି ହେବ ତାକୁ ନେଇ ବିଜେଡି-ବିଜେପି ମଧ୍ୟରେ ବିବାଦ ଦେଖା ଦେଇଛି । ବିଜେଡି କହିଛି ପରୀକ୍ଷା ସମୟରେ ଏଭଳି କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ନୁହେଁ ବରଂ ଚାପ ବଶବର୍ତ୍ତୀ କରାଯାଉଛି । କିନ୍ତୁ ବିଜେପି କହିଛି ରାଜ୍ୟ ସରକାର ଏଭଳି କାର୍ଯ୍ୟକ୍ରମ ଆୟୋଜନ ନ କରି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଦୂରେଇ ରଖୁଛି । କିନ୍ତୁ ଛାତ୍ରଛାତ୍ରୀଙ୍କ ନିକଟରେ ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ବୈଦ୍ୟୁତିକ ଗଣମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା ।