କନ୍ଧମାଳରେ ବଢୁଛି ଅପପୃଷ୍ଟି : ୫ ବର୍ଷରେ ୩ ହଜାର ଶିଶୁଙ୍କର ମୃତ୍ୟୁ ସୂଚନା

153

କନକ ବ୍ୟୁରୋ : ସଚେତନତାର ଘୋର ଅଭାବ । ଯୋଜନା ବି ତୃଣମୃଳସ୍ତରରେ ପହଞ୍ଚୁ ନାହିଁ । ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ବି ଅଭାବ ରହିଛି । ଏସବୁ କାରଣରୁ ଆଦିବାସୀ ବହୁଳ କନ୍ଧମାଳରେ ଏବେ ବଢୁଛି ଅପପୃଷ୍ଟି । ଏଥିସହିତ ଶିଶୁ ମୃତ୍ୟୁହାର ବଢି ଚାଲିଛି । ସୂଚନା ମୁତାବକ ୫ ବର୍ଷରେ ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ୩ ହଜାର ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୁୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ହିଁ ଏତେ ସଂଖ୍ୟକ ଶିଶୁ ପ୍ରାଣ ହରାଇବା ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ, ୨୦୧୩-୧୪ ମସିହାରେ ୫୫୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୧୪-୧୫ ମସିହାରେ ୭୦୨, ୨୦୧୫-୧୬ ମସିହାରେ ୬୭୩, ୨୦୧୬-୧୭ ମସିହାରେ ୫୧୬ ଜଣ ଶିଶୁଙ୍କର ପ୍ରାଣହାନି ଘଟିଛି । ସେହିଭଳି, ୨୦୧୭-୧୮ ମସିହା ଏପ୍ରିଲ୍‌ ମାସ ସୁଦ୍ଧା ଏହି ସଂଖ୍ୟା ହେଉଛି ୭୫୬। ଫିରିଙ୍ଗିଆ ବ୍ଲକରେ ୫ବର୍ଷ ମଧ୍ୟରେ ସର୍ବାଧିକ ୪୮୦ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ତାପଛକୁ ଦାରିଙ୍ଗବାଡିରେ ୪୩୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଜି.ଉଦୟଗିରିରେ ସର୍ବନିମ୍ନ ୮୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି ।

ଏଭଳି ସରକାରୀ ରିପୋର୍ଟରେ ୩ ହଜାର ଶିଶୁ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିବା ବେଳେ ବେସରକାରୀ ଭାବେ ଏହାର ସଂଖ୍ୟା ସାଢେ ସାଢେ ୪ ହଜାରରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି । ଏତେ ସଂଖ୍ୟକ ଶିଶୁ ମୃତ୍ୟୁକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି । ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି, ଯାହାକି ଜିଲ୍ଲାରେ ନଗଡ଼ା ଭଳି ପରିସ୍ଥିତି ସୃଷ୍ଟି କରିଥିବା କୁହାଯାଉଛି ।