ନଗରୋଟାରେ ଆତଙ୍କବାଦୀ ହମଲା ପରେ ତନାଘନା : ଆଜି ଘଟଣାସ୍ଥଳକୁ ଯିବେ ସେନାମୁଖ୍ୟ

29

କନକ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରର ନଗରୋଟାରେ ଆତଙ୍କବାଦୀ ଆକ୍ରମଣ ପରେ ଆଜି ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଆହୁରୀ କେତେକ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଅଂଚଳକୁ ଖାଲି କରି ନିଜ ଅକ୍ତିଆରକୁ ନେଇଛନ୍ତି ସୁରକ୍ଷାକର୍ମୀ । ଏହାସହ ତନ୍ନ ତନ୍ନ କରି ଖାନତଲାସି ଜାରି ରହିଛି । ଗତକାଲି ଭୋରରୁ ସେନା ବେଶରେ ଆସିଥିବା ଆତଙ୍କବାଦୀ ଆର୍ମି ୟୁନିଟରେ ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀଙ୍କ ଜବାବରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଗତକାଲି ସକାଳ ପ୍ରାୟ ୫ଟା ବେଳେ ଆରମ୍ଭ ହୋଇଥିବା ଏହି ଅପରେସନ ପ୍ରାୟ ୧୪ଘଂଟା ଧରି ଚାଲିଥିଲା । ନିହତ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ବହୁ ବିସ୍ପୋରକ ଜବତ କରାଯାଇଥିଲା । ଗତକାଲି ରାତିରେ ସର୍ଚ୍ଚ ଅପରେସନ ବନ୍ଦ ରହିଥିବାବେଳେ ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଅପରପକ୍ଷରେ ନଗରୋଟା ଓ ସାମ୍ବାରେ ଆତଙ୍କବାଦୀ ସେନାକୁ ଟାର୍ଗେଟ କରିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ନେଉଛନ୍ତି ଆତଙ୍କବାଦୀ ।

ପ୍ରଥମେ ଉରି ଓ ପରେ ପରେ ନଗରୋଟାରେ ଆର୍ମି ୟୁନିଟ ଓ ସାମ୍ବାରେ ପାଟ୍ରୋଲିଂ ଟିମକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଆତଙ୍କବାଦୀଙ୍କ ଆକ୍ରମଣ ପରେ ସଜାଗ ହୋଇଛି ସୁରକ୍ଷା ବାହୀନି । ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଆଜି ଘଟଣାସ୍ଥଳ ପରିଦର୍ଶନ କରିବେ ସେନା ମୁଖ୍ୟ ଜେନେରାଲ ଦଲବୀର ସିଂହ । ଆର୍ମି ଚିଫ୍ ଜେନେରାଲ ଦଲବୀର ସିଂହ ଆତଙ୍କବାଦୀ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ସବିଶେଷ ବିବରଣୀ ଦେଇଛନ୍ତି ।