ତିନି ବର୍ଷ ପରେ ପୁଣି ତାଜା ହୋଇଛି ନଗଡାର ନଗ୍ନ ଚିତ୍ର: ଭୋକର ଭୂଗୋଳ ଭିତରେ ଖାଦ୍ୟ ଖୋଜୁଛି ନଗଡାର ଭାଗ୍ୟ

ଭୋକର ଭୂମିରେ ଅଟକିଗଲା ବିକାଶର ଗାଡି଼...

193

କନକ ବ୍ୟୁରୋ: ତିନି ବର୍ଷ ତଳେ ନିଦ ହଜାଇ ଦେଇଥିବା ନଗଡ଼ାର ନଗ୍ନଚିତ୍ର ଏବେ ତିନି ବର୍ଷ ପରେ ପୁଣି ତାଜା ହୋଇଛି । ଭୋକର ଭୂମିରେ ସରକାର ବିକାଶର ବୀଜ ବୁଣିବା ପରେ ଯଦିଓ କିଛିଟା ପରିବର୍ତ୍ତନ ଆସିଛି ହେଲେ ତଥାପି ନଗଡାବାସୀଙ୍କ ପେଟରୁ ଭୋକ ମିରିନି । ତାଙ୍ଗ ନିଦୁଆ ଆଖିରୁ ନେହୁରାର ଠାର ଜମା ଯାଇନି । ଏବେବି ନଗଡାବାସୀ ଭାତ ଆଉ ଆଳୁ ଖାଇ ବଞ୍ଚୁଥିବାର ଚିତ୍ର ସାମ୍ନାକୁ ଆସିଛି । ସରକାର ମାସକୁ ୩୫ କିଲୋ ଚାଉଳ ଦେଇ ତାଙ୍କ କାମ ସାରି ଦେଉଥିବା ବେଳେ ଭାତ ସହ ତରକାରୀ ପାଇଁ ଡାଲି ସଉଦା କେଉଁଠୁ ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ନଗଡ଼ାବାସୀ । ଉତ୍ତମ ଖାଦ୍ୟ ପାଉନଥିବାରୁ ନଗଡାରେ ରହୁଥିବା ଅନେକ ପିଲା ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ଶିଶୁ ମୃତ୍ୟୁର ଉପତ୍ୟାକା ପାଲଟିଥିବା ଯାଜପୁର ଜିଲ୍ଲାର ନଗଡା ଅପପୃଷ୍ଟି ପାଇଁ ୨୦୧୬ରେ ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା । ଅପପୃଷ୍ଟିରେ ୧୯ ଶିଶୁଙ୍କ ପ୍ରାଣହାନୀ ପରେ ସାମ୍ନାକୁ ଆସିଥିଲା ନଗଡ଼ାର ନଗ୍ନ ଚିତ୍ର । ନଗଡାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେବା ପରେ ନଗଡାର ବିକାଶ ପାଇଁ ଅଂଟା ଭିଡିଥିଲେ ସରକାର । ଯୁଦ୍ଧକାଳୀନ ଭିତ୍ତିିରେ ଆରମ୍ଭ ହୋଇଥିଲା ନଗଡାର ଉନ୍ନୟନ କାର୍ଯ୍ୟ । ନଗଡାର ଜୁଆଙ୍ଗ ଆଦିବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ୩ ବର୍ଷରେ ଖର୍ଚ୍ଚ ହୋଇଛି ପ୍ରାୟ ୨୪ କୋଟି ଟଙ୍କା ।


ନଗଡାର ୬୦ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି । ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଖର୍ଚ୍ଚ ହୋଇଛି ୫୩ ଲକ୍ଷ ୫୬ ହଜାର ଟଙ୍କା । ହେଲେ ଏବେ ବି ଷ୍ଟାଣ୍ଡ୍ ପୋଷ୍ଟଗୁଡ଼ିକ ଅଚଳ । ଅଧାରେ ପଡ଼ିଛି ଅଧିକାଂଶ ପାଇପ୍ କାମ । ପାଇପ ପାଣି ନମିଳିବାରୁ ବାଧ୍ୟ ହୋଇ ଲୋକେ ଝରଣା ଓ ଚୁଆର ପାଣି ପିଉଛନ୍ତି । ପିଇବା ପାଣି ପାଇଁ ସେମାନଙ୍କୁ ବହୁ ଦୂରକୁ ଯିବାକୁ ପଡ଼ୁଛି । ବିଜୁଳି ସଂଯୋଗ ପାଇଁ ୧ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ହେଲେ ଏବେ ବି କୌଣସି ଘରକୁ ବିଜୁଳି ସଂଯୋଗ ହୋଇପାରିନି । ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ମେନ୍ ସୁଇଜ୍ ଓ ମିଟର ।


