ମୋଦିଙ୍କ ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ନବୀନଙ୍କ ପୂର୍ଣ୍ଣ ସମର୍ଥନ ନେଇ ଚର୍ଚ୍ଚା : କାହିଁକି ମୁଖ୍ୟମନ୍ତ୍ରୀ କଲେ ସମର୍ଥନ?

25

କନକ ବ୍ୟୁରୋ : ସାରା ଦେଶରେ ଏକକ ନିର୍ବାଚନ କରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇବା ପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଖୋଲାଖୋଲି ବିରୋଧ କରୁଥିବା ନବୀନ ଏହି ପ୍ରସଙ୍ଗରେ କାହିଁକି ସମର୍ଥନ କଲେ ସେ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି । ବଡ ପ୍ରଶ୍ନ ଉଠୁଛି, ବିଜେଡିକୁ ଏଥିରୁ କି ଫାଇଦା ମିଳିବ । କାହିଁକି ସମର୍ଥନ କଲେ ନବୀନ ? ଏକକ ନିର୍ବାଚନ ପ୍ରସଙ୍ଗରେ ନିଜର ବିଚାର ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ଲ କମିଶନ । ଆଉ ଏହାକୁ ସମର୍ଥନ କରିଛନ୍ତି ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଗୋଟିଏ ସମୟରେ ସାରା ଦେଶରେ ଏକକ ନିର୍ବାଚନ କରିବା ନେଇ ଯୁକ୍ତି ରଖି ଆସୁଛନ୍ତି । ଆଉ ଏହି ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଲ’ କମିଶନ ଏଭଳି ଏକ ଆଲୋଚନାଚକ୍ରର ଆୟୋଜନ କରିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଆଇନ ବିଭାଗ, ଗତ ଏପ୍ରିଲ ୧୬ ତାରିଖରେ ଲ’ କମିଶନଙ୍କୁ ଏହି ପ୍ରସଙ୍ଗରେ ଅନୁଧ୍ୟାନ କରିବାକୁ କହିଥିଲେ । ଏହା ପରେ ଲ’ କମିଶନ ଏହି ପ୍ରସଙ୍ଗକୁ ସର୍ବସାଧାରଣଙ୍କ ସମ୍ମୁଖରେ ରଖିବା ସହ ରାଜନୈତିକ ଦଳ ଗୁଡ଼ିକର ମତାମତ ଜାଣିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଥିଲେ -ଏହି ପ୍ରସ୍ତାବକୁ ଆମେ ସ୍ୱାଗତ କରୁଛୁ । ବର୍ଷ ସାରା ନିର୍ବାଚନ ହେଲେ ବିକାଶ କାମରେ ବାଧା ଉପୁଜୁଛି । ତେଣୁ ଏପ୍ରସ୍ତାବକୁ ଆମେ ସ୍ୱାଗତ କରୁଛୁ ।