ନନ୍ଦନକାନନ ବୁଲିବା ହେବ ମହଙ୍ଗା ! ଉତ୍କଳ ଦିବସରୁ ପ୍ରବେଶ ଶୁଳ୍କ ୫୦ ଟଙ୍କାକୁ ବୃଦ୍ଧି

75

କନକ ବ୍ୟୁରୋ: ଉତ୍କଳ ଦିବସରୁ ନନ୍ଦନକାନନ ବୁଲିବା ହେବ ମହଙ୍ଗା । ରାଜ୍ୟର ଏହି ପ୍ରମୁଖ ପ୍ରାଣୀ ଉଦ୍ୟାନକୁ ପ୍ରବେଶ ଲାଗି ବୟସ୍କ ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବ ଅଧିକ ୧୦ ଟଙ୍କା । ବର୍ତମାନ ୧୨ ବର୍ଷ ବୟସରୁ ଅଧିକ ବର୍ଷ ବ୍ୟକ୍ତିଙ୍କ ଲାଗି ପ୍ରବେଶ ଶୁଳ୍କ ୪୦ ଟଙ୍କା ରହିଛି । ଏପ୍ରିଲ ୧ ତଥା ଉତ୍କଳ ଦିବସଠାରୁ ତାହାକୁ ୫୦ ଟଙ୍କାକୁ ବୃଦ୍ଧି କରାଯିବ । ଏନେଇ ନନ୍ଦନକାନନ କର୍ତୃପକ୍ଷ ବିଜ୍ଞପ୍ତି ଜାରି କରିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନନ୍ଦନକାନନର ପ୍ରବେଶ ଶୁଳ୍କ ବୃଦ୍ଧି କରିବା ଲାଗି ଗତ ଫେବ୍ରୁଆରି ମାସ ୧୩ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନନ୍ଦନକାନନ କର୍ତୃପକ୍ଷଙ୍କ ନିକଟକୁ ଚିଠି ଲେଖାଯାଇଥିଲା।

ବର୍ତମାନ ସମୟକୁ ଦୃଷ୍ଟିରେ ରଖି ପ୍ରବେଶ ଶୁଳ୍କ ବୃଦ୍ଧି କରିବାକୁ ବି ପ୍ରସ୍ତାବ ରହିଥିଲା । ତାହାକୁ ବିଚାରକୁ ନେଇ ନନ୍ଦନକାନନ କର୍ତୃପକ୍ଷ ଶୁଳ୍କ ବଢ଼ାଇଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରବେଶ ଶୁଳ୍କ ବ୍ୟତୀତ ଆଉ କୌଣସି ଶୁଳ୍କ ବୃଦ୍ଧି କରାଯିବ ନାହିଁ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦେଶକଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ଛୋଟ ପିଲାଙ୍କ ପ୍ରବେଶ ଶୁଳ୍କ ଅପରିବର୍ତ୍ତିତ ରହିଛି। ବିଦେଶୀ ପର୍ୟ୍ୟଟକଙ୍କ ଲାଗି ଥିବା ୧୦୦ ଟଙ୍କାର ପ୍ରବେଶ ଶୁଳ୍କ ଅପରିବର୍ତ୍ତିତ ରହିଛି।