ନଗଡାକୁ ରାସ୍ତା ନଥିବାରୁ ରାସ୍ତା ତିଆରି ପାଇଁ ୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅପହଞ୍ଚ ପାହାଡି ଇଲାକାକୁ ନାଲି ଗୋଡି ରାସ୍ତା ମେଲିଛି । ଅଶୋକଝରରୁ ନଗଡ଼ା ପର୍ଯ୍ୟନ୍ତ ଲମ୍ବିଛି ୭.୮ କିଲୋମିଟରର ପଥର-ମୋରମ ରାସ୍ତା । ହେଲେ ଆଗକୁ ବର୍ଷା ଆସିଲେ ପୁଣି ରାସ୍ତାରୁ ମୋରମ ଉଠିଯିବ । ଆଣ୍ଠୁଏ ଆଣ୍ଠୁଏ କାଦୁଅ ହେବ । ନଗଡ଼ା ପୁଣି ଥରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯିବେ । ଆଉ ତାପରେ ନଗଡା ଯେମିତି ଥିଲା ସେମିତି ରହିଯିବ ।


ରାସ୍ତା ହେବା ପରେ ଦୁଇ ବର୍ଷ ତଳେ ପାହାଡ଼ ଉପରକୁ ଗଡିଥିଲା ବିଜୁ ଗାଡ଼ି । ଦେଓଗାଁ ପର୍ଯ୍ୟନ୍ତ ଚାଲିିଥିଲା ଏହି ବସ୍ । ମାତ୍ର ଚାରି ଦିନ ଚାଲିବା ପରେ ବସ୍ ବନ୍ଦ ହୋଇଗଲା । ଆଉ ତାପରେ ନଗଡାବାସୀଙ୍କ ବାହାରକୁ ଯିବା ସ୍ୱପ୍ନ ପାହାଡ ଭିତରେ ସମାଧି ନେଇଗଲା । ବସ ବନ୍ଦ ପରେ ଏବେ ସପ୍ତାହକୁ ଥରେ ଅର୍ଥାତ କେବଳ ଶନିବାର ଦିନ ନଗଡ଼ାରେ ମିଳୁଛି ଅଟୋ । ବାହରକୁ ଯିବା ହେଉ କିମ୍ବା ଅନ୍ତ୍ୟୋଦୟ ଯୋଜନାରେ ପରିବାର ପିଛା ୩୫ କେଜି ଚାଉଳ ଆଣିବା ପାଇଁ ସେମାନଙ୍କୁ ଯିବାକୁ ପଡ଼ୁଛି କାଳିଆପାଣି । ଆଉ କାଳିଆପାଣି ଯିବା ପାଇଁ ଦେବାକୁ ପଡୁଛି ୪୦ ଟଙ୍କା ଓ ଆସିବା ପାଇଁ ୪୦ ଟଙ୍କା ।


ନଗଡାରେ ଡାକ୍ତରୀ ସେବା ସ୍ୱପ୍ନ ପାଲଟିଛି । ଆଗରୁ ନିୟମିତ ଭାବେ ଡାକ୍ତରୀ ଦଳ ଆସି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ, ହେଲେ ଏବେ କେହି ଆସୁନଥିବା ଅଭିଯୋଗ ହୋଇଛି । ତେବେ ୩ ବର୍ଷ ପରେ ଭୋକର ଇଲାକାରୁ ଆସିଥିବା ସତ, ସରକାରଙ୍କ ପାରିବା ପଣିଆ ଉପରେ ଆଙ୍ଗୁଠି ଉଠାଇଛି । ବିକାଶର ନାରା ଦେଇ ନଗଡାରେ ସରକାର ଯେଉଁ ବିକାଶର ଗାଡି ଗଡାଇଥିଲେ ତାହା ଅଧା ବାଟରେ ଅଟକିଛି । ତେବେ ଅଧା ଅଧୁରା ହୋଇ ପଡିଥିବା କାମକୁ ପୂରା କରି ସରକାର ନଗଡାବାସୀଙ୍କୁ କେବେ ଶାନ୍ତିର ନିଦ ଦେଉଛନ୍ତି ତାକୁ ଅପେକ୍ଷା ।