ନୀତିନ ଗଡ଼କରିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମିବା ସମସ୍ୟା ନେଇ ହସ୍ତକ୍ଷେପ ଲୋଡ଼ିଲେ

29

କନକ ବ୍ୟୁରୋ : କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇସ୍କନ ମନ୍ଦିର ନିକଟସ୍ଥ NH-୧୬ରେ ପାଣି ଜମି ରହୁଥିବା ନେଇ ଗଡ଼କରିଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ବର୍ଷା ସମୟରେ ଇସ୍କନ ଅଂଚଳରେ ୩ ଫୁଟ ଉଚ୍ଚରେ ପାଣି ଜମି ରହୁଛି । ଯଦ୍ୱାରା ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ପାଣି ଜମିବା ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ରାଫିକ ସମସ୍ୟା ସହ ଲୋକମାନେ ଅନେକ ଅସୁବିଧା ଭୋଗୁଥିବା ଚିଠିରେ ଉଲ୍ଲେଖ ହୋଇଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଏନଏଚଏଆଇ କର୍ତ୍ତୃପକ୍ଷକୁ ଡ୍ରେନେଜ୍ ଅସୁବିଧା ନେଇ ଅବଗତ କରାଯାଇଥିଲ । ଇସ୍କନରୁ ବାଣୀବିହାର ଓ ରସୁଲଗଡ଼/ପଳାଶୁଣୀରୁ ପାହାଳ ଯାଏଁ ଡ୍ରେନେଜ ସୁବିଧା ପାଇଁ ଅଭିଯୋଗ କରାଯାଇଥିଲା । କିନ୍ତୁ ସେଥିରେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିିଛି । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏପରି ଅସୁବିଧା ହେଉଛି ।

ସୂଚନାଯୋଗ୍ୟ ଇସ୍କନ, ଜୟଦେବ ବିହାର, ରସୁଲଗଡ଼ ଓ ପାହାଳରେ ଜମୁଛି ପାଣି । ଅସରାଏ ବର୍ଷା ହେବା କ୍ଷଣି ଦେଶର ପ୍ରଥମ ସ୍ମାର୍ଟସିଟି ଆଖ୍ୟା ପାଇଥିବା ଭୁବନେଶ୍ୱରରେ ଦେଖିବାକୁ ମିଳୁଛି କୃତ୍ରିମ ବନ୍ୟା । ସହରର ପ୍ରମୂଖ ସ୍ଥାନ ଏପରିକି ସହରକୁ ଲାଗି ଯାଇଥିବା ଜାତୀୟ ରାଜପଥରେରେ ବନ୍ୟାର ବିଭିଷୀକା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଯାହାଦ୍ୱାରା ରାଜଧାନୀବାସୀଙ୍କ ଜୀବନଯାପନ ଦୁର୍ବିସହ ହୋଇପଡୁଛି । ତେବେ ଭୁବନେଶ୍ୱର ସହରର ଜଳ ନିଷ୍କାସନ ପାଇଁ ମୋଟ ୧୧ଟି ଜଳ ନିଷ୍କାସନ ଏବଂ ଚିହ୍ନଟ ହୋଇଥିବା ଅତିରିକ୍ତ ଏକ ପ୍ରାକୃତିକ ଚାନେଲ୍ସ ଅବସ୍ଥିତ ଅଛି । ତାହାପୁଣି ସ୍ମାର୍ଟସିଟିର ପଶ୍ଚିମରୁ ପୂର୍ବ ପରିଧି ମଧ୍ୟରେ ସହରରେ ଜମୁଥିବା ବର୍ଷାଜଳକୁ ନିଷ୍କାସିତ କରିବା ପାଇଁ ରହିଛି । ହେଲେ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଏବଂ ବିଡିଏ ଓ ବିଏମସି ପ୍ଲାନ ମୁତାବକ ହୋଇଥିବା ଡ୍ରେନେଜ ଗୁଡିକର ସଫେଇ ଠିକ ସମୟରେ ନହେବା ବର୍ଷାପାଣି ଜମିବାର ପ୍ରମୂଖ କାରଣ ବୋଲି ଆଶଙ୍କା କରାଯାଉଛି ।