ନବୀନ ଜୀ କୈସେ ହେଁ . . . ଗୋଟିଏ ଫୋନକଲ୍ କଣ ବଦଳାଇ ଦେଲା ନବୀନଙ୍କ ନିଷ୍ପତ୍ତି? ରାଷ୍ଟ୍ରପତି ରେସର ଭିତିରି କଥା ।

105

ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେବ ବିଜେଡି । ଦଳ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବୟାନ ପରେ ଓଡିଶା ରାଜନୀତିରେ ହଲଚଲ । ରାଜ୍ୟରେ ଦୁଇ ଦଳ ଅର୍ଥାତ୍ ବିଜେଡି ଆଉ ବିଜେପି ଭିତରେ ଯେତେବେଳେ ଘମାଘୋଟ୍ ଲଢେଇ ଚାଲିଛି ଠିକ୍ ସେତିକି ବେଳେ ନବୀନଙ୍କର ଏହି ବିଜେପି ପ୍ରୀତି ସାମ୍ନାକୁ ଆସିଛି । ହେଲେ ଏହା ପଛରେ କିନ୍ତୁ ବହୁ ଭାବିଚିନ୍ତି କାରଣ ରଖିଛନ୍ତି ବିଜେଡି ସୁପ୍ରିମୋ ।
ନବୀନ କହିଛନ୍ତି, ରାମନାଥ କୋବିନ୍ଦଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଫୋନ୍ କରି ସହାୟତା ଲୋଡିଥିଲେ । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ନିଜ ସମର୍ଥନର ହାତ ବଢାଇଥିଲେ । ଖାଲି ଏତିକି ନୁହେଁ, ଅତୀତର ଘଟଣାକୁ ମଧ୍ୟ ଏକ କାରଣ ହିସାବରେ ଦର୍ଶାଇବାକୁ ଭୁଲିନାହାନ୍ତି ନବୀନ । କହିଛନ୍ତି, ଗତଥର ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା, ସେତେବେଳେ ବିଜେଡି ପି. ଏ. ସାଙ୍ଗମାଙ୍କ ନାଁ ଘୋଷଣା କରିଥିଲା ।

ବିଜୁ ଜନତା ଦଳର ଅନୁରୋଧ କ୍ରମେ ବିଜେପି ସମେତ ଅନେକ ରାଜନୈତିକ ଦଳ ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇଥିଲେ । ଏହାକୁ ଆଖି ଆଗରେ ରଖି ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପରେ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଜଣାଇବାକୁ ବିଜେଡି ନିଷ୍ପତ୍ତି ନେଇଥିବା କଥା ନବୀନ କହିଥିଲେ । ଖାଲି ଏତିକି ନୁହେଁ, ରାମନାଥ କୋବିନ୍ଦ ଜଣେ ପ୍ରଖ୍ୟାତ୍ ଆଇନଜୀବି ଯିଏ ଜଣେ ଦଳିତ ବର୍ଗରୁ ଆସୁଛନ୍ତି, ତେଣୁ ବିଜେଡି ତାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ରିଲିଜର ଶେଷ ଲାଇନ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯେଉଁଥିରେ ନବୀନ କହିଛନ୍ତି, ରାଜନୈତିକ ଅଭିସନ୍ଧିରୁ ଦେଶର ରାଷ୍ଟ୍ରପତି ପଦ ଉଚ୍ଚରେ, ଆଉ ବିଜେଡି ଏହାକୁ ରାଜନୀତିରୁ ଉର୍ଦ୍ଧ୍ୱରେ ରଖିବାକୁ ଚାହୁଁଛି । ଏଇ କେଇ ପଦ କଥା ହିଁ, ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । ରାଷ୍ଟ୍ରପତି ପଦବୀର ରାଜନୀତିକରଣ ହେଉଛି କି? ଏହି ପ୍ରସଙ୍ଗ ଉପରେ ତ ଆଲୋଚନା କରିବା, ହେଲେ ବିଜେଡି ଯେଉଁଭଳି ଭାବେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କଲା, ତାହା ଅନେକଙ୍କୁ ବିସ୍ମିତ ମଧ୍ୟ କରିଛି ।

