ନଗଡାକୁ ବସ୍ ବନ୍ଦ ! ଜୁଆଙ୍ଗ ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷ

46

କନକ ବ୍ୟୁରୋ : ଶିଶୁ ଅପପୁଷ୍ଟି ପାଇଁ ଚର୍ଚ୍ଚିତ ନଗଡାରେ ବନ୍ଦ ହୋଇଯାଇଛି ବସ ସେବା । ବସ ଗଡିବାର ଏକ ମାସ ନପୁରୁଣୁ ବନ୍ଦ ହୋଇଯାଇଛି ବସ ଚଳାଚଳ । ଅପପୁଷ୍ଟି ଜନିତ ଶିଶୁମୃତ୍ୟୁକୁ ନେଇ ଚର୍ଚ୍ଚାରେ ଥିବା ନଗଡ଼ାକୁ ଗତ ମାସ ୧୧ତାରିଖରେ ବସ ଚଳାଚଳ ଆରମ୍ଭ ହୋଇଥିଲା । ଏବେ ଅଧିକାଂଶ ସମୟରେ ବସରେ ଯାତାୟତ କରିପାରୁନଥିବା ଜୁଆଙ୍ଗ ଆଦିବାସୀ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ରାସ୍ତା ନିର୍ମାଣ କାମ ସରିନଥିବାବେଳେ ଅନ୍ୟପଟେ ବର୍ଷାରେ ଭଙ୍ଗାଦଦରା ବସ ପାହାଡ ଉପରକୁ ଯିବା ସମ୍ଭବ ହୋଇପାରୁନାହିଁ । ପ୍ରାୟ ୪ଦିନ ହେବ ବସରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏହା ଗ୍ୟାରେଜରେ ପଡିରହିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ନଗଡା ଶିଶୁ ଅପପୁଷ୍ଟି ଘଟଣା ପରେ ସ୍ଥାନୀୟ ଅଂଚଳର ଲୋକଙ୍କ ଉପରେ ପଡିଛି ରାଜ୍ୟ ସରକାରଙ୍କ ନଜର । ଜୁଆଙ୍ଗ ଆଦିବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଆଦି ମୌଳିକସୁବିଧା ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । କିନ୍ତୁ ବସ ସେବା ଆରମ୍ଭ ହେବାର ମାସେ ନପୁରୁଣୁ ପ୍ରଶାସନିକ ଉଦାସିନତା ଯୋଗୁଁ ବସ ଚଳାଚଳ ବନ୍ଦ ହୋଇଯାଇଛି । ରାସ୍ତା କାମ ସମ୍ପୂର୍ଣ୍ଣ ହୋଇନଥିବାରୁ ବସଟି ତଳନଗଡା ପର୍ଯ୍ୟନ୍ତ ଯାଇପାରୁନାହିଁ । ଏବଂ ପାହାଡି ରାସ୍ତାରେ ବର୍ଷା ଦିନରେ ବସ ଅଧିକାଂଶ ସମୟ ଖରାପ ହେଉଥିବାରୁ ବସ ମାଲିକ ଅଧିକ ଖର୍ଚ୍ଚାନ୍ତ ହେଉଥିବା କହିଛନ୍ତି । ସେପଟେ ଖୁବ୍ ଶିଘ୍ର ଏକ ନୂତନ ବସ୍ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ବହୁ ଆଡମ୍ବରରେ ଲଘୁ କ୍ରିୟା ନୀତିରେ ନଗଡାକୁ ବସ ସେବା ଧର୍ମକୁ ଆଖିଠାର ପରି ହୋଇଛି । ସରକାର ନିଜର ଦୋଷ ଦୁର୍ବଳତାକୁ ଲୁଚେଇବାକୁ ଯାଇ ବସ ସେବା ଘୋଷଣା କରିବା ଏବଂ ପରବର୍ତି ସମୟରେ ଏହି ଯୋଜନାକୁ ସଠିକ ଭାବରେ କାର୍ଯ୍ୟକାରୀ ନ କରିବା ଯୋଗୁଁ ନଗଡା ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।