ନଗଡା ଶିଶୁ ମରିବେ କାହିଁକି : ଗ୍ରାଉଣ୍ଡ ଜିରୋରେ ପହଚିିଂଲା କନକ ନ୍ୟୁଜ୍

37

ଯାଜପୁର : ଅପହଂଚ ସରକାରୀ ଯୋଜନା, ଅଭିଶପ୍ତ ଶୈଶବ । ଗାଁକୁ ରାସ୍ତା ନାହିଁ, ପଡିଛି ମୃତ୍ୟୁର ସେତୁ । ମାସଟିଏ ଭିତରେ ଗଲାଣି୧୯ ଶିଶୁଙ୍କ ଜୀବନ । ଏବେବି ଜୀବନ ସହ ସଂଗ୍ରାମ କରୁଛନ୍ତି ୨୦ ଶିଶୁ । ଶିଶୁ ମୃତ୍ୟୁର ଯେମିତି ଗଡ଼ ପାଲଟି ଯାଇଛି ଯାଜପୁର ଜିଲ୍ଲା ନଗଡ଼ା ଗାଁ । ସ୍ୱାଭିବିକ ଭାବରେଏହି ପ୍ରଶ୍ନ ଉଠୁଛି ଏମାନେ ନୁହଁନ୍ତି କି ଓଡ଼ିଶାର ପିଲା । କାହିଁକି ମରିବେ ନଗଡାର ଶିଶୁ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ । ଯେଉଁ ବାସ୍ତବ ଚିତ୍ର ସାମନାକୁ ଆସିଲା, ତାହା ଜାଣିଲେ ଯେ କୌଣସି ଲୋକଙ୍କ ହୃଦୟ ବିଚଳିତ ହୋଇପଡିବ । ନା ଅଛି ଲୋକଙ୍କ ପାଖରେ କର୍ମସଂସ୍ଥାନ । ନା ଅଛି ପେଟ ପୂରା ଖାଇବାକୁ । ଭାତ ଶାଗରେ ଓଳିଏ ଖାଇ ଓଳିଏ ଉପବାସ ରହୁଛନ୍ତି ଲୋକେ । ନଗଡାର ଦୃଶ୍ୟ ଦେଖିଲେ ଲାଗୁଛି ସତେ ଯେପରି ଏହା ଓଡ଼ିଶାରେ ସେମାଲିଆର ଚିତ୍ର । ଏହାହିଁ ବୟାନ କରୁଛି ଅପପୃଷ୍ଟି ଓ ଅନାହାରର କାହାଣୀ । ମାଂସ ହାଡ଼ର କୁନି ଶରୀରକୁ ଯେମିତି ଉପହାସ କରୁଛି ଜୀବନ । ମାସଟିଏ ଭିତରେ ଆଖି ବୁଜି ଦେଲେଣୀ ୧୯ ଶିଶୁ, ଏବେବି ଅନେକ ଜୀବନ ଯୁଦ୍ଧର ସଂଗ୍ରାମ କରୁଛନ୍ତି । ଇଏ କାହାଣୀ କେଉଁ ଉପାନ୍ତ ଇଲାକାର କାହାଣୀ ନୁହେଁ । ରାଜ୍ୟର ଅର୍ଥନୀତିରେ ସାରଥୀ ସାଜିଥିବା ଯାଜପୁର ଜିଲ୍ଲାର ।

ଦୁର୍ଦ୍ଦଶା ଓ ଭାଗ୍ୟକୁ ଆଦରୀ ପଡ଼ି ରହିଛି ସୁକିନ୍ଦା ବ୍ଲକ୍ ନଗଡ଼ା ଗାଁ । ଅଭିଶପ୍ତ ଶୈଶବର ଯେମିତି ଏବେ ନକ୍ସା ପାଲଟିଛି ନଗଡ଼ା ଗାଁ । ଦୁର୍ଗମ ପାହାଡ଼ ଘେରା ଭିତରେ ଜଙ୍ଗଲି ମୁଲକ । ହାତଗଣତି କିଛି ଝୁମ୍ପୁଡ଼ି ଘରକୁ ନେଇ ନଗଡ଼ା ଗାଁ । ଉପର ନଗଡ଼ା, ମଝି ନଗଡ଼ା ଓ ତଳ ନଗଡ଼ା ବସ୍ତିକୁ ନେଇ ମୋଟ୍ ୩୭ ଜୁଆଙ୍ଗ ପରିବାକୁ ନେଇ ଏଇ ଗାଁ । ସରକାରୀ ସୁବିଧା ସୁଯୋଗ ତ ଦୂରର କଥା, ଗମନାଗମନର ସମାନ୍ୟତମ ସୁବିଧା ବି ନାହିଁ । ତୋରାଣୀ ମିଶା ପଖାଳ ଓ ଲୁଣରେ ଏମାନଙ୍କ ଜୀବନ । କେଉଁ କାରଣରୁ ଏତେ ସଂଖ୍ୟାରେ ଶିଶୁ ପ୍ରାଣ ହରାଉଛନ୍ତି, ତା’ର ସରଜମିନ ଯାଂଚ୍ କରୁଛି ସ୍ୱାସ୍ଥ୍ୟ ବିଭାଗ । ନଗଡ଼ା ଗାଁର ସମସ୍ୟାକୁ ଦେଖି ସେହି ଅଚଂଳରେ ଏକ ପୁଷ୍ଟି ଥଇଥାନ କେନ୍ଦ୍ର ଖୋଲିବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ରାଜ୍ୟର ସ୍ୱାସ୍ଥ୍ୟ ସେବା ଓ ସରକାରୀ ଯୋଜନା ଉପରେ ଯେମିତି ଏକ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି ନଗଡ଼ା ଗାଁର କାହାଣୀ । କାହିଁକି ଏତେ ଅବହେଳିତ ହୋଇଛି ଏହି ଅଂଚଳ ।ପ୍ରଶାସନ କଣ ଏପରି ଶିଶୁ ମଡକ ହେବା ପର୍ଯ୍ୟନ୍ତ ଆଖି ବୁଜି ପଡିଥିଲା? ବେଶ କିଛି ଦିନ ଧରି ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବି ସରକାର କଳ କାହିଁକି ଶୋଇ ରହିଥିଲା । ଏସବୁ ପ୍ରଶ୍ନ ଉତର ଦେବାକୁ ପଡିବ ରାଜ୍ୟ ସରକାରଙ୍କୁ ।