କ୍ଷୁଦ୍ର ଶିଳ୍ପକୁ ମିଳିବ ‘ନାଲ୍‌କୋ’ ବ୍ରାଣ୍ଡ୍‌ ବ୍ୟବହାର ସୁଯୋଗ

18

କନକ ବ୍ୟୁରୋ: ରାଜ୍ୟରେ କାର୍ଯ୍ୟ କରୁଥିବା କ୍ଷୁଦ୍ର ଏବଂ ମଧ୍ୟମ ସ୍ତରର ଶିଳ୍ପ ସଂସ୍ଥା (ଏସଏମଇ)କୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ରାଷ୍ଟ୍ରାୟତ୍ତ ଆଲୁମିନିୟମ୍ କମ୍ପାନି ନାଲକୋ ଆବଶ୍ୟକ ସହାୟତା ଯୋଗାଇ ଦେବ ।

ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ ଆଣ୍ଡ୍ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (ଓଏଏସଏମଇ)ର ଅଲଫିନ୍ ଫୁଡ୍ ଟେକ୍ ସମ୍ମିଳନୀ ୨୦୧୭ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଲକୋର ଅଧ୍ୟକ୍ଷ ଡକ୍ଟର ଟି କେ ଚାନ୍ଦ ଏହା କହିଛନ୍ତି ।

ସେ କହିଛନ୍ତି ଯେ ଦେଶ କିମ୍ବା ବିଶ୍ୱ ବଜାରରେ ସଫଳତା ହାସଲ କରିବାକୁ ହେଲେ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକୁ ଏକ ବଡ଼ ବ୍ରାଣ୍ଡର ସହାୟତା ଦରକାର ପଡ଼ିବ । ଏସଏମଇମାନଙ୍କୁ ନାଲକୋ ବ୍ରାଣ୍ଡ୍ ବ୍ୟବହାର କରିବାର ସୁଯୋଗ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆମ ଦେଶରେ ବିଭିନ୍ନ ପ୍ରକାର ଆଲୁମିନିୟମ୍ ଉତ୍ପାଦ ଉତ୍ପାଦନ କରିବାର ସୁଯୋଗ ରହିଛି । ସମଗ୍ର ବିଶ୍ୱରେ ୩୦୦୦ ପ୍ରକାର କାର୍ଯ୍ୟରେ ଆଲୁମିନିୟମ୍ ବ୍ୟବହାର କରାଯାଉଥିବା ବେଳେ ଭାରତରେ ମାତ୍ର ୩୦୦ ପ୍ରକାର କାମରେ ଆଲୁମିନିୟମ୍ ବ୍ୟବହାର କରାଯାଉଛି ।

ବଳକା ୨୭୦୦ ପ୍ରକାର ଆଲୁମିନିୟମ୍ ଉତ୍ପାଦକୁ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ଉତ୍ପାଦନ କରିପାରିବେ ବୋଲି ସେ କହିଛନ୍ତି । ନାଲକୋ ଏମଏସଏମଇମାନଙ୍କଠାରୁ ୪୦୦ କୋଟି ଟଙ୍କାର ସାମଗ୍ରୀ ଖରିଦ କରୁଥିବା ସେ କହିଛନ୍ତି । ଆଗାମୀ ଦିନରେ ଏହା ଦ୍ୱିଗୁଣିତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ଏହି ଅବସରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଏଣ୍ଟରପ୍ରେନ୍ୟୁଅରସିପ୍ ଡେଭେଲପମେଣ୍ଟ ଓଡ଼ିଶାର ସିଇଓ ସମରେନ୍ଦ୍ର ସାହୁ, ଶିଳ୍ପ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ସାହୁ, ସଂଘର ସାଧାରଣ ସମ୍ପାଦକ ସାତ୍ୱିକ ସ୍ୱାଇଁ, ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ ଏବଂ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶଶି ଶେଖର ସାମଲ ଉପସ୍ଥିତ ଥିଲେ ।