ମରଣଯନ୍ତାରେ ନଗଡା ଶିଶୁ : ସେପାଖରେ ମୃତ୍ୟୁ, ଏପାଖରେ ପ୍ରଶାସନ

77

vlcsnap-2016-07-17-19h37m52s255ମାଟିତଳେ ରତ୍ନର ଭଣ୍ଡାର । ମାଟି ଉପରେ ଭୋକର ଭୂଗୋଳ। ଦୂରରେ ଝାପସା ଝାପସା ଦିଶେ ଆଦିବାସୀର ଗାଁ। ପାଖକୁ ଗଲେ ଠିକ୍ ପଢିହୁଏ ଭୋକର ଭାଷା। ଆଖି ଯୁଆଡେ ବୁଲାଇବେ କେବଳ ଦୁର୍ଦ୍ଦିନର ଚିତ୍ର । ରାଜ୍ୟ ସରକାରଙ୍କ ମାନଚିତ୍ରରେ ନିଖୋଜ ହୋଇ ପଡିଥିବା ଏ ଇଲାକା ଏବେ ନିଜ ଦୁର୍ଦ୍ଦଶା ପାଇଁ ଚର୍ଚ୍ଚାରେ । କାରଣ ଏଠି ପଡିଛି ଶିଶୁ ମଡକ । ୩ ମାସ ଭିତରେ ଆଖି ବୁଜିଲେଣି ୧୯ ଶିଶୁ।

nagada ,jajpurଗାଁରେ ରହନ୍ତି ଜୁଆଙ୍ଗ ସଂପ୍ରଦାୟର ୩୭ ପରିବାର । ଲୋକସଂଖ୍ୟା ପ୍ରାୟ ୩ ଶହ । ଯୁବା ଓ ବୟସଙ୍କ ଅପେକ୍ଷା ଶିଶୁଙ୍କ ସଂଖ୍ୟା ଅଧିକ । ସୋମାଲିଆ ବାସିନ୍ଦାର ଭ୍ରମ ସୃଷ୍ଟି କରୁଥିବା ନଗଡାର ପିଲା । ପୁଙ୍ଗୁଳା ଦେହ ଉପରେ ଘୋଡାଇ ହୋଇ ରହିଛି ଅଭିଶପ୍ତର ଚାଦର । ଆଦିବାସୀ ବସ୍ତିରେ ଦରଭଙ୍ଗା ଚାଳିଆର ଭିଡ । ଆଉ ତା ଭିତରେ ଭୋକକୁ ମାରି ଜୀବନ ସହ ସଂଗ୍ରାମ କରୁଛି ଆଗାମୀ କାଲିର ଭବିଷ୍ୟତ । କେତେବେଳେ ଭୋକ ସହ ତ କେତେବେଳେ ରୋଗ ସହ ।

ସୁଆଦ ଏଠି ସ୍ୱପ୍ନ । ପେଟଭର୍ତ୍ତି ପାଇଁ କଂସେ ପଖାଳ । ଚାଷବାସ ହୋଇଥିଲେ ବର୍ଷଯାକ ଭୋକ ମେଂଟେ । ଆଉ ପ୍ରକୃତି ଟିକିଏ ଦାଉ ସାଧିଲେ ଚୁଙ୍ଗା ଓ ବେଙ୍ଗାକୁ ଖାଇ ବଂଚିବାକୁ ପଡେ। ଗାଁରେ ବଂଚି ରହିଛନ୍ତି ମାତ୍ର ତିନି ଚାରିଜଣ ବୟସ୍କ ଲୋକ । ଆୟୁଷ ୫୦ ଛୁଇଁବା ବେଳକୁ ଏ ଗାଁରେ ଡେରା ପକାଇଥାଏ ଯମ ।

vlcsnap-2016-07-17-19h39m10s687ଗାଁକୁ ରାସ୍ତା ନାହିଁ , ପିଇବାକୁ ଭଲ ପାଣି ନାହିଁ । ଯେଉଁଠି ଜୀବନ , ଦୀପ ଭଳି ଦକ୍ ଦକ୍ ହୋଇ ଜଳୁଛି ,ସେଠି ବିଜୁଳି କଥା ପଚାରେ କିଏ । ନାହିଁ ନାହିଁର ନଗଡା ଗାଁ ପ୍ରଶାସନ ପାଇଁ ଅପହଁଚ । ହେଲେ ସ୍ୱେଚ୍ଛାସେବୀଙ୍କ ପାଇଁ ଏହା ପରୀକ୍ଷାଗାର । ତେଣୁ ତ ମରଣ ପିଣ୍ଡାରେ ଛିଡା ହୋଇ ଘୋ ଘୋ ରାଣୀ ଖେଳୁଥିବା ପିଲାଙ୍କ ହାତରେ ସିଲଟ ଧରାଇବାକୁ ଚେଷ୍ଟା କରିଛନ୍ତି କିଛି ଅନୁଷ୍ଠାନ।