ନମୋ ଟିଭି ନେଇ ବିଜେପିକୁ ନିର୍ବାଚନ କମିଶନଙ୍କ ଝଟକା : ତୁରନ୍ତ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ,କୌଣସି କଂଟେଟ ଦେବା ପୂର୍ବରୁ ସ୍ୱତନ୍ତ୍ର କମିଟିର ନେବାକୁ ପଡିବ ଅନୁମତି

137

କନକ ବ୍ୟୁରୋ : ନମୋ ଟିଭିକୁ ନେଇ ଭାରତୀୟ ଜନତା ପାର୍ଟିକୁ ବଡ ଝଟକା ଦେଇଛନ୍ତି ନିର୍ବାଚନ କମିଶନ । ବିନା ଅନୁମତିରେ ପ୍ରସାରଣ କରାଯାଉଥିବା କଂଟେଟକୁ ନମୋ ଟିଭିରୁ ହଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସି । ଲୋକସଭା ନିର୍ବାଚନ ପ୍ରଚାର ଜାରି ରହିଥିବାବେଳେ ବହୁତ ବିବାଦ ସୃଷ୍ଟି ହୋଇଛି । ବିରୋଧୀଙ୍କ ଅଭିଯୋଗ ପରେ ଏହି ବିବାଦ ଆହୁରି ବଡ ହୋଇଛି । ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଥିବା ସମସ୍ତ ଶୋଭାଯାତ୍ରା ଓ ଜନସଭାର ସିଧା ପ୍ରସାରଣ କରୁଥିଲା ନମୋ ଟିଭି । କୌଣସି ବ୍ରେକ୍ ନନେଇ ଏହି ପ୍ରସାରଣ ନିରନ୍ତର ଭାବରେ କରୁଥିଲା ଏହି ଚ୍ୟାନେଲ୍ । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେକର୍ଡିଂ ଇଂଟରଭ୍ୟୁ ଓ ପୁରୁଣା ରାଲିକୁ ମଧ୍ୟ ଦେଖାଯାଉଥିଲା ।

https://aajtak.intoday.in

ଏହି ସବୁ କଂଟେଟକୁ ତୁରନ୍ତ ହଠାଇବାକୁ ନୋଟିସ୍ ଜାରି କରିଛନ୍ତି ଇସି । ବିନା କମିଟିର ମଞ୍ଜୁରୀ ବିନା ନମୋ ଟିଭିରେ କୌଣସି କଂଟେଟ ପ୍ରସାରଣ କରାନଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଏହା ପୂର୍ବରୁ ବୁଧବାର ଇସି ନମୋ ଟିଭିର ପ୍ରସାରଣ ଉପରେ ରୋକ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପକ୍ଷଙ୍କୁ ସମାନ ଅବସର ଦେବା ସିଦ୍ଧାନ୍ତ ସହ ମେଳ ଖାଉ ନଥିବ ସେ ଭଳି ପ୍ରୋଗ୍ରାମକୁ ପ୍ରସାରଣ ନକରିବାକୁ କହିଥିଲେ ଇସି । ନମୋ ଟିଭି ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ ବିରୋଧୀ କଂଗ୍ରେସ ଓ ଆମ ଆଦମି ପାର୍ଟି । ଏହାପରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ନମୋ ଟିଭିକୁ ନେଇ ବିସ୍ତୃତ ରିପୋର୍ଟ ମାଗିଥିଲେ ।