ତିନି ତଲାକକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା : ପୁଣିଥରେ ଉଜ୍ଜିବୀତ ହେଲା ନଜମା ବିବିଙ୍କ ସ୍ମୃତି

47

ଭଦ୍ରକ : ମୁସଲମାନ ସଂପ୍ରଦାୟର ତିନି ତଲାକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଲ’ କମିଶନ ୩ଥର ତଲାକ୍ କହି ବିବାହ ବିଚ୍ଛେଦ ନିୟମ ଉପରେ ଜନମତ ଲୋଡିଛନ୍ତି । ତେଣୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପାସୋରି ଯାଇଥିବା ଭଦ୍ରକ ଜିଲ୍ଲାର ନଜମା ବିବି । ୨୦୦୫ରେ ନିଶାସକ୍ତ ସ୍ୱାମୀ ତିନି ତଲାକ କହିଦେଇଥିଲେ,ଏହାପରେ କିଭଳି ବିବାହ ବିଚ୍ଛେଦ ପାଇଁ ନଜମା ବାଧ୍ୟ ହୋଇଥିଲେ ଏବେ  ସେ, ସ୍ମୃତି ଉଜାଗର ହୋଇଛି ।

ଭଦ୍ରକ କଂଟାବଣିଆ ସାହିର ନଜମା ବିବି । ୧୧ ବର୍ଷ ତଳେ ଏହି ମୁସଲମାନ ମହିଳାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା । କାରଣ ନିଶାସକ୍ତ ଅବସ୍ଥାରେ ତାଙ୍କୁ ତିନିଥର ତଲାକ କହିଦେଇଥିଲେ ସ୍ୱାମୀ ସେରୁ । ଆଉ ମୁସଲିମ ପର୍ସନାଲ ଲ’ ଅନୁସାରେ ଏମାନଙ୍କ ବିବାହ ବିଚ୍ଛେଦ ହୋଇସାରିଥିବା ଦାବି କରିଥିଲା ସମାଜ । ଏପରିକି ନିଜ ୪ ପିଲାଙ୍କ ସହ ସ୍ୱାମୀଙ୍କ ଘର ଛାଡିବାକୁ ବାଧ୍ୟ କରାଯାଇଥିଲା ।

ଏବେ ଏହି ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି । କାରଣ ତିନି ତଲାକକୁ ନେଇ ଦେଶବ୍ୟାପି ବିତର୍କ ଆରମ୍ଭ ହୋଇଛି । ଲ’ କମିଶନ ୩ଥର ତଲାକ୍ କହି ବିବାହ ବିଚ୍ଛେଦ ନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏ ସଂପର୍କରେ ଜନମତ ବି ଲୋଡିଛନ୍ତି । ସେପଟେ ସୁପ୍ରିମକୋର୍ଟରେ ଏନେଇ ଏକାଧିକ ମାମଲା ରୁଜୁ ହେବାପରେ ଜବାବ ରଖିବାକୁ କେନ୍ଦ୍ରକୁ ନୋଟିସ ହୋଇଛି । ସାରା ଦେଶରେ ଗୋଟିଏ ଆଇନ ରଖିବା ସପକ୍ଷରେ ଥିବା ବିଜେପି ଶାସିତ କେନ୍ଦ୍ର ସରକାର ମଧ୍ୟ ଏହାକୁ ବିରୋଧ କରିବାକୁ ସଜବାଜ ହେଉଛନ୍ତି । ମୁସଲିମ ପର୍ସନାଲ ଲ’ ବୋର୍ଡ କିନ୍ତୁ କେନ୍ଦ୍ରର ପଦକ୍ଷେପକୁ ନିନ୍ଦା କରିଛି ।

ତିନିଟି ଶବ୍ଦରେ କ୍ଷଣିକେ ଭାଙ୍ଗି ଯାଉଛି ସଂପର୍କ । ତେଣୁ ଆଧୁନିକ ଆଇନ ଦ୍ୱାର ମୁସଲିମ ସଂପ୍ରଦାୟ ପରିଚାଳିତ ହେବ ନା ପ୍ରଚୀନ କାଳର ସରିୟାତ ନିୟମ ଦ୍ୱାର ତାହା ବର୍ତମାନ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇ ରହିଛି ।