ମାରାତ୍ମକ ହେଉଛି ହର୍ପିସ ଭାଇରସ୍ ! ୨୪ ଦିନରେ ମଲେଣି ୩ ହାତୀ, ୭ବର୍ଷର ଗୌରୀର ଜୀବନ ବି ବିପଦରେ

398

କନକ ବ୍ୟୁରୋ : ନନ୍ଦନକାନନରେ ହାତୀ ମଡକ । ୨୪ ଦିନରେ ମଲେଣି ୩ ହାତୀ । ମାରାତ୍ମକ ହେଉଛି ହର୍ପିସ ଭାଇରସ୍ । ଗୋଟିଏ ପରେ ଗୋଟିଏ, ତିନିଟି ହାତୀ ଆଖି ବୁଜି ସାରିଲେଣି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆତଙ୍କ ଖେଳାଇଛି ହର୍ପିସ ଭାଇରସ୍ । ଗତ ୨୪ ଦିନ ଭିତରେ ତିନିଟି ହାତୀର ପ୍ରାଣ ନେଇଛି ଏହି ଭାଇରସ୍ । ଗୁରୁବାର ୬ ବର୍ଷର ହାତୀ ଛୁଆ କମଳା ଆଖି ବୁଜିଦେଇଛି । ଏହା ପୂର୍ବରୁ ଗତ ୧୫ ତାରିଖରେ ୯ ବର୍ଷର ହାତୀ ଛୁଆ ଚନ୍ଦନ ଏବଂ ଗତ ଅଗଷ୍ଟ ମାସ ୨୬ ତାରିଖରେ ୧୦ ବର୍ଷର ଜୁଲିର ଜୀବନ ନେଇଛି ହର୍ପିସ ଭାଇରସ । ତଥାପି ସଙ୍କଟ ଟଳିନି । କାରଣ ନନ୍ଦନକାନନରେ ଥିବା ଅନ୍ୟ ହାତୀ ଯେ, ଏହି ଭୟଙ୍କର ଭାଇରସରେ ସଂକ୍ରମିତ ହୋଇନଥିବେ ସେନେଇ ଆଶଙ୍କା ପ୍ରକାଶ ପାଇଛି ।

ଭାଇରସ୍ ସଂକ୍ରମଣ ଭୟରେ ହାତୀଶାଳରୁ ଅଲଗା ହୋଇ କମଳା ସହ ରହୁଥିବା ୭ବର୍ଷର ଗୌରୀର ଜୀବନ ବି ବିପଦରେ । ଗୌରୀ ଦେହର ରଙ୍ଗ ବଦଳିବାକୁ ଲାଗିଲାନି । ଜିଭ ରକ୍ତାକ୍ତ ଦେଖାଯାଉଛି । ଅଧିକାଂଶ ସମୟ ସେ ଘୁମଉଛି । ତେଣୁ ତାକୁ ମଧ୍ୟ ଏହି ଭାଇରସ ଆକ୍ରାନ୍ତ କରିଥିବା ଆଶଙ୍କା କରି ଚିକିତ୍ସା ଆରମ୍ଭ କରାଯାଇଛି । ସାଲାଇନ୍ ଓ ପ୍ରତିଷେଧକ ଦିଆଯାଉଛି । ସେପଟେ ୨ ବର୍ଷର ହାତୀ ଛୁଆ ମାମା ପାଇଁ ମଧ୍ୟ ବିପଦ ମାଡି ଆସୁଛି ।

ଅନ୍ୟପଟେ ସେଂଟ୍ରାଲ ଜୁ ଅଥୋରିଟି ୭ ନଭେମ୍ବର ୨୦୦୯ରେ ସମସ୍ତ ଚିଡିଆଖାନାକୁ ହାତୀ ସୁରକ୍ଷା ନେଇ ଚିଠି କରିଥିଲେ । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା ଯେ, ଚିଡିଆଖାନାରେ ହାତୀଙ୍କୁ ବାନ୍ଧି ରଖାଯାଇପାରିବ ନାହିଁ । ଅନ୍ୟପଟେ ଓୟୁଏଟିରେ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଅଛନ୍ତି ଯେଉଁମାନଙ୍କ କାମ ହେଲା, ନନ୍ଦନକାନନ ପ୍ରାଣୀଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବେ । ତେବେ ତଦାରଖ କେମିତି ଚାଲିଥିଲା ତାହା ଏହି ହାତୀ ମୃତ୍ୟୁରୁ ସ୍ପଷ୍ଟ ହୋଇଯାଉଛି । ଏହି ମାରାତ୍ମକ ହର୍ପିସ ଭାଇରସ୍ ଏସିଆ ମହାଦେଶର ଛୁଆ ହାତୀ ମାନଙ୍କ ଠାରେ ଦେଖାଯାଏ । ଥରେ ଏହି ଭାଇରସରେ ସଂକ୍ରମିତ ହେଲେ ବଂଚିବା ଅସମ୍ଭବ । ଚିକିତ୍ସା ବିଜ୍ଞାନରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଔଷଧ ବାହାରିନାହିଁ ।