ମୋଦିଙ୍କୁ ନାନାବତୀ କମିଶନଙ୍କ କ୍ଲିନଚିଟ୍ । କମିଶନ କହିଲେ, ଯୋଜନାବଦ୍ଧ ନଥିଲା ସାମ୍ପ୍ରଦାୟିକ ଦଙ୍ଗା, ଓ ନଥିଲା ରାଜ୍ୟର କୌଣସି ମନ୍ତ୍ରୀଙ୍କ ଷଡଯନ୍ତ୍ର କିମ୍ବା ପ୍ରୋତ୍ସାହନ

270

କନକ ବ୍ୟୁରୋ : ମୋଦିଙ୍କୁ ନାନାବତୀ କମିଶନଙ୍କ କ୍ଲିନଚିଟ୍ । ୨୦୦୨ ଫେବୃଆରୀରେ ସାବରମତୀ ଏକ୍ସପ୍ରେସ୍ ଟ୍ରେନପୋଡି ଘଟଣା ପରେ ଗୁଜରାଟରେ ଦଙ୍ଗା ଦେଖାଯାଇଥିଲା । ତେବେ ଏହି ସାମ୍ପ୍ରଦାୟିକ ଦଙ୍ଗା ଯୋଜନାବଦ୍ଧ ନଥିଲା ଏବଂ ଏଥିରେ ରାଜ୍ୟର କୌଣସି ମନ୍ତ୍ରୀଙ୍କ ଷଡଯନ୍ତ୍ର କିମ୍ବା ପ୍ରତ୍ସାହନ ନଥିଲା ବୋଲି ଜଷ୍ଟିସ ନାନାବତୀ କମିଶନଙ୍କ ତଦନ୍ତ ରିପୋର୍ଟ ରେ କୁହାଯାଇଛି । ଗୁଜରାଟ ବିଧାନସଭାରେ ନାନାବତୀ କମିଶନ ରିପୋର୍ଟ ଉପସ୍ଥାପନ ହୋଇଥିବା ବେଳେ ଏହା ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟମାନଙ୍କୁ କ୍ଲିନଚିଟ୍ ପ୍ରଦାନ କରିଛି । କମିଶନ ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ଗୋଧ୍ରା ପରବର୍ତୀ ଦଙ୍ଗାରେ ରାଜ୍ୟର କୌଣସି ନେତା ଓ ପୁଲିସ ଅଧିକାରୀଙ୍କ ସଂପୃକ୍ତି ନଥିଲା ।

କମିଶନ ମୋଦିଙ୍କ ସହ ହରେନ୍ ପାଣ୍ଡ୍ୟା, ଅଶୋକ ଭଟ୍ଟ, ଏବଂ ପୂର୍ବତନ ମନ୍ତ୍ରୀ ଭରତ ବାରୋଟଙ୍କୁ ମଧ୍ୟ କ୍ଲିନଚିଟ୍ ପ୍ରଦାନ କରିଛି । ତତକାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମୟରେ ଗୋଧ୍ରାଯାଇ ପୋଡାଯାଇଥିବା ଏସ-୬ ବଗିର ଯାଂଚ୍ କରିଥିଲେ ଏବଂ ପ୍ରମାଣ ନଷ୍ଟ କରିଥିଲେ ବୋଲି ଯେଉଁ ଅଭିଯୋଗ ହୋଇଥିଲା ତାହା ଭିତିହୀନ ବୋଲି କମିଶନ ସ୍ପଷ୍ଟ କରିଛନ୍ତି । ମୋଦି କାହାକୁ କିଛି ସୂଚନା ନଦେଇ ଗୋଧ୍ରା ଯାଇଥିବା ଅଭିଯୋଗକୁ ମଧ୍ୟ କମିଶନ ପ୍ରତ୍ୟାଖ୍ୟାନ କରିଛି ।