ଉଧାର ଟଙ୍କାରେ ଆରମ୍ଭ କରିଥିଲେ ବ୍ୟବସାୟ : ଏବେ ୧୩୯୦୦ କୋଟି ଟଙ୍କାର ମାଲିକ ନାରାୟଣମୂର୍ତ୍ତି

31

ଇନଫୋସିସ୍ କମ୍ପାନୀର ନାଁ ଆପଣ ସମସ୍ତେ ଶୁଣିଥିବେ । ସଫଳ ଆଇଟି କମ୍ପାନୀ ଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ଇନଫୋସିସ୍ କମ୍ପାନୀ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଉଧାର ଟଙ୍କାରେ ତିଆରି ହୋଇଛି ଇନଫୋସିସ୍ କମ୍ପାନୀ । ଅବିଶ୍ୱସନୀୟ ହେଲେ ମଧ୍ୟ କଥାଟି ନିରାଟ ସତକଥା । ଗତକାଲି ଥିଲା ଇନଫୋସିସ୍ କମ୍ପାନୀର ପ୍ରତିଷ୍ଠାତା ଏନ ଆର ନାରାୟଣମୂର୍ତ୍ତିଙ୍କର ଜନ୍ମଦିନ । ତେବେ ଆସନ୍ତୁ ଜାଣିବା ଉଦ୍ଧାର କରି ନାରାୟଣମୂର୍ତ୍ତି କିପରି ଏକ ସଫଳ ଆଇଟି କମ୍ପାନୀ ତିଆରି କରିଥିଲେ ।

୨୦ ଅଗଷ୍ଟ ୧୯୪୬ରେ କର୍ଣ୍ଣାଟକ ମହୀଶୂର ଜନ୍ମଗ୍ରହଣ କରିଥିଲେ ନାରାୟଣମୂର୍ତ୍ତି । ସେ ମହୀଶୂର ବିଶ୍ୱବିଦ୍ୟାଳୟରୁ ଇଞ୍ଜିୟନିୟରିଂ ପାଠ ପଢ଼ିଥିଲେ ଏବଂ ୧୯୬୯ରେ ଆଇଆଇଟି କାନପୁରରୁ ମାଷ୍ଟର ଅଫ୍ ଟେକ୍ନୋଲୋଜିରେ ପାଠ ପଢ଼ା ଶେଷ କରିଥିଲେ । ଶୁଣିବା ପାଇଁ ମିଳେ ତାଙ୍କ ପୁରା ପାଠପଢ଼ା ଖର୍ଚ୍ଚ ବହନ କରିଥିଲେ ତାଙ୍କ ଶିକ୍ଷକ । ଆଉ ତା’ପରେ ସେ ପୁଣେରୁ ନିଜ କ୍ୟାରିୟର ଆରମ୍ଭ କରିଥଇିଲେ । ସେ ନିଜର ଦୁଇ ବନ୍ଧୁ ଶଶିକାନ୍ତ ଓ ପ୍ରଫେସର କ୍ରିଷ୍ଣାଙ୍କ ସହ ମିଶି ୧୯୭୫ରେ ପୁଣେରେ ସିଷ୍ଟମ ରିସର୍ଚ୍ଚ ଇନଷ୍ଟିଟ୍ୟୁରର ସ୍ଥାପନା କରିଥିଲେ । ତେବେ ସେ ଏହି କମ୍ପାନୀ ସହ ବେଶୀ ଦିନ କାମ କରିପାରିନଥିଲେ ।

୧୯୮୧ରେ ନାରାୟଣମୁର୍ତ୍ତି ୬ ଜଣ ଇଞ୍ଜିନିୟଙ୍କ ସହ ମିଶି ପୁଣେରେ ଆଇଟି କମ୍ପାନୀ ଇନଫୋସିସ୍ ଆରମ୍ଭ କରିଥିଲେ । ଆଉ ସେତେବେଳେ କାହା ପାଖରେ ଟଙ୍କା ନଥିଲା । ତେଣୁ ସେ ସମୟରେ ଟାଟା ଇଣ୍ଡଷ୍ଟ୍ରିଜରେ କାମ କରୁଥିବା ନିଜ ପତ୍ନୀ ସୁଧା କ୍ରିଷ୍ଣମୂର୍ତ୍ତିଙ୍କ ଠାରୁ ୧୦,୦୦୦ ଟଙ୍କା ଉଧାର ନେଇଥିଲେ । ମୁର୍ତ୍ତିଙ୍କ ଘର ହିଁ ତାଙ୍କ କାର୍ଯ୍ୟାଳୟ ହୋଇଥିଲା । କିଛି ଦିନ ଗଲା ପରେ ୧୯୮୩ରେ ଇନଫୋସିସ କମ୍ପାନୀକୁ ବେଙ୍ଗାଲୁରୁ ସ୍ଥାନାନ୍ତରିତ କରାଯାଇଥିଲା । ସେବେଠାରୁ ଆଉ ନାରାୟଣମୂର୍ତ୍ତି ପଛକୁ ଫେରିନାଆନ୍ତି । କମ୍ପାନୀ ଲଗାତାର ଆଗକୁ ବଢ଼ୁଥିଲା ଓ କର୍ମଚାରୀ ସଂଖ୍ୟା ଏବେ ୫୦ ହଜାରରୁ ଅଧିକ ରହିଛି । ୧୨ଟି ଦେଶରେ କମ୍ପାନୀ ନିଜର ଶାଖା ଖୋଲିଛି ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ଇନଫୋସିସର ପ୍ରଗତିରେ ଅନେକ ବାଧା ବିଘ୍ନ ଆସିଥିଲା । କିନ୍ତୁ ନାରାୟଣମୂର୍ତ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ ହାର ମାନିଥିଲା । ଏବେ କମ୍ପାନୀର ବାର୍ଷିକ ଆୟ ୨.୭ ଲକ୍ଷ କୋଟି ରହିଛି । ନାରାୟଣମୂର୍ତ୍ତି ୧୯୮୧ରୁ ୨୦୦୨ ପର୍ଯ୍ୟନ୍ତ କମ୍ପାନୀର ସିଇଓ ଥିଲେ ଏବଂ ୨୦୧୧୧ ପର୍ଯ୍ୟନ୍ତ ଚେୟାରପର୍ସନ ଓ ମେଂଟର ଥିଲେ । ଏହାସହ ସେ ଅଗଷ୍ଟ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଚେୟାରମ୍ୟାନ୍ ଏମିରେଟସ ଥିଲେ । ତାଙ୍କୁ ପଦ୍ମଶ୍ରୀ, ପଦ୍ମବିଭୂଷଣ ପରି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି । ନାରାୟଣମୂର୍ତ୍ତି ଏବେ ଅବସର ଗ୍ରହଣ କରିସାରିଛନ୍ତି । ତାଙ୍କର ସମ୍ପତ୍ତି ୧୩୯୦୦ କୋଟି ଟଙ୍କା ରହିଛି ।