ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ପାଇଁ ମତଦାନ ଆରମ୍ଭ ! ୫୯ଟି ଲେଖାଁଏ ଆସନରେ ଚାଲିଛି ଭୋଟିଂ

50

କନକ ବ୍ୟୁରୋ: ମେଘାଳୟ ଓ ନାଗାଲାଣ୍ଡରେ ଆଜି ଭୋଟ୍ । ଉତ୍ତରପୂର୍ବ ଭାରତର ୨ଟି ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡରେ ଆଜି ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ କରାଯାଉଛି । ନାଗାଲାଣ୍ଡର କିଛି ଜିଲ୍ଲାକୁ ଛାଡି ଦେଲେ ବାକି ସମସ୍ତ ଅଂଚଳରେ ସକାଳ ୭ଟାରୁ ଅପରାହ୍ନ ୩ଟା ଯାଏଁ ଭୋଟ ଗ୍ରହଣ କରାଯିବ । ମେଘାଳୟ ଓ ନାଗାଲାଣ୍ଡର ଫଳାଫଳ ମଧ୍ୟ ତ୍ରିପୁରା ସହ ମାର୍ଚ୍ଚ ୩ ତାରିଖରେ ପ୍ରକାଶ ପାଇବ । ୬୦ ଆସନ ବିଶିଷ୍ଟ ମେଘାଳୟର ବିଧାନସଭା ଆସନ ପାଇଁ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି ୩୭୦ ଜଣ ପ୍ରାର୍ଥୀ । ରାଜ୍ୟରେ ମୋଟ ୩ ହଜାର ୮୩ଟି ମତଦାନ କେନ୍ଦ୍ରରେ ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୮.୪ ଲକ୍ଷ ଭୋଟର । ସେପଟେ ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭା ପାଇଁ ଆଜି ୨ ହଜାର ୧୫୬ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଉଛି । ୧୧ ଲକ୍ଷ ୯୧ ହଜାର ୫୧୩ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିିବେ ।

ସୂଚନା ଥାଉ କି, ୬୦ ବିଧାନସଭା ଆସନ ବିଶିଷ୍ଟ ଉଭୟ ମେଘାଳୟ ଏବଂ ନାଗାଲାଣ୍ଡ ରାଜ୍ୟରେ ୫୯ଟି ଲେଖାଏଁ ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ହେଉଛି । ନିର୍ବାଚନ ଜିତିବା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ଜୋରସୋର ଉଦ୍ୟମ ଜାରି ରଖିଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ ମେଘାଳୟରେ କଂଗ୍ରେସ ପାଇଁ ଚଳିତ ଥରର ନିର୍ବାଚନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଗତ ୧୦ବର୍ଷ ହେଲା ମେଘାଳୟରେ କ୍ଷମତା ଅକ୍ତିଆର କରିଥିବା କଂଗ୍ରେସ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି । ମେଘାଳୟରେ କଂଗ୍ରେସ ୫୯ ଜଣ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୪୯ ଜଣଙ୍କୁ ଛିଡ଼ା କରାଇଛି । ସେହିପରି ୧୯୬୩ ମସିହାରେ ନାଗାଲାଣ୍ଡ୍ ଗଠନ ପରଠାରୁ ରାଜ୍ୟକୁ ୩ ଥର ମୁଖ୍ୟମନ୍ତ୍ରୀ ଦେଇଥିବା କଂଗ୍ରେସ ଏଥର ମାତ୍ର ୧୮ଟି ଆସନରୁ ଲଢ଼ୁଥିବାବେଳେ ବିଜେପି ୨୦ଟି ଆସନରେ ପ୍ରାର୍ଥୀ ଦେଇଛି ।

ସେହିପରି ବିଜେପିର ସହଯୋଗୀ ଏନଡିପିପି (ନ୍ୟାସନାଲ ଡିମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି) ୪୦ଟି ଆସନରୁ ଲଢ଼ୁଛି । ମେଘାଳୟରେ ମୋଟ ୧୮ଲକ୍ଷ ୪୦ ହଜାର ଭୋଟର ୩,୦୮୩ ମତଦାନ କେନ୍ଦ୍ରରେ ୩୭୦ ଜଣ ଆଶାୟୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ରାଜ୍ୟରେ ପ୍ରଥମ ଥର ପାଇଁ କେବଳ ମହିଳାଙ୍କ ପାଇଁ ୬୭ଟି ମତଦାନ କେନ୍ଦ୍ର ଏବଂ ୬୧ଟି ଆଦର୍ଶ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିବା ମେଘାଳୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏଫ୍ଆର୍ ଖାରକୋଙ୍ଗୋର ସୂଚନା ଦେଇଛନ୍ତି । ସେହିପରି ନାଗାଲାଣ୍ଡରେ ସମୁଦାୟ ୧୧,୯୧,୫୧୩ ଭୋଟର ୨,୧୫୬ ମତଦାନ କେନ୍ଦ୍ରରେ ମତଦାନ ହେଉଛି ।