ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ! ଜାଣନ୍ତୁ କେଉଁଥି ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

43

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଏସଆର ପାଣ୍ଠିରୁୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଅର୍ଥ ଦିଆଯାଉ ବୋଲି ଚିଠି ଲେଖିଛନ୍ତି ନବୀନ । ବର୍ତ୍ତମାନ ସିଏସଆର ପାଣ୍ଠି ପ୍ରଧାନମନ୍ତ୍ରୀ ଜାତୀୟ ରିଲଫ ଫଣ୍ଡକୁ ଯାଉଛି । ତେଣୁ ସମାନ ବ୍ୟବସ୍ଥା କରି ସିଏସଆର ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ମଧ୍ୟ ଅର୍ଥ ଦିଆଯାଉ । ଯାହାଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ବୃଦ୍ଧି ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଦ୍ୱାରା ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୩ କମ୍ପାନୀ ଆକ୍ଟ ସେକସନ-୧୩୫ ଏବଂ ୨୦୧୪ ସିଏସଆର ନିୟମ ଅନୁସାରେ ସମାନ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୧୪ ଏପ୍ରିଲ ୧ ତାରିଖରୁ ସିଏସଆର ଅଧିନରେ ଥିବା ସମସ୍ତ କମ୍ପାନୀ, ଘରୋଇ ସଂସ୍ଥାଙ୍କ ଭଳି ଯେଉଁମାନେ ୫ଶହ କୋଟି କିମ୍ବା ୧ହଜାର କୋଟି ଟର୍ନଓଭର କରି ବାର୍ଷିକ ୫ କୋଟି ଟଙ୍କାର ଲାଭ ମୂଲ୍ୟ ପାଉଛନ୍ତି ସେଥିରୁ ୨ ପ୍ରତିଶତ ଅର୍ଥ ସିଏସଆର ପାଣ୍ଠିକୁ ଯାଉଛି । ଏବଂ ସିଏସଆର ପାଣ୍ଠିରୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଯାଉଛି କିନ୍ତୁ ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏହି ଅର୍ଥ ଦିଆଯାଉ ନାହିଁ । ତେଣୁ ଏହି ଆଇନ ସଂଶୋଧନ କରି ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସିଏସଆର ଫଣ୍ଡ ଦେବା ପାଇଁ ଚିଠି ଦ୍ୱାରା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଦ୍ୱାରା ବହୁତ ଜନହୀତ କାର୍ଯ୍ୟ କରାଯାଉଛି । ଯେମିତି କି ରାଜ୍ୟରେ କୌଣସି ବିପର୍ଯ୍ୟୟ, କୌଣସି ଅପ୍ରାକୃତିକ ଦୁର୍ଘଟଣା କାରଣରୁ ମୃତ ବ୍ୟକ୍ତିଙ୍କ ପରିବାର, ସହିତ “ହରିଶ ଚନ୍ଦ୍ର ସହାୟତା ଯୋଜନା” ଭଳି ଅନେକ ଜନହୀତକାରି ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦିଆଯାଉଛି । ଅନେକ ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଉପଯୁକ୍ତ ଅର୍ଥ ନ ଥିବାରୁ ଗରିବ ,ଅସହାୟମାନେ ଏହି ସୁବିଧାରୁ ବଞ୍ଚିତ ହେଉଥିବା ପ୍ରଧାନମନ୍ତ୍ରୀଙ୍କୁ ଚିଠିଦ୍ୱାରା ଅବଗତ କରାଇଛନ୍ତି ନବୀନ । ତେଣୁ ତୁରନ୍ତ ଏନେଇ ଏକ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା କରି ସିଏସଆର ଅଧିନରେ ଥିବା ପାଣ୍ଠିରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଅର୍ଥ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।