ଯେତେବେଳେ ମୋଦି ସରକାରଙ୍କ ବିରୋଧରେ ବିଜେଡି ଅନେକ ଦିଗରୁ ଲଢେଇ କରୁଛି, ଠିକ୍ ସେତିକି ବେଳେ ଏଭଳି ସମର୍ଥନ ପଛର କାରଣ କଣ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କେନ୍ଦ୍ରୀୟ ଅନୁଦାନ କାଟିବା, ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି, ଛତିଶଗଡ ମହାନଦୀ ପାଣି ଅଟକାଇବା ଏବଂ ଓଡିଶାର ସ୍ୱାର୍ଥ ବିରୋଧରେ କେନ୍ଦ୍ର କାମ କରିବା, ଏଭଳି ଅନେକ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଉଛନ୍ତି ବିଜୁ ଜନତା ଦଳର ନେତା ।

ବିଜେପିର ନିଷ୍ପତ୍ତି ଓଡିଶାର ସ୍ୱାର୍ଥ ବିରୋଧୀ କହିବା ସହ ସିବିଆଇକୁ ଜାଣିଶୁଣି ଦଳୀୟ ନେତାଙ୍କ ବିରୋଧରେ ବ୍ୟବହାର କରାଯାଉଥିବା ଦଳ ଅଭିଯୋଗ ଆଣିଥିଲା । ତେଣୁ ଏଭଳି ସ୍ଥଳେ ରାଜନୈତିକ ଅଭିସନ୍ଧି ବାହାରେ ନବୀନ ବାବୁ ଏହି ନିଷ୍ପତ୍ତି ନେଇଥିବେ, ଏହା ଆକଳନ କରିବା ବୋଧହୁଏ ଭୁଲ ହୋଇଯିବ । ଭଲ ହୋଇଥାନ୍ତା, ଯଦି ମୋଦିଙ୍କ ସହ ଆଲୋଚନା ବେଳେ ନବୀନ ବାବୁ ତାଙ୍କୁ ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ପାଇଁ କରିଥିବା ଦାବି ସଂପର୍କରେ ମନେ ପକାଇଦେଇଥାନ୍ତେ ।

ଚିଠି ଲେଖିବା ସତ୍ୱେ କେନ୍ଦ୍ର ଯେତେବେଳେ ପଦକ୍ଷେପ ନେଉନାହିଁ, ଠିକ ସେତିକିବେଳେ ଏହା ନବୀନ ବାବୁଙ୍କ ପାଇଁ ଏକ ସୁଯୋଗ ଆଣିଥିଲା, ନିଜ ଦାବି ହାସଲ କରିନେବାକୁ, ଯାହା ସେ ହାତଛଡା କରିଛନ୍ତି ବୋଲି କୁହାଯାଉଛି । ଖାଲି ଏତିକି ନୁହେଁ, କେନ୍ଦ୍ରରୁ ସ୍ୱତନ୍ତ୍ର ପ୍ୟାକେଜ ପାଇବା ଅଥବା ରାଜ୍ୟବାସୀଙ୍କ ହକ୍ ପାଇଁ ଲଢେଇରେ ନବୀନ ବାବୁ ପଛରେ ରହିଯାଇଥିବା ଅନୁମାନ କରାଯାଉଛି ।

ବିଜୁ ଜନତା ଦଳର ସାଂସଦ ତଥାଗତ ଶତପଥୀଙ୍କ ଖବରକାଗଜ ଧରିତ୍ରୀର ସଂପାଦକୀୟ ପୃଷ୍ଠାରେ ବାହାରିଥିବା ଲେଖା ଅନୁସାରେ, ରାଜ୍ୟରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ରହିଛି । ଭାଜପାର ସବୁ ପଦକ୍ଷେପକୁ ବିଜେଡି ସମର୍ଥନ କରିଯାଉଥିବାରୁ ତାହାର ନିଜସ୍ୱ ସ୍ଥିତି ଦୁର୍ବଳ ହେବାର ସବୁ ଆଶଙ୍କା ରହିଛି । ଆଉ ବିଜେଡି ଯେଭଳି ତତକ୍ଷଣାତ୍ ନିଷ୍ପତ୍ତି ନେଉଛି ଏଥିରୁ ଲାଗିବ, ମହାନଦୀ, ପୋଲାଭରମ୍ ଓ କେନ୍ଦ୍ର ବିଭିନ୍ନ ଯୋଜନାରୁ ଅର୍ଥ କାଟ୍ ପ୍ରସଙ୍ଗରେ ଲଢିବାକୁ ବିଜେଡିର ଆନ୍ତରିକତା ନାହିଁ ।

ମୋଦିଙ୍କ ଜଣେ ବିରୋଧୀ ଭାବେ ତଥାଗତ ଜଣାଶୁଣା । ତେଣୁ ସ୍ୱାଭାବିକ ଭାବେ ସେ ଏହି ନିଷ୍ପତିକୁ ବିରୋଧ କରିଛନ୍ତି । ହେଲେ ତାଙ୍କ ଖବରକାଗଜରେ ଯେଉଁ ସବୁ ଦିଗକୁ ଉଲ୍ଲେଖ କରାଯାଇଛି, ଏଥିରେ କିଛି ବାସ୍ତବତା ମଧ୍ୟ ରହିଛି । କିଛିଦିନ ତଳେ ବିଜେଡି ସରକାରର ଚତୁର୍ଥ ପାଳିର ୩ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ତଥାଗତ ବାବୁ କହିଥିଲେ, ବିଜେପିକୁ ନେଇ ଆମ ଷ୍ଟାଣ୍ଡ ସ୍ପଷ୍ଟ ହେବା ଦରକାର ।

କିଏ କଣ କହୁଛି, କେତେ ପ୍ରକାର କଥା ସାମ୍ନାକୁ ଆସୁଛି, ହେଲେ ଦଳର ସୁପ୍ରିମୋ ଏବାବଦରେ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର । ଆଜି କଣ ଏକଥା ବୁଝିବାକୁ ପଡିବ ଯେ, ବିଜେପିକୁ ନେଇ ନବୀନ ବାବୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଗତ କିଛି ବର୍ଷ ଧରି ଓଡିଶା ରାଜନୀତିରେ ଗୋଟିଏ କଥା ବହୁବାର ଆଲୋଚନା ହୋଇଛି, ତା ହେଉଛି, ନବୀନବାବୁଙ୍କ ସମଦୂରତ୍ୱ ନୀତି । ଅର୍ଥାତ୍ ବିଜେପି ଆଉ କଂଗ୍ରେସ ଠାରି ବିଜୁ ଜନତା ଦଳ ସମଦୂରତ୍ୱ ନୀତି ଆପଣାଇବ ।

ଏଭଳି କ୍ଷେତ୍ରରେ ନବୀନ ବାବୁ ଯେଉଁଭଳି ତରବରିଆ ନିଷ୍ପତ୍ତି ନେଲେ ଲାଗୁଛି, ସେହି ନୀତିରେ ବିଜେଡି ମୁଖିଆ ଆଉ ବିଶ୍ୱାସ କରୁନାହାନ୍ତି । ଏଥିପାଇଁ ଆମେ ଏହି କଥା କହୁଛୁ, କାରଣ କଂଗ୍ରେସ ମଧ୍ୟ ଜଣେ ଦଳିତ ବର୍ଗର ବ୍ୟକ୍ତିଙ୍କ ରାମନାଥ କୋବିନ୍ଦଙ୍କ ବିରୋଧରେ ଠିଆ କରିପାରେ । ଆଉ ସେହି ସମୟରେ ନବୀନ ବାବୁ ଧର୍ମସଂକଟରେ ପଡିବେ । କୁହାଯାଉଛି, ନବୀନ ବାବୁ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି ।

ପ୍ରଥମତଃ ବିଜେଡି ବିରୋଧରେ କେନ୍ଦ୍ର ଯେଉଁ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିଲା, ତାହା ବଦଳିବ ଆଉ ଦ୍ୱିତୀୟରେ ଜଣେ ଦଳିତ ଦରଦୀ ନେତା ଭାବେ ନବୀନଙ୍କ ଭାବମୂର୍ତ୍ତି ଆହୁରି ଉପରକୁ ଉଠିବ । ରାଜ୍ୟରେ ମୋଟ୍ ଜନସଂଖ୍ୟାର ପାଖାପାଖି ୧୭ ପ୍ରତିଶତ ହେଉଛନ୍ତି ଦଳିତ । ତେଣୁ ବିଜେପି ରାଜ୍ୟରେ ଯେଉଁ ଦଳିତ କାର୍ଡ ଖେଳିବା ଆରମ୍ଭ କରିଥିଲା, ତାକୁ ରୋକିବାକୁ ନବୀନଙ୍କର ଏହା ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି ।

ନବୀନଙ୍କର ଏହି ନିଷ୍ପତ୍ତି ରାଜ୍ୟ ବିଜେପିର ନେତୃବୃନ୍ଦଙ୍କୁ ମଧ୍ୟ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି । ଆଜିର ଦିନରେ ବି ବିଜେପିର ରାଷ୍ଟ୍ରୀୟ ସ୍ତରୀୟ ନେତୃତ୍ୱଙ୍କ ସହ ତାଙ୍କ ସମ୍ବନ୍ଧ ବେଶ ନିବିଡ ବୋଲି ନବୀନ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି । ଦୁଇ ଦୁଇ ଥର ନରେନ୍ଦ୍ର ମୋଦି, ନବୀନଙ୍କ ସହ ଆଲୋଚନା କରିଥିଲେ । ଲୋକସଭାରେ ୨୦, ରାଜ୍ୟସଭାରେ ବିଜେଡି ସମର୍ଥିତ ସ୍ୱାଧୀନ ସଦସ୍ୟଙ୍କୁ ମିଶାଇ ୯ ସାଂସଦ, ୧୧୭ ବିଧାୟକଙ୍କ ଭୋଟ୍ ବିଜେପି ପାଇଁ ଶେ ଆବଶ୍ୟକ ଥିଲା ।

ତେଣୁ ମୋଦି ନବୀନଙ୍କୁ ମନାଇବାରେ ସଫଳ ହୋଇଥିଲେ, ହେଲେ ନବୀନ ନିଜ ରାଜ୍ୟ ପାଇଁ କିଛି ହାସଲ କରିବାରେ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନର ସମୟରେ ନବୀନ ମୋଦିଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି । କାରଣ ଦଳର ଅନେକ ନେତା ସିବିଆଇ ଜାଲରେ ଛନ୍ଦି ହୋଇଛନ୍ତି । ମୋଦିଙ୍କୁ ସମର୍ଥନ ଜଣାଇ ରାଜ୍ୟ ବିଜେପିକୁ ତୁନି କରିବାକୁ ନବୀନ ଚାହୁଁନ୍ତି, କାରଣ ୨୦୧୯ରେ ପୁଣି କ୍ଷମତାକୁ ଆସିବାକୁ ବିଜେଡି ଚଳାଇଛି ରଣନୀତି ।

ଏହାପୂର୍ବରୁ ନବୀନ ମୋଦିଙ୍କ ବିମୁଦ୍ରାକରଣ ନିଷ୍ପତ୍ତିକୁ ସମର୍ଥନ ଜାଣାଇଥିଲେ । ଜିଏସଟି ଏବଂ ଏମଏମଡିଆର୍ ବିଲକୁ ମଧ୍ୟ ସଂସଦରେ ବିଜେଡି ସମର୍ଥନ ଜଣାଇଥିଲା । ହେଲେ ଜମି ଅଧିଗ୍ରହଣ ବିଲ୍ ବେଳେ ନବୀନଙ୍କ ଆଭିମୁଖ୍ୟ ମୋଦିଙ୍କ ବିରୋଧରେ ଥିଲା ଓ ସେ ବିରୋଧୀ ପକ୍ଷଙ୍କ ସହ ରହିଥିଲେ । ତେବେ ବଡ କଥା ହେଉଛି, ମୋଦିଙ୍କ ଫୋନ୍ ଆଗରୁ ବିରୋଧୀପକ୍ଷ ଅନେକ ବାର ନବୀନଙ୍କୁ ନିଜ ସପକ୍ଷକୁ ନେବାକୁ ଉଦ୍ୟମ କରିଥିଲେ ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସିପିଏମ ନେତା ସୀତାରାମ ୟେଚୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭିନ୍ନ ଭିନ୍ନ ସମୟରେ ଭେଟି ଆଲୋଚନା କରିଥିଲେ । ଆଉ ଏହି ସମୟରେ ଯେ ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ କୈାଣସି ଆଲୋଚନା ହୋଇନଥିଲା, ଏକଥାକୁ କେହି ବି ଅସ୍ୱୀକାର କରିବେ ନାହିଁ । ଶେଷରେ ବିରୋଧୀ ପକ୍ଷ ସହ ରହିବା ବଦଳରେ ନବୀନ ଶାସକ ଭାରତୀୟ ଜନତା ପାର୍ଟି ଆଡକୁ ଢଳିବାକୁ ନିଷ୍ପତ୍ତି ନେଲେ, ଯାହା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

ଏବେ ପ୍ରଶ୍ନ ଉଠୁଛି, ନବୀନଙ୍କ ସମଦୂରତ୍ୱ ପଲିସିର ହେବ କଣ? ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ବିଜେପିର ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିରୋଧରେ କଂଗ୍ରେସ ଆଉ ଜଣେ ଦଳିତଙ୍କୁ ପ୍ରାର୍ଥୀ କରିପାରେ । ଏନେଇ ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶୀଲ କୁମାର ସିଂଧେଙ୍କ ସମେତ ଆଉ କିଛି ନାଁକୁ ନେଇ ବି ଚର୍ଚ୍ଚା ହେଉଛି । ଆଉ ଏଭଳି ସ୍ଥଳେ ନବୀନ ପଡିବେ ଧର୍ମସଂକଟରେ ।

କଂଗ୍ରେସର ପ୍ରାର୍ଥୀ ଘୋଷଣା କରିବା ଆଗରୁ ନବୀନ ଯେଉଁଭଳି ତରବରିଆ ନିଷ୍ପତ୍ତି ନେଲେ ଏହା ଅନେକଙ୍କ ମନରେ ସନ୍ଦେହ ତିଆରି କରୁଛି । ସୋମବାର ଅପରାହ୍ନରେ ବିଜେପିର ସଂସଦୀୟ ବୋର୍ଡ ବୈଠକ ପରେ ଅମିତ ଶାହ ରାଷ୍ଟ୍ରପତି ପଦ ପାଇଁ ରାମନାଥ କୋବିନ୍ଦଙ୍କ ନାଁ ଘୋଷଣା କରିଥିଲେ । ହେଲେ ଏହାର କେଇ ଘଣ୍ଟା ପରେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଲୋଡାଗଲା, ସେ କହିଥିଲେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ସମସ୍ତଙ୍କୁ ଜଣାଇ ଦିଆଯିବ ।

ହେଲେ ଏହାର କିଛି ସମୟ ପରେ ଯେତେବେଳେ ମୋଦିଙ୍କ ଫୋନକଲ୍ ଆସିଲା, ସେତେବେଳେ ନବୀନ ନିଷ୍ପତ୍ତି ନେଇଗଲେ ଆଉ ତୁରନ୍ତ ଏବାବଦରେ ଗଣମାଧ୍ୟମକୁ ଅବଗତ କରାଇ ଦିଆଗଲା । ହେଲେ ପ୍ରଶ୍ନ ଉଠୁଛି, ମୋଦିଙ୍କ ଔପଚାରିକ ଫୋନକଲକୁ କଣ ନବୀନ ଅପେକ୍ଷା କରିଥିଲେ । କେଇ ମିନିଟର ଫୋନକଲ୍ ନବୀନଙ୍କୁ ବାଧ୍ୟକଲା ବି ଏଭଳି ନିଷ୍ପତ୍ତି ନେବାକୁ ? ଯଦି ସାଙ୍ଗମାଙ୍କୁ ବିଜେପିର ସମର୍ଥନ ବଦଳରେ ବିଜେଡି ସମର୍ଥନ ଦେବାକୁ ମନସ୍ଥ କରିଥିଲା, ତେବେ ଏତେଦିନ ଯାଏଁ ନିଜ କାର୍ଡ କାହିଁକି ଖୋଲିନଥିଲା? କଂଗ୍ରେସ ଯଦି ଜଣେ ଦଳିତ ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣେ, ତେବେ ନବୀନ ଅଡୁଆରେ ପଡିବେ କି?

କିଛି ଏଭଳି ପ୍ରଶ୍ନ, ଏବେ ରାଜନୈତିକ ମହଲରେ ଉଙ୍କି ମାରିଛି । ତେଣୁ ଏହା ସ୍ପଷ୍ଟ ଭାବେ କୁହାଯାଇପାରେ, ନବୀନ ଏହାକୁ ରାଜନୀତିରୁ ଉର୍ଦ୍ଧ୍ୱରେ ଯେତେ କହିଲେ ବି ଏହା କାହା ମନରେ ବିଶ୍ୱାସ ଆଣିପାରୁନାହିଁ । ନବୀନଙ୍କ ନିଷ୍ପତ୍ତି ପଛରେ ଯେ ରାଜନୈତିକ ବାଧ୍ୟବାଧ୍ୟକତା ରହିଛି ଏହା କାହାକୁ ଅଛପା ନାହିଁ । ହେଲେ ନବୀନ ବାବୁ ଆପଣ ଆକଳନ କରିବାର ଆବଶ୍ୟକତା ରହୁଛି, ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ଆପଣ ପାଇଲେ କଣ? ଏହାଦ୍ୱାରା ରାଜ୍ୟର କି ସ୍ୱାର୍ଥ ସାଧିତ ହେଲା?