କଟକରେ ଡିଜିପି ଅଫିସ ଘେରାଉ ବେଳେ ପୁଲିସର ଲାଠିମାଡ : ମାଡଖାଇଲେ ୭୦ ବର୍ଷର ମହିଳା

25

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଆଦିବାସୀଙ୍କୁ ନ୍ୟାୟ ଦାବିକରି ବିକ୍ଷୋଭ ବେଳେ ମାଡ ଖାଇଲେ ଆଦିବାସୀ ମହିଳା । କଟକ ନଗର କଂଗ୍ରେସ କମିଟି ପକ୍ଷରୁ ଡିଜିପି ଅଫିସ ଘେରାଉ ବେଳେ ଜଣେ ମହିଳା ବିକ୍ଷୋଭକାରୀଙ୍କୁ ପୋଲିସର ଲାଠିମାଡ । ୭୦ ବର୍ଷର ଏହି ଆଦିବାସୀ ମହିଳା, କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡରେ ମୃତାହତଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ କରୁଥିଲେ । ହେଲେ ଏଠି ବି ଆଦିବାସୀଙ୍କୁ ଛାଡିନି ପୋଲିସ । ଲାଠିମାଡରେ ଆହତ ହୋଇଛନ୍ତି ମହିଳା ଜଣକ । ସେପଟେ କଂଗ୍ରେସ କର୍ମୀଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ । ବିକ୍ଷୋଭକାରୀ କଂଗ୍ରେସ କର୍ମୀ ପୋଲିସ ଉପରକୁ ଟମାଟୋ ଓ ପାଣି ପାଉଚ ମାଡ କରିଛନ୍ତି । ଡିଜିପି ଅଫିସ ଘେରାଉ ଉଦ୍ୟମ କଲାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କଂଗ୍ରେସ କର୍ମୀ । ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ନେଇ ରାଜନୀତି ଜୋରଦାର କରିଛି କଂଗ୍ରେସ । ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଗୁମୁଡୁମାହା ଗୁଳିକାଣ୍ଡ ପୀଡିତ, ବନମାଳି ମଲ୍ଲିକଙ୍କୁ କଂଗ୍ରେସ ପ୍ରତିନିଧି ଦଳ ଭେଟିବା ପରେ ପୋଲିସ ବର୍ବରତା ବିରୋଧରେ ଆଜି ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ଘେରାଉ କରିଛି କଟକ ନଗର କଂଗ୍ରେସ ।