ଶଙ୍କରାଚାର୍ଯ୍ୟଙ୍କ ସଜ୍ଞାକୁ ନେଇ ପ୍ରଶ୍ନ ଉଠାଇଲେ ନରସିଂହ । କହିଲେ, ଉଇଲ୍ ଅନୁସାରେ ନିଜ ନାଁରେ ଦେବତୀର୍ଥ ଲେଖୁ ନାହାନ୍ତି ସ୍ୱାମୀ ନିଶ୍ଚଳାନନ୍ଦ ।

528

କନକ ବ୍ୟୁରୋ : ଓଡିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍-୨୦୧୯ ବିଧାନସଭାରେ ପାରିତ ହୋଇଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଦେବୋତ୍ତର ଆଇନ୍ ଅନୁସାରେ ମଠ ଗୁଡିକ ଆଇନ୍ ଅନୁଯାୟୀ ଆକାଉଂଟ୍ ଡିଟେଲ ଦେବା ଆବଶ୍ୟକ ଓ ଆୟର ୫ ପ୍ରତିଶତ ସରକାରଙ୍କୁ ଦେବା କଥା, କିନ୍ତୁ କେହି ଦେଉନାହାନ୍ତି ବୋଲି କହିଛନ୍ତି ନରସିଂହ ।

ଏହା ସହ ପୂର୍ବ ଶଙ୍କରାଚାର୍ଯ୍ୟଙ୍କ ଉଇଲ୍ ଅନୁସାରେ ବର୍ତ୍ତମାନର ଶଙ୍କରାଚାର୍ଯ୍ୟ ନିଜ ନାଁରେ ଦେବତୀର୍ଥ ଲେଖିବା କଥା, କିନ୍ତୁ ତାହା ସେ କରୁ ନାହାନ୍ତି ବୋଲି ସେ କହିଛନ୍ତି । ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ପୁରୀ ଗୋବର୍ଦ୍ଧନ ପୀଠ । ପୀଠର ମୁଖପାତ୍ର ପ୍ରତିକ୍ରିୟା ରଖି ନରସିଂହ ମିଶ୍ରଙ୍କ କୌଣସି ସ୍ୱୀକୃତି ଆବଶ୍ୟକ ନାହିଁ ବୋଲି କହିଛନ୍ତି । ଗତକାଲି ଦେବୋତ୍ତର ସଂଶୋଧନ ବିଲ୍ ପାରିତ ହେବା ସହ ଏଣିକି ଦେବୋତ୍ତର କମିଶନଙ୍କ ନିୟନ୍ତ୍ରଣରେ ରହିବନି ପୁରୀ ଗୋବର୍ଦ୍ଧନ ପୀଠ । ଏହାର ପରିଚାଳନା ଦାୟିତ୍ୱ ଶଙ୍କରାଚାର୍ଯ୍ୟଙ୍କ ହାତରେ ରହିବ ।