ଯୋଗେଶ ସିଂଙ୍କ ସଭ୍ୟ ପଦ ରଦ୍ଦ ପରେ କଂଗ୍ରେସ ବିରୋଧୀଦଳ ମାନ୍ୟତା ହରାଇନେବା ଚର୍ଚ୍ଚା ! ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ, ନିଷ୍ପତି ନେବେ ବାଚସ୍ପତି

35

କନକ ବ୍ୟୁରୋ : ସୁନ୍ଦରଗଡ ବିଧାୟକ ଯାଗେଶ ସିଂଙ୍କ ସଭ୍ୟ ପଦ ରଦ୍ଦ ପରେ କଂଗ୍ରେସ ବିରୋଧୀଦଳ ମାନ୍ୟତା ହରାଇବା ଚର୍ଚ୍ଚା ଆରମ୍ଭ ହୋଇଛି । ବିରୋଧୀ ଦଳ ନେତା ନରସିଂହ ମିଶ ଏନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଇନ ଅନୁସାରେ ୧୦ ପ୍ରତିଶତରୁ କମ ସଦସ୍ୟ ରହିଲେ, ବିରୋଧୀ ଦଳ ମାନ୍ୟତା ହରାଇବା କଥା ଏବଂ ଏନେଇ ବିଧାନସଭା ବାଚସ୍ପତି ଯାହା ନିଷ୍ପତି ନେବେ ବୋଲି କହିଛନ୍ତି ନରସିଂହ । ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଧାନସଭାରେ କଂଗ୍ରେସର ସଭ୍ୟ ସଂଖ୍ୟା ୧୫କୁ ଖସିଆସିଥିଲା । ଏବେ ଜାଲ ଜାତିଗତ ପ୍ରମାଣପତ୍ର ବିବାଦରେ ଯୋଗେଶ ସିଂଙ୍କ ପଦ ଯିବା ପରେ ଏହି ସଂଖ୍ୟା ୧୪କୁ ଖସିଆସିଛି । ନିୟମ ଅନୁସାରେ ବିଧାନସଭାର ମୋଟ ସଭ୍ୟ ସଂଖ୍ୟା ୧୪୭ ର ୧୦ ପ୍ରତିଶତ ମୁଖ୍ୟ ବିରୋଧୀ ଦଳ ନିକଟରେ ରହିବା କଥା । ଆଗକୁ ବିଧାନସଭାରେ ବଜେଟ ଅଧିବେଶନ ଥିବାରୁ ବାଚସ୍ପତିଙ୍କ ନିଷ୍ପତି ଉପରେ ନିର୍ଭର କରୁଛି କଂଗ୍ରେସର ଭାଗ୍ୟ ।

ସୂଚନାଯୋଗ୍ୟ ଜାତିକୁ ନେଇ ଭୁଲ ତଥ୍ୟ ଦେଇଥିବାରୁ କଂଗ୍ରେସର ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କ ବିଧାୟକ ପଦକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ । ୨୦୧୪ ସୁନ୍ଦରଗଡ ବିଧାନସଭା ନିର୍ବାଚନକୁ କୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି ଓଡିଶା ହାଇକୋର୍ଟ । ସୁନ୍ଦରଗଡ ଆସନରୁ ୨୦୦୯ ଓ ୨୦୧୪ରେ ଦୁଇ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଯୋଗେଶ ସିଂଙ୍କ ପାଇଁ ମିଥ୍ୟା ସତ୍ୟପାଠ ମହଙ୍ଗା ପଡିଛି । ଜାଲ ଜାତିଗତ ପ୍ରମାଣପତ୍ର ଦେଇ ୨୦୧୪ ଜିତିଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ତାଙ୍କ ସଭ୍ୟପଦକୁ ରଦ୍ଦ କରିଦେଲେ ହାଇକୋର୍ଟ । ବିଜେପିର ପରାଜିତ ପ୍ରାର୍ଥୀ ଶହଦେବ ଖାକା ଓ ଅନ୍ୟଜଣେ ବ୍ୟକ୍ତି ଅଜୟ ପଟେଲଙ୍କ ଅଭିଯୋଗର ଶୁଣାଣି କରି କୋର୍ଟ ଗତକାଲି ଏହି ରାୟ ଶୁଣାଇଥିଲେ ।