ନବୀନ-ନରସିଂହ ମେଣ୍ଟ ଅଭିଯୋଗରେ ବିଧାନସଭା ହୁଲୁସ୍ତୁଲ : ନରସିଂହ କହିଲେ ‘ଚୋର ମଚାଏ ସୋର’

537

କନକ ବ୍ୟୁରୋ : ସରକାରୀ ଦଳ ଓ କଂଗ୍ରେସ ଭିତରେ ରହିଛି ଭିତିରିଆ ସମ୍ପର୍କ । ଏହି ଅଭିଯୋଗ ଆଣି ଆଜି ବିଧାନସଭାରେ ହୋହାଲ୍ଲା କରିଛନ୍ତି ବିଜେପି ବିଧାୟକ । ଗତ ନିର୍ବାଚନରେ ଭୂପିନ୍ଦର ସିଂ କଂଗ୍ରେସ ଛାଡି ବିଜେଡିକୁ ଯିବା ଭଳି ଏଥର ମଧ୍ୟ ସେମିତି କିଛି ଘଟିବ ବୋଲି ଆଶଙ୍କା କରିଛି ବିଜେପି । ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେଡି-ବିଜେପି ଭାଇ ଭାଇ ବୋଲି ଆଗକୁ ପ୍ରମାଣିତ ହୋଇଛି । ମୃତ୍ୟୁ ପର୍ଯ୍ୟନ୍ତ ସେ କଂଗ୍ରେସରେ ହିଁ ରହିବେ ।

ଗୃହକାର୍ଯ୍ୟ ଆରମ୍ଭ ହେଲା ଆଉ ତାସହ ଆରମ୍ଭ ହୋଇଗଲା ହୋହାଲ୍ଲା । ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ ବିଜେପି ସଦସ୍ୟ । ସରକାରୀ ଦଳ ଓ କଂଗ୍ରେସ ମଧ୍ୟରେ ଭିତିରିଆ ସଂପର୍କ ଅଭିଯୋଗ ଆଣି ପ୍ରବଳ ତୁମ୍ବିତୋଫାନ କଲେ । ମାତ୍ର ୨ ରୁ ୩ ମିନିଟ୍ ଗୃହକାର୍ଯ୍ୟ ଚାଲିଲା, ଆଉ ଗୃହକୁ ମୁଲତବୀ କଲେ ବାଚସ୍ପତି । ଗୃହରେ ପ୍ରବଳ ହୋହାଲା ପରେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେପି ସଦସ୍ୟ ।

କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣ ଚନ୍ଦ୍ର ସଗରିଆ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ କିଛି ଦିନ ପୂର୍ବରୁ ଲେଖିଥିଲେ ଚିଠି । ଯେଉଁଥିରେ ନବୀନ-ନରସିଂହ ସମ୍ପର୍କର କଥା ସାମ୍ନାକୁ ଆଣିଥିଲେ ସଗରିଆ । ଚିଠିରେ ସଗରିଆ ଲେଖିଥିଲେ, ଭାବିଥିଲି ନବୀନଙ୍କ ସହ ଆପଣଙ୍କ ସୁସଂପର୍କର ଫାଇଦା ପାଇବେ ଦଳିତ ଓ ଆଦିବାସୀ । ହେଲେ ବଦଳରେ ଆମକୁ ଅପମାନ ମିଳିଲା । ସେହିପରି ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ସଂରକ୍ଷଣ ଦାବି କରି ବିଧାନସଭାରେ ପ୍ରଶ୍ନ ଉଠାଇଲା ବେଳେ କଂଗ୍ରେସ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଦ ଧରି ଅନୁରୋଧ କରିବାକୁ କହି ଆପଣ ନିଜେ ଚୁପ୍ ରହିଗଲେ । ସଗରିଆଙ୍କ ଏହି ଚିଠି ଏବେ ବିଜେପିକୁ ମୌକା ଆଣିଦେଇଛି ବିଜେଡି ଓ କଂଗ୍ରେସକୁ ଘେରିବାକୁ ।

ନବୀନ-ନରସିଂହଙ୍କ ଭିତିରିଆ ସଂପର୍କ ନେଇ ବିଜେପି ଅଭିଯୋଗ ଆଣୁଥିବା ବେଳେ ବିରୋଧୀ ଦଳ ନେତା କହିଛନ୍ତି, ବିଜେଡି-ବିଜେପି ସଂପର୍କ ଆଗରୁ ଭାଇରାଲ୍ ହୋଇସାରିଲାଣି । କଂଗ୍ରେସ କିନ୍ତୁ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛି, ଯାହା ବିଧାନସଭା କାର୍ଯ୍ୟଧାରାରୁ ସ୍ପଷ୍ଟ । ସେପଟେ ବିଜେଡି କହିଛି, ଏବେବି କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରଖୁଛି ବିଜେଡି । ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଭୂପିନ୍ଦର ସିଂ, ବିଜେଡିକୁ ଚାଲିଗଲେ । ଏବେ ମଧ୍ୟ ନିର୍ବାଚନ ପୂର୍ବରୁ ସେମିତି କିଛି ହେବ ବୋଲି ଆଶଙ୍କା କରିଛି ବିଜେପି । ହେଲେ ନରସିଂହ ସ୍ପଷ୍ଟ କରିଛନ୍ତି, ମୃତ୍ୟୁ ପର୍ଯ୍ୟନ୍ତ ସେ କଂଗ୍ରେସରେ ରହିବେ